ପ୍ରେମ ଦେଖେନି ବୟସ : ଦାମ୍ପତ୍ୟ ଜୀବନର ସଫଳତାର ସୂତ୍ର ବାଣ୍ଟୁଛନ୍ତି ବୃଦ୍ଧ ଦମ୍ପତି

ଜଣଙ୍କର ବୟସ ୧୦୧ ବର୍ଷ, ଆଉ ଜଣଙ୍କୁ ୯୦ ପାର ହୋଇଗଲାଣି

  • ବୟସ ଅଧିକ ସତ୍ତ୍ୱେ ଦୁହେଁ ବେଶ ଚଳଚଂଚଳ
  • ବୃଦ୍ଧ ଦମ୍ପତି ବାଣ୍ଟୁଛନ୍ତି ଦାମ୍ପତ୍ୟ ଜୀବନର ସଫଳତାର ସୂତ୍ର
  • କହୁଛନ୍ତି କେମିତି ଅତୁଟ ରହିବ ସମ୍ପର୍କ

ପ୍ରେମ ଦେଖେନି ବୟସ । ମନରେ ରହି ମନକୁ ଚୋରାଉଥିବା ମଣିଷ ପାଇଁ ହୃଦସ୍ପନ୍ଦନ ବାରମ୍ବାର ବଢ଼ୁଥାଏ ।  ପ୍ରେମ କରିବାରେ କୌଣସି ବୟସ ଦେଖାଯାଏନି । ବୟସ ବଢ଼ିବା ସଙ୍ଗେ ସଙ୍ଗେ ପ୍ରେମର ଦୃଷ୍ଟିକୋଣ ସିନା ବଦଳିଯାଏ ହେଲେ ପ୍ରେମରେ ମଳିନତା ପଡ଼େନି । ଅଙ୍କାବଙ୍କା ରାସ୍ତାରେ ସାଥୀ ହୋଇ ଜୀବନର ଶେଷ ମୁହୂର୍ତ୍ତରେ ଦୁନିଆକୁ ପ୍ରେମର ନୂଆ ପରିଭାଷା ଶିଖାଉଛନ୍ତି ବୃଦ୍ଧ ଦମ୍ପତି । ଜଣଙ୍କର ବୟସ ୧୦୧ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କ ବୟସ ୯୦ ପାର ହୋଇଗଲାଣି । ତଥାପି ସେମାନଙ୍କ ଭିତରେ ସମ୍ପର୍କ ଅତି ନିବିଡ । ସେମାନଙ୍କର ଏହି ସୁନ୍ଦର ଦାମ୍ପତ୍ୟ ଜୀବନକୁ ୭୨ ବର୍ଷ ପୂରିଛି । ଆଉ ଏବେ ସେମାନେ ବାଣ୍ଟୁଛନ୍ତି ଦାମ୍ପତ୍ୟ ଜୀବନର ସଫଳତାର ସୂତ୍ର ।

ଦାମ୍ପତ୍ୟ ଜୀବନର ସଫଳତାର ସୂତ୍ର କଣ ? କେମିତି ଅତୁଟ ରହିବ ସମ୍ପର୍କ ? ସ୍ୱାମୀ- ସ୍ତ୍ରୀ ମଧ୍ୟରେ ପ୍ରେମ କିପରି ବଜାୟ ରହିବ ? ଏଭଳି ଅନେକ ପ୍ରଶ୍ନର ସରଳ ଉତ୍ତର ଦେଇଛନ୍ତି ଏହି ଦମ୍ପତି । ହ୍ୟୁମାନ୍ସ ଅଫ୍ ବମ୍ବେ ଦ୍ୱାରା ଏହା ସୋସିଆଲ ମିଡିଆରେ ସେୟାର ହେବା ପରେ ଭାଇରାଲ ହୋଇଛି । ବୟସ ଅଧିକ ସତ୍ତ୍ୱେ ଦୁହେଁ ବେଶ ଚଳଚଂଚଳ । ସେମାନଙ୍କର ଦାମ୍ପତ୍ୟ ଜୀବନର ସଫଳତାର ସୂତ୍ରକୁ ସେମାନେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । 

ଦିନକୁ ଅତି କମରେ ଗୋଟିଏ ମିଲ ଏକାଠି ଖାଇବା ନିହାତି ଦରକାର ବୋଲି କହିଛନ୍ତି । ବେଳେବେଳେ ନିଜକୁ କିଛି ସମୟ ପାଇଁ ମୁକ କରିଦିଅ, ଆଉ କାନକୁ ନ ଶୁଣିଲା ପରି ଅଭିନୟ କର । ପରିସ୍ଥିତି ଯେତେ କଠିନ ହେଉ ପଛେ ପରସ୍ପରର ହାତ ଛାଡ଼ିବା ଉଚିତ ନୁହେଁ । ଯଦି କେତେବେଳେ କାହାର ମନକୁ କଷ୍ଟ ହେଉଛି ତେବେ ପ୍ରଥମେ ଅନ୍ୟ ଜଣଙ୍କୁ କ୍ଷମା ମାଗି ନେବା ଦରକାର । ଏମିତି କିଛି ସୂତ୍ରକୁ ବୃଦ୍ଧ ଦମ୍ପତି ସେୟାର କରିଛନ୍ତି । ଦୁହେଁ ପାଦକୁ ପାଦ ମିଶାଇ ଚାଲୁଥିବା ବେଳେ ପ୍ରତି କାମରେ ପରସ୍ପରକୁ ସହଯୋଗର ହାତ ବଢାଉଥିବା ଦେଖିବାକୁ ମିଳିଛି ।

You might also like