ତାଜମହଲର ସୁରକ୍ଷା ଓ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ତାଜମହଲର ସୁରକ୍ଷା ଓ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି।  ତାଜମହଲର ସଂରକ୍ଷଣକୁ ନେଇ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଦେଇଥିବା ରିପୋର୍ଟକୁ ନେଇ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିବା ସହ ଜୁଲାଇ ୩୧ରୁ ପ୍ରତିଦିନ ମାମଲାର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ପ୍ରଦୂଷଣ ଦ୍ୱାରା ତାଜମହଲ ନଷ୍ଟ ହେଉଥିବାରୁ ଏଥିପାଇଁ ଏକ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି ପ୍ରଦୂଷଣର କାରଣ ଓ ଏହାର ସମାଧାନ ପାଇଁ ପରାମର୍ଶ ଦେବେ। ଅନ୍ୟପକ୍ଷରେ ସଂସଦୀୟ ସ୍ଥାୟୀ କମିଟିର ପରାମର୍ଶକୁ କାର୍ଯ୍ୟକାରୀ କରାଯାଇ ନଥିବାରୁ ଉତ୍ତରପ୍ରଦେଶ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମ୍‌କୋର୍ଟ ।

ସୁପ୍ରିମକୋର୍ଟ ଏଥିପାଇଁ ଚିନ୍ତା ବ୍ୟକ୍ତ କରି ଆଜି ତାଜମହଲର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ କ୍ଷେତ୍ରରେ ସରକାରୀ ଅବହେଳାର ଅତି କଟୁ ସମାଲୋଚନା କରି କହିଛନ୍ତି “ତାଜମହଲକୁ ସୁରକ୍ଷା ଦିଅ କିମ୍ବା ଭାଙ୍ଗି ଦିଅ, ନହେଲେ ଆମେ ଏହାକୁ ବନ୍ଦ କରିଦେବୁ।”

ସୁପ୍ରିମକୋର୍ଟ ବିରକ୍ତି ଭାବ ପ୍ରକାଶ କରି ଏଏସଆଇକୁ କହିଛନ୍ତି,‘ଫ୍ରାନ୍ସର ଆଇଫିଲ ଟାୱାରକୁ ଦେଖିବା ପାଇଁ ପ୍ରତିବର୍ଷ ୮ କୋଟି ଲୋକ ଆସୁଛନ୍ତି। ହେଲେ ତାଜ ମହଲ୍‌କୁ ଦେଖିବା ପାଇଁ କେବଳ ୫୦ ଲକ୍ଷ ପର୍ଯ୍ୟଟକ ଆସୁଛନ୍ତି। ଆପଣମାନେ ତାଜ୍‌ମହଲ୍‌କୁ କି ପର୍ଯ୍ୟଟକମାନଙ୍କୁ ଗମ୍ଭୀର ଭାବେ ନେଉ ନାହାନ୍ତି। ଆପଣମାନଙ୍କ ପାଇଁ ଦେଶର ଅନେକ କ୍ଷତି ହେଉଛି। କାରଣ, ଆପଣମାନେ ତାଜ୍‌ମହଲ୍‌ର ସୁରକ୍ଷା କରିବା ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧା ସୁଯୋଗ ଯୋଗାଇଦେବା ବଦଳରେ ଏହାକୁ ବିଗାଡ଼ିବାରେ ଲାଗିପଡ଼ିଛନ୍ତି’।

ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବରୁ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ ଯେ, ତାଜମହଲ ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ହୋଇଥିବାରୁ ଏଠାରେ ନମାଜ ପଢ଼ାଯାଇ ପାରିବ ନାହିଁ। ନମାଜ ପାଇଁ ଅନ୍ୟ ସ୍ଥାନ ବାଛିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଗତ ୩୦ବର୍ଷ ମଧ୍ୟରେ ଆଗ୍ରା ସହରର ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏପରିକି ୨୦୧୮ ମେ ମାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶ ପାଇଥିବା ପ୍ରଦୂଷଣ ସହର ତାଲିକାରେ ଆଗ୍ରା ସହର ଅଷ୍ଟମସ୍ଥାନରେ ରହିଥିଲା ।

You might also like
Comments
Loading...