ଦେଶର ୮୦ଟି ସହର ସମ୍ପୂର୍ଣ୍ଣ ଲକଡାଉନ୍ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ। ୮ଟି ପ୍ରମୁଖ ସହରରେ ସମେତ ଦେଶର ୮୦ଟି ସହରକୁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଦିଆଯାଇଛି। ଏହା ସହିତ ୨୨ଟି ରାଜ୍ୟର ୭୫ଟି ସମ୍ବେଦନଶୀଳ ଜିଲ୍ଲାଗୁଡିକୁ ନାକାବନ୍ଦୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭କୁ ବଢିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବି ୩୬୦କୁ ବୃଦ୍ଧି ପାଇଛି ସେପଟେ ସ୍ଥିତିକୁ ଦେଖି ଆସନ୍ତାକାଲିଠୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀ ସମେତ ମୁମ୍ବାଇ, କୋଲକାତା, ଚେନ୍ନାଇ ଓ ବେଙ୍ଗାଲୁରୁରେ ସମ୍ପୂର୍ଣ୍ଣ ଲକଡାଉନ କରିଦିଆଯାଇଛି।

କରୋନା ରୋଗୀ ଚିହ୍ନଟ ହୋଇଥିବା ଦେଶର ୨୨ଟି ରାଜ୍ୟର ୭୫ ଜିଲ୍ଲାରେ ସଂପୂର୍ଣ୍ଣ ନାକାବନ୍ଦୀ କରାଯିବା ନିର୍ଦ୍ଦେଶ ଦିଆଯାଇଛି।  ଏହି ରାଜ୍ୟଗୁଡିକ ହେଲା ମହାରାଷ୍ଟ୍ର, କେରଳ, ଦିଲ୍ଲୀ, ଗୁଜୁରାଟ, ଉତ୍ତରପ୍ରଦେଶ, ହରିୟାଣା, କର୍ଣ୍ଣାଟକ, ତେଲେଙ୍ଗାନା, ରାଜସ୍ଥାନ, ଆନ୍ଦ୍ରପ୍ରଦେଶ,ତାମିଲନାଡୁ, ପଞ୍ଜାବ, ଜାମ୍ମୁ ଓ କଶ୍ମିର, ଲଦାଖ, ୱେଷ୍ଟ ବେଙ୍ଗଲ, ଚଣ୍ଡିଗଡ, ଛତିଶଗଡ଼, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା, ପୁଡୁଚେରୀ ଓ ଉତ୍ତରାଖଣ୍ଡ।

ଏନେଇ ଆଜି କ୍ୟାବିନେଟ ସଚିବ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହିତ କଥା ହୋଇଥିଲେ। ଏଥିରେ କେଉଁ ସହରଗୁଡିକ ଲକଡାଉନ୍ କରାଯିବ, ସେନେଇ ଆଲୋଚନା କରିଥିଲେ। ତେବେ ଯେଉଁ ଜିଲ୍ଲାରେ ଅଧିକ ବିଦେଶରୁ ଫେରିଛନ୍ତି ସେହି ଜିଲ୍ଲାଗୁଡିକରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଦିଆଯାଇଛି।

କାଲିଠୁ ଟ୍ରେନ, ମେଟ୍ରୋ ଓ ଆନ୍ତରାଜ୍ୟ ବସ ସେବା ଦେଶରେ ବନ୍ଦ କରିଦିଆଯାଇଛି। ମାର୍କେଟ, ମଲ, ସ୍କୁଲ, କଲେଜ ଓ ଜିମ ଆଦି ଅଧିକାଂଶ ରାଜ୍ୟରେ ବନ୍ଦ ହୋଇସାରିଛି।  ଅନେକ ଅଞ୍ଚଳରେ ୫ରୁ ଅଧିକ ଲୋକ ଏକତ୍ର ହେବାକୁ ବ୍ୟାନ କରାଯିବା ସହ ୧୪୪ ଧାରା ଲାଗୁ କରାଯାଇଛି।

You might also like