ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫକୁ ନିନ୍ଦା କଲେ ଏଡିଟର ଗିଲ୍ଡ ଅଫ୍ ଇଣ୍ଡିଆ

ନୂଆଦିଲ୍ଲୀ: ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫକୁ କ଼ଡ଼ା ଭାଷାରେ ନିନ୍ଦା କରିଛି ଏଡିଟର ଗିଲ୍ଡ ଅଫ୍ ଇଣ୍ଡିଆ। ଏକ ବିବୃତିରେ ଏଡିଟର ଗିଲ୍‌ଡ ଅଫ୍ ଇଣ୍ଡିଆ କହିଛି, ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରୀ ଉଦ୍‌ବେଗଜନକ । ଯେଉଁଭଳି ଭାବେ ତାଙ୍କୁ ଗିରଫ କରାଯାଇଛି, ତାହା ଅତ୍ୟନ୍ତ ଦୁଃଖଦାୟକ ।

ଯେଉଁ ଗଣମାଧ୍ୟମ ସରକାରଙ୍କ ବିରୋଧରେ ରିପୋର୍ଟିଂ କରୁଛନ୍ତି, ସେମାନଙ୍କ ବିରୋଧରେ ସରକାରୀ ବଳ ପ୍ରୟୋଗ କରାନଯାଉ ଏବଂ ଅର୍ଣ୍ଣବ ଗୋସ୍ୱାମୀଙ୍କ କ୍ଷେତ୍ରରେ ନିରପେକ୍ଷ ଭାବେ ବିଚାର କରାଯାଉ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଅପିଲ କରିଛି ଏଡିଟର ଗିଲ୍ଡ  ।

ସୂଚନାଥାଉ କି, ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲାରେ ୨୦୧୮ର ଏକ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବଙ୍କୁ ଗିରଫ କରାଯାଇଛି। ଇଣ୍ଟେରିୟର ଡିଜାଇନର ଅନଭୟ ନାୟକ ଏବଂ ତାଙ୍କ ମାଆ କୁମୁଦ ନାୟକଙ୍କ ମୃତ୍ୟୁ  ଘଟିଥିଲା । ୫୩ ବର୍ଷୀୟ ଇଣ୍ଟେରିୟର ଡିଜାଇନର ଅନଭୟ ନାୟକ ଏବଂ ତାଙ୍କ ମାଆ କୁମୁଦ ମୁମ୍ବାଇର ଅଲୀବାଗରେ ଆତ୍ମହତ୍ୟା କରିଥିଲେ । ସେହି ସମୟରେ ଏକ ସୁଇସାଇଡ୍ ନୋଟ୍ ଉଦ୍ଧାର ହୋଇଥିଲା ।ଏଥିରେ ଅର୍ଣ୍ଣବଙ୍କ ସହ ଫିରୋଜ ସାହା ଏବଂ ନିତେଶ ସାରଦା ନାମକ ଦୁଇ ବ୍ୟକ୍ତିଙ୍କ ନାଁ ରହିଥିଲା ।

ଏହି ଘଟଣାକୁ ନେଇ ମୁମ୍ବାଇର ଅଲୀବାଗ ପୋଲିସ ଆତ୍ମହତ୍ୟା ଲାଗି ଉସୁକାଇବା ମାମଲା ରୁଜୁ କରିଥିଲା ୨୦୧୯ରେ ମାମଲାକୁ ବନ୍ଦ କରି ଦେଇଥିଲା ରାୟଗଡ଼ ପୋଲିସ । ତେବେ ମେ’ ୨୦୨୦ରେ ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ ଏହି ମାମଲା ପୁଣି ରିଓପନ କରିଥିଲେ । ବର୍ତ୍ତମାନ ମାମଲାର ତଦନ୍ତ କରୁଛି ସିଆଇଡି।

You might also like