ଅର୍ଥନୀତିକ ସର୍ଭେ ୨୦୨୦: ଆସନ୍ତା ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୬ରୁ ୬.୫% ରହିବ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଗୃହରେ ଅର୍ଥନୀତିକ ସର୍ଭେ୨୦୧୯-୨୦ ଉପସ୍ଥାପନ କରିଛନ୍ତି। ଏଥିରେ ଆକଳନ କରାଯାଇଛି ୨୦୨୦-୨୧ ଏପ୍ରିଲରୁ ଆରମ୍ଭ ହେଉଥିବା ଆସନ୍ତା ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୬ରୁ ୬.୫% ରହିବ। ବଜେଟ୍‌ ପୂର୍ବରୁ ଆସିଥିବା ଏହି ରିପୋର୍ଟରେ ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ହାର ୫%କୁ ଅପରିବର୍ତ୍ତିତ ରଖାଯାଇଛି। ଅନ୍ୟପକ୍ଷରେ ଅଭିବୃଦ୍ଧି ହାରରେ ସୁଧାର ଆଣିବା ପାଇଁ ଏହି ରିପୋର୍ଟରେ ଆର୍ଥିକ ନିଅଣ୍ଟକୁ କୋହଳ କରିବାର ନିଷ୍ପତ୍ତି ନିଆଯାଇଛି। ଏହି ରିପୋର୍ଟ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଟିମ୍‌ ଦ୍ୱାରା ପ୍ରସ୍ତୁତ ହୋଇଛି।

ଅନ୍ୟପକ୍ଷରେ ଦେଶରେ ବ୍ୟବସାୟ ପାଇଁ ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ନେଇ କିଛି ସଂସ୍କାର ଆଣିବାକୁ ନିଷ୍ପତ୍ତି ନିଆଯାଇଛି। ବନ୍ଦର ଗୁଡ଼ିକରେ ରପ୍ତାନୀ ବୃଦ୍ଧିରେ ସମସ୍ୟା ସୃଷ୍ଟି କରୁଥିବା କିଛି ପ୍ରସଙ୍ଗରେ ସମାଧାନ କରାଯିବାକୁ ଏଥିରେ ଗୁରୁତ୍ୱ ଦିଆଯାଇଛି। ଯଦିଓ ବିଶ୍ୱସ୍ତରର ଦୁର୍ବଳ ଅଭିବୃଦ୍ଧିର ଭାରତରେ ପ୍ରଭାବ ପଡ଼ିଥିବା ସ୍ୱୀକାର କରାଯାଇଛି, ଏଥିରେ କୁହାଯାଇଛି ଦେଶର ଆର୍ଥିକ କ୍ଷେତ୍ରରେ କିଛି ସମସ୍ୟା କାରଣରୁ ନିବେଶ ଧୀମା ହୋଇଛି।

ସବୁ ଶ୍ରେଣୀର ଲୋକଙ୍କ ପାଖରେ ଧନ ପହଞ୍ଚିବା ନେଇ ଏଥିରେ ଗୁରୁତ୍ୱ ଦିଆଯିବା ସହ ୧୦ଟି ନୂତନ ଆଇଡିଆ ବାବଦରେ କୁହାଯାଇଛି, ଯାହାକି ଭାରତୀୟ ଅର୍ଥନୀତିକୁ ବଡ଼ ସଫଳତା ଦେବ। ଆସନ୍ତା ଆର୍ଥିକ ବର୍ଷରେ ଅର୍ଥନୀତିରେ ସୁଧାର ଆଣିବାକୁ ହେଲେ ଯଥାଶୀଘ୍ର ଅର୍ଥନୀତିକ ସଂସ୍କାର କରିବାକୁ ହେବ ବୋଲି ଏଥିରେ କୁହାଯାଇଛି। ଏହାର କାରଣ ସ୍ୱରୂପ କୁହାଯାଇଛି, ଏହାହିଁ ଏକମାତ୍ର ବାଟ। ଏତଦ୍‌ବ୍ୟତୀତ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ପରିଚାଳନା ସୁଦୃଢ଼ କରିବା ବାବଦରେ ଏଥିରେ ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ ଯେ, ଏହି ରିପୋର୍ଟ ଏକ ବାର୍ଷିକ ଡକ୍ୟୁମେଣ୍ଟ ବା ପ୍ରଗତି ପତ୍ର, ଯାହାକି ସରକାର ଗତ ୧୨ ମାସର ଅର୍ଥନୀତିକ ସ୍ଥିତି ବାବଦରେ ଉପସ୍ଥାପିତ କରିଥା’ନ୍ତି। ଏହା ଅର୍ଥନୀତିରେ ରହିଥିବା ସମସ୍ୟା, ପ୍ରମୁଖ ନୀତି ଏବଂ ଆଗାମୀ ଦିନର ରୋଡ୍‌ମ୍ୟାପ୍‌ ବାବଦରେ ବୟାନ କରିଥାଏ। ସାଧାରଣତଃ ବଜେଟ୍‌ ପୂର୍ବରୁ ଏହା ଉପସ୍ଥାପିତ ହୋଇଥାଏ। ଫଳରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ବ୍ୟୟ ଅଟକଳ କରିବା ପୂର୍ବରୁ ଦେଶର ଆର୍ଥିକ ସ୍ଥିତି ବାବଦରେ ଏକ ଧାରଣା ମିଳିଯାଇଥାଏ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ଚର୍ଚ୍ଚିତ ୫ ଟ୍ରିଲିଅନ୍‌ ଅର୍ଥନୀତି ଲକ୍ଷ୍ୟ ହାସଲର ଉତ୍ତର ଏଥିରେ କିନ୍ତୁରେ ଦିଆଯାଇଛି। ୫ ଟ୍ରିଲିଅନ୍‌ ହାସଲ କରିବା ପାଇଁ ଏଥିରେ ୨ଟି ତରିକା ବାବଦରେ କୁହାଯାଇଛି। ପ୍ରତିଦ୍ୱନ୍ଦ୍ୱିତାମୂଳକ ବଜାରର କ୍ଷମତା ହ୍ରାସ କରିବା ପାଇଁ ବ୍ୟବସାୟକୁ ସୁହାଇବା ଭଳି ନୀତି ଆପଣାଇବାକୁ ହେବ। ଦ୍ୱିତୀୟତଃ ଏକଚ୍ଛତ୍ରବାଦୀ ବ୍ୟବସାୟିକ ସଂସ୍ଥାଙ୍କୁ ସୁହାଇବା ପରି ଯାହାକି କିଛି ଘରୋଇ ଉଦ୍ୟୋଗଙ୍କୁ ସୁହାଉଥିବ, ସେସବୁକୁ ପ୍ରଥମେ ବନ୍ଦ କରିବାକୁ ହେବ। ଏଥିରେ କହାଯାଇଛି ଭାରତ ପାଖରେ ଏଭଳି ସମ୍ପଦ ରହିଛି ଯାହାକି ଚାଇନା ଭଳି ଅଭିବୃଦ୍ଧି ପ୍ରତି ସହାୟକ ହେବ। ଏଥିପାଇଁ ଶ୍ରମ ସହାୟକ ଶିଳ୍ପ ପ୍ରତି ଗୁରୁତ୍ୱ ଦେବାକୁ ହେବ। ଏହା ଉଭୟ ଦୀର୍ଘ ମିଆଦି ଏବଂ ସ୍ୱଳ୍ପ ମିଆଦି ହୋଇପାରିବ।

You might also like