ବିନା ଚିନ୍ତାରେ ସବୁବେଳେ ହାତ ମୁଠାରେ ରଖିହେବ ନିଜ ପରିଚୟ ପତ୍ର
ନୂଆଦିଲ୍ଲୀ: ଆଉ ଚିରିବନି କି ହଜିବନି ଭୋଟର୍ କାର୍ଡ। ବିନା ଚିନ୍ତାରେ ସବୁବେଳେ ହାତ ମୁଠାରେ ରଖିହେବ ନିଜ ପରିଚୟ ପତ୍ର। ମୋବାଇଲଲ୍ରେ ଡାଉନଲୋଡ୍ କରିହେବ ଡିଜିଟାଲ୍ ଭୋଟର୍ ଆଇଡେଣ୍ଟିଟି କାର୍ଡ। ଏହି ଡିଜାଟାଲ୍ ଭୋଟର୍ କାର୍ଡକୁ କୁହାଯାଉଛି ଇଲେକ୍ଟ୍ରୋନିକ୍ ଇଲେକ୍ଟୋରାଲ୍ ଫଟୋ ଆଇଡେଣ୍ଟିଟି କାର୍ଡ ବା ଇ-ଏପିକ୍। ଆଜି ଏକାଦଶ ଜାତୀୟ ମତଦାତା ଦିବସରେ ଇ-ଏପିକ୍ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି।
ନୂଆଦିଲ୍ଲୀରେ ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗେ ଦେଇ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପୁରସ୍କାର ପ୍ରଦାନ ସହ ହେଲୋ ଭୋଟର୍ସ ଡିଜିଟାଲ୍ ରେଡିଓର ଶୁଭାରମ୍ଭ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିସହ ଦେଇଥିଲେ କୋଇ ମତଦାତା ନ ଛୁଟେର ଆହ୍ୱାନ।
୧୯୫୦ ମସିହା ଜାନୁଆରୀ ୨୫ରେ ପ୍ରତିଷ୍ଠା ହୋଇଥିଲା ଦେଶର ନିର୍ବାଚନ କମିଶନ। ତେବେ ୨୦୧୧ ମସିହାରୁ ଆଜିର ଦିନକୁ ଜାତୀୟ ମତଦାତା ଦିବସ ଭାବେ ପାଳନ କରାଯାଉଛି, ଯାହାକୁ ଆରମ୍ଭ କରିଥିଲେ ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍। ମତଦାତାଙ୍କୁ ସେମାନଙ୍କ କର୍ତ୍ତବ୍ୟ, ଦାୟିତ୍ୱ ଓ ଅଧିକାର ସଂପର୍କରେ ସଚେତନ କରିବା ଏବଂ ଅଧିକରୁ ଅଧିର ଯୁବ ଭୋଟରଙ୍କୁ ମତଦାନ ପ୍ରକ୍ରିୟାରେ ସାମିଲ କରିବା ଏହି ଦିବସର ଉଦ୍ଦେଶ୍ୟ। ଆଜି ୧୧ତମ ଜାତୀୟ ମତଦାତା ଦିବସରେ ଓଡ଼ିଶାରୁ ୭ ଲକ୍ଷ ୭୧ ହଜାର ୧୨୩ ନୂଆ ମତଦାତା ସାମିଲ ହୋଇଛନ୍ତି।
କେମିତି ମୋବାଇଲ୍ ଫୋନ୍ରେ ପାଇପାରିବେ ଇ-ଭୋଟର୍ କାର୍ଡ ବା ଇ-ଏପିକ୍? କେମିତି ଏହାକୁ କରିପାରିବେ ଡାଉନଲୋଡ୍? ଡିଜିଟାଲ୍ ଭୋଟ ପରିଚୟ ପତ୍ର ଦ୍ୱାରା କିପରି ଉପକୃତ ହୋଇପାରିବେ ସାଧାରଣ ଲୋକ? ଇଲେକ୍ଟ୍ରୋନିକ୍ ଇଲେକ୍ଟୋରାଲ୍ ଫଟୋ ଆଇଡେଣ୍ଟିଟି କାର୍ଡ ବା ଇ-ଏପିକ୍ ଡାଉନଲୋଡ କରିବା ପାଇଁ ଭୋଟର୍ ପୋର୍ଟାଲ୍ କିମ୍ବା ନ୍ୟାସନାଲ ଭୋଟର୍ସ ସର୍ଭିସ୍ ପୋର୍ଟାଲକୁ ଯିବାକୁ ପଡ଼ିବ।
ଭୋଟର୍ ପୋର୍ଟାଲ୍ର ୱେବ୍ସାଇଟ୍ରେ ଆଡ୍ରେସ୍ voterportal.eci.gov.in ଏବଂ NVSPର ଆଡ୍ରେସ୍ nvsp.in ଅଥବା ମୋବାଇଲ୍ରେ ଭୋଟର୍ ହେଲ୍ପଲାଇନ ଆପ୍ଲିକେସନ୍ ଡାଉନଲୋଡ କରିବାକୁ ପଡ଼ିବ। ଉଭୟ ଆଣ୍ଡ୍ରୋଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଏହି ଆପ୍ ଉପଲବ୍ଧ। ୱେବସାଇଟ୍ କିମ୍ବା ଆପ୍ରେ ଏପିକ୍ ନମ୍ବର ଦେଲେ, ଫୋନ୍କୁ ଏକ ଓଟିପି ମେସେଜ୍ ଆସିବ। ଏହି ଓଟିପି ନମ୍ବର ଦେଇ ଇ-ଏପିକ୍କୁ ମୋବାଇଲ କିମ୍ବା କମ୍ପ୍ୟୁଟରରେ ଡାଉନଲୋଡ୍ କରି ରଖିହେବ। ଏହାକୁ ଡିଜି ଲକର୍ରେ ଅପଲୋଡ୍ କରିହେବ ଏବଂ ପ୍ରିଣ୍ଟ୍ ମଧ୍ୟ ବାହାର କରିହେବ।
ବୈଧ ଏପିକ୍ ନମ୍ବର ଥିବା ଭୋଟର୍ ଏବଂ ନଭେମ୍ବରରୁ ଡିସେମ୍ବର ୨୦୨୦ ମଧ୍ୟରେ ଆବେଦନ କରିଥିବା ଭୋଟର୍ ଏସ୍ଏମ୍ଏସ୍ ପାଇବା ପରେ ଆସନ୍ତା ଜାନୁଆରୀ ୨୫ରୁ ୩୧ ମଧ୍ୟରେ ଇ-ଏପିକ୍ ଡାଉନଲୋଡ୍ କରିପାରିବେ। ଫେବୃଆରୀ ପହିଲାରୁ ସମସ୍ତ ସାଧାରଣ ଭୋଟର୍ ଏହା ପାଇପାରିବେ। ତେବେ ସେମାନଙ୍କୁ କୌଣସି ଏସ୍ଏମ୍ଏସ୍ ମିଳିବ ନାହିଁ।
ଏପିକ୍ ନମ୍ବର ମନେ ନଥିଲେ କିମ୍ବା ହଜିଯାଇଥିଲେ ଭୋଟର୍ ପୋର୍ଟାଲ୍ରେ କିମ୍ବା electoralsearch.in କୁ ଯାଇ ନିଜ ନାଁ ଖୋଜି ପାରିବେ ଏବଂ ଏପିକ୍ ନମ୍ବର ଲେଖି ରଖି ଇ-ଏପିକ୍ ଡାଉନଲୋଡ୍ କରିପାରିବେ। ଏଥିପାଇଁ ୬ ସଂଖ୍ୟା ବିଶିଷ୍ଟ ରେଫରେନ୍ସ ନମ୍ବର ମଧ୍ୟ ବ୍ୟବହାର କରାଯାଇପାରିବ। ଆଗାମୀ ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ମଧ୍ୟ ଇ-ଏପିକ୍କୁ ପୋଲିଂ ବୁଥ୍ରେ ପରିଚୟ ପତ୍ର ଭାବେ ବ୍ୟବହାର କରିହେବ।