ଇଟାନଗର: କିଛିଦିନ ହେବ ଉତ୍ତର-ପୂର୍ବ ରାଜ୍ୟ ଗୁଡିକରେ ଭୂକମ୍ପର କହର ଜାରି ରହିଥିବା ଦେଖିବାକୁ ମିଳିଛି। ଶନିବାର ଅରୁଣାଚଳ ପ୍ରଦେଶରେ ଭୂକମ୍ପ ହୋଇଥିବା ବେଳେ ଆଜି ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ଆଜି ସକାଳୁ ସକାଳୁ ଅରୁଣାଚଳ ପ୍ରଦେଶର ପାପୁମପାରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୩.୦ ରେକର୍ଡ କରାଯାଇଛି।

National Centre for Seismology (NCS)ର ସୂଚନା ଅନୁସାରେ, ଆଜି ସକାଳ ୬ଟା ୯ରେ ପାପୁମପାରେରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ୧୦ କି.ମି. ଗଭୀରରେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରି ନାହିଁ। ଭୂକମ୍ପ ଯୋଗୁ ଭୟରେ ଲୋକମାନେ ଘରୁ ବାହାରି ଆସିଥିବା ଦେଖିବାକୁ ମିଳିଥିଲା।

ଏହା ପୂର୍ବରୁ ଶନିବାର ରାତି ପ୍ରାୟ ୧ ଟା ୨ ମିନିଟ ସମୟରେ ଅରୁଣାଚଳ ପ୍ରଦେଶର ପାଙ୍ଗିନରେ ୩.୧ ତୀବ୍ରତାର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ସେଇ ଦିନ ରାତିରେ ମଣିପୁରର ଉକ୍ରୁଲ ଜିଲ୍ଲାରେ ମଧ୍ୟ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ଥିଲା। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ରିପୋର୍ଟ ଅନୁସାରେ ଶନିବାର ରାତି ପ୍ରାୟ ୧ଟା ୨୨ ସମୟରେ ମଣିପୁରର ଶିରୁଇ ଗାଁରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ସେଇଦିନ ସକାଳେ ଆସାମରେ ୪.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା।

ଗତକାଲି ଅପରାହ୍ଣରେ ଦିଲ୍ଲୀରେ ମଧ୍ୟ  ଭୂକମ୍ପ ଅନୁଭୂତ ହୋଇଥିଲା। NCSର ସୂଚନା ଅନୁସାରେ, ଅପରାହ୍ଣ ୧୨ଟା ୨ରେ ଦିଲ୍ଲୀର ପଞ୍ଜାବୀ ବାଗ୍‌ ଅଞ୍ଚଳରେ ୨.୧ ତୀବ୍ରତାର ଭୂକମ୍ପ ହୋଇଥିଲା। ୧୦ କି.ମି. ଗଭୀରରେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା। ଭୂଗର୍ଭରୁ ୭ କି.ମି. ଗଭୀରରେ ଭୂକମ୍ପ ସୃଷ୍ଟି ହୋଇଥିଲା।

ସୂଚନାଥାଉ କି, ଗତ ଏପ୍ରିଲ ୨୮ରେ ଆସାମରେ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ରେକର୍ଡ କରାଯାଇଥିଲା।

Other Stories