ଭୂକମ୍ପ ହେଲା ପରେ ମଧ୍ୟ ଲାଇଭ୍ ଇଣ୍ଟରଭ୍ୟୁ ଦେଇଥିଲେ ନ୍ୟୁଜିଲାଣ୍ଡ୍ ପ୍ରଧାନମନ୍ତ୍ରୀ
ୱେଲିଂଟନ୍: ନ୍ୟୁଜିଲାଣ୍ଡ୍ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡର୍ନ ଏକ ଟିଭି ଚ୍ୟାନେଲ୍କୁ ଲାଇଭ୍ ଇଣ୍ଟରଭ୍ୟୁ ଦେଉଥିବାବେଳେ ହଠାତ୍ ଭୂକମ୍ପର ଝଟ୍କା ଅନୁଭୂତ କରିଥିଲେ। ହେଲେ ଏଥିରେ ସେ ବିଚଳିତ ନ ହୋଇ ହସିକି ପରିସ୍ଥିତିକୁ ସମ୍ଭାଳିବା ସହ ଇଣ୍ଟରଭ୍ୟୁ ପ୍ରୋଗ୍ରାମ ଜାରି ରଖିଥିଲେ। ସୋମବାର ନ୍ୟୁଜିଲାଣ୍ଡ୍ର ରାଜଧାନୀ ୱେଲିଂଟନ୍ରେ ଏହି ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା।
ଆର୍ଡର୍ନ ଆଙ୍କରଙ୍କୁ ତାଙ୍କ ଦେଶର ସଂସଦ ପରିସରରେ ହେଉଥିବା ଘଟଣା ସମ୍ପର୍କରେ କହିବା ବେଳେ ଏହି ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ଏହାପରେ ସେ ଆଙ୍କରଙ୍କୁ କହିଥିଲେ, ‘ମୋତେ ଭୂକମ୍ପର ଝଟ୍କା ଅନୁଭୂତ ହେଉଛି। ଏହାପରେ ସେ(ଆର୍ଡର୍ନ) ବାମ ଓ ଡାହାଣ ପାର୍ଶ୍ୱକୁ ଦେଖି କହିଥିଲେ, ମୋ ପଛରେ ଥିବା ଜିନିଷ ଗୁଡ଼ିକ ଦୋହଲୁଥିବା ଆପଣ ଦେଖିପାରିବେ। ’
ସବୁଠାରୁ ବଡ଼ କଥା, ଭୂକମ୍ପ ହେବାପରେ ମଧ୍ୟ ଆର୍ଡର୍ନ ତାଙ୍କର ଇଣ୍ଟରଭ୍ୟୁ ଜାରି ରଖିଥିଲେ। ଏହି ଘଟଣା ପରେ ସୋସିଆଲ୍ ମିଡିଆରେ ନ୍ୟୁଜିଲାଣ୍ଡ୍ ପ୍ରଧାନମନ୍ତ୍ରୀଙ୍କୁ ଅନେକ ପ୍ରଶଂସା କରାଯାଇଛି। ଏହାସହ ସେହି ସମୟର ଭିଡିଓ ମଧ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି।
Geonetର ସୂଚନା ଅନୁସାରେ, ସୋମବାର ଦିନ ୱେଲିଂଟନ୍ ଓ ଏହାର ଆଖପାଖ ଅଞ୍ଚଳରେ ଏହି ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ଥିଲା। ଲେଭିନ୍ର ଉତ୍ତରପଶ୍ଚିମରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଯାହାର ଗଭୀରତା ୩୭ କି.ମି. ଥିଲା।