ଉତ୍ତର-ପୂର୍ବ ରାଜ୍ୟ ଗୁଡିକରେ ଭୂମିକମ୍ପର କହର ଜାରି । ଆସାମ ପରେ ଗତକାଲି ରାତିରେ ମଣିପୁର ଏବଂ ଅରୁଣାଚଳ ପ୍ରଦେଶରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ରିପୋର୍ଟ ଅନୁସାରେ ଗତକାଲି ରାତି ପ୍ରାୟ ୧.୨୨ ସମୟରେ ମଣିପୁରର ଶିରୁଇ ଗାଁରେ ୩.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ସେହିପରି ରାତି ପ୍ରାୟ ୧ ଟା ୨ ମିନିଟ ସମୟରେ ଅରୁଣାଚଳ ପ୍ରଦେଶର ପାଙ୍ଗିନରେ ୩.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି।

ସୂଚନା ଅନୁସାରେ ଶନିବାର ରାତିରେ ଉତ୍ତର ପୂର୍ବ ରାଜ୍ୟ ଆସାମରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ତେବେ ଏଥିରେ କୌଣସି ବଡ଼ କ୍ଷୟକ୍ଷତିର କିମ୍ବା ଘରଦ୍ବାର ନଷ୍ଟ ହୋଇଥିବା ସୂଚନା ନାହିଁ । ମୃତାହତ ସମ୍ପର୍କରେ ମଧ୍ୟ କିଛି ସ୍ପଷ୍ଟ ସୂଚନା ନାହିଁ । ପାଙ୍ଗିନର ଉତ୍ତର-ଉତ୍ତରପଶ୍ଚିମକୁ ପ୍ରାୟ ୯୫ କିଲୋମିଟର୍ ଦୂରରେ ଭୂଗର୍ଭର ୧୭ କିଲୋମିଟର୍ ଭିତରେ ଭୂମିକମ୍ପ ସଂଗଠିତ ହୋଇଥିବା ସୂଚନା ଦେଇଛି ନ୍ୟାସନାଲ ସେଣ୍ଟର୍ ଫର୍ ସିସ୍ମୋଲୋଜି । ସେହିପରି ଶିରୁଇର ଉତ୍ତରପଶ୍ଚିମକୁ ପ୍ରାୟ ୨୦ କିଲୋମିଟର ଦୂର ଭୂଗର୍ଭର ୩୦ କିଲୋମିଟର ଭିତରେ ଦ୍ୱିତୀୟ ଭୂମିକମ୍ପ ସଂଗଠିତ ହୋଇଥିଲା ।

ଆସାମରେ ଶନିବାର ରାତିରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପୂର୍ବ ଭାରତରେ ଏହା ୫ ମ ଥର ଭୂମିକମ୍ପ ଅନୁଭୂତ ହୋଇଛି । ହିମାଳୟର କୋଳରେ ଅବସ୍ଥିତ ଉତ୍ତର ପୂର୍ବ ରାଜ୍ୟଗୁଡିକ ଭୂମିକମ୍ପ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ । ତେବେ ସବୁଠାରୁ ବଡ଼ କଥା ହେଲା ଏବେ ସୁଦ୍ଧା ହୋଇଥିବା ଭୂକମ୍ପରେ କାହାର ଜୀବନ ହାନି କିମ୍ବା ଆହତ ହେବାର ସୂଚନା ନାହିଁ ।

Other Stories