WMOର ଚେତାବନୀ-ଆସନ୍ତା ୫ ବର୍ଷ ମଧ୍ୟରେ ପୃଥିବୀ ତାପମାତ୍ରା ୧.୫ ଡିଗ୍ରୀ ବୃଦ୍ଧି ପାଇବ !

ନୂଆଦିଲ୍ଲୀ: ଆସନ୍ତା ୫ ବର୍ଷ ମଧ୍ୟରେ ପୃଥିବୀର ତାପମାତ୍ରା ୧.୫ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି ପାଇପାରେ । ଏପରି ତାପମାତ୍ରା ବୃଦ୍ଧି ହେଲେ ପାଣିପାଗରେ ବିନାଶକାରୀ ପରିବର୍ତ୍ତନ ଦେଖିବାକୁ ମିଳିବ । ଏପରି ହେଲେ କେଉଁଠି ବନ୍ୟାର ଆଶଙ୍କା ଦେଖାଦେବ ତ କେଉଁଠି ମରୁଡି ଆଶଙ୍କା । ସେତିକି ନୁହେଁ, ସମୁଦ୍ର ଜଳସ୍ତର ମଧ୍ୟ ସାଂଘାତିକ ଭାବେ ବୃଦ୍ଧି ପାଇବ ।

ଜାତିସଂଘର ଏକ ରିପୋର୍ଟରେ ଚେତାବନୀ ଦିଆଯାଇଛି, ଆଗାମୀ ୫ ବର୍ଷ ମଧ୍ୟରେ ପୃଥିବୀର ତାପମାତ୍ରା ଅସ୍ଥାୟୀ ଭାବେ ୧.୫ ଡିଗ୍ରୀ ବୃଦ୍ଧି ପାଇପାରେ । ଏ ନେଇ ବୁଧବାର ଜାରି ରିପୋର୍ଟରେ କୁହାଯାଇଛି, ପୂର୍ବ-ଔଦ୍ୟୋଗିକ ସ୍ତରରେ ଆଗାମୀ ୫ ବର୍ଷ ଭିତରେ ଅସ୍ଥାୟୀ ଭାବେ ତାପମାତ୍ରା ବୃଦ୍ଧି ପାଇବାର ୪୦ ପ୍ରତିଶତ ଆଶଙ୍କା ରହିଛି ।

ପାରିସ କ୍ଲାଇମେଟ ଏଗ୍ରିମେଣ୍ଟରେ ହୋଇଥିବା ୧.୫ ପ୍ରତିଶତ ତାପମାତ୍ରା ବୃଦ୍ଧିକୁ ଏବେ ବିଶ୍ୱ ପାର କରିସାରିଛି । ଜଳବାୟୁର ଏପରି ବିନାଶକାରୀ ପରିବର୍ତ୍ତନକୁ ନେଇ ପରିବେଶବିତ୍‌ମାନେ ଏ ନେଇ ଚେତାବନୀ ବି ଦେଇ ସାରିଛନ୍ତି । ଏହି ତାପମାତ୍ରା ବୃଦ୍ଧି ୧ ବର୍ଷ ବଦଳରେ ପାଖାପାଖି ୩୦ ବର୍ଷରେ ଦେଖିବା ପାଇଁ ଚାହୁଁଥିଲା ପାରିସ ଏଗ୍ରିମେଣ୍ଟ ।
ତାପମାତ୍ରା ଯେତେ ଯେତେ ବୃଦ୍ଧି ପାଇବ, ବାଷ୍ପୀକରଣ ହାର ସେତେେ ବୃଦ୍ଧି ପାଇବ ।

ଗରମ ବାୟୁରେ ଅଧିକ ମଇଶ୍ଚର ରହିବ । ଜଳବାୟୁର ଏପରି ପରିବର୍ତ୍ତନ ପରିବେଶ ଏବଂ ମହାସାଗରରେ ସର୍କୁଲେଶନ ପ୍ୟାଟର୍ଣ୍ଣକୁ ବଦଳାଇ ଦେଇପାରେ । World Meteorological Organization (WMO) ର ରିପୋର୍ଟ ଅନୁସାରେ, ଏହି ପରବର୍ତ୍ତନ ଯୋଗୁ ଆଟଲାଣ୍ଟିକ ମହାସାଗରରେ ଉଷ୍ମକଟିବନ୍ଧୀୟ ଚକ୍ରବାତ ବଢିବାର ଆଶଙ୍କା ରହିଥିବା ଭବିଷ୍ୟବାଣୀ କରାଯାଇଛି । ଏପରି ହେବା ଦ୍ୱାରା ଉତ୍ତର ଆମେରିକାର ଦକ୍ଷିଣ ପଶ୍ଚିମ ଭାଗ ମରୁଡିଗ୍ରସ୍ତ ହେବାର ଆଶଙ୍କା ରହିଛି ।

ସେତିକି ନୁହେଁ, ଆଫ୍ରିକାର ସହୋଲ ଏବଂ ଅଷ୍ଟ୍ରେଲିଆରେ ବନ୍ୟା ଆଶଙ୍କା ମଧ୍ୟ ରହିଛି । ଜାତିସଂଘର ବିଶ୍ୱ ପାଣିପାଗ ସଂଗଠନର ମହାସଚିବ ପେଟେରୀ ତାଲାମଙ୍କ କହିବା ଅନୁାଯାୟୀ, ଆମେ ଏହି ସୀମା ପାଖାପାଖି ପହଞ୍ଚି ସାରିଛେ । ସେତିକି ନୁହେଁ, ଆଗାମୀ ବର୍ଷରେ ଆମେ ଏହି ବିପଦସଙ୍କେତର ଆହୁରି ପାଖାପାଖିି ପହଞ୍ଚିଯିବୁ । ଗ୍ରୀନ ହାଉସ ନିର୍ଗମନକୁ ହ୍ରାସ କରିବା ପାଇଁ ଏହି ଅଧ୍ୟୟନ ଆମକୁ ସତର୍କ କରାଇ ଦେଇଛି ବୋଲି ସେ କହୁଛନ୍ତି ।

ଅଧ୍ୟୟନ ଅନୁସାରେ, ୨୦୨୧ରୁ ୨୦୨୫ ଭିତରେ ଅତିକମ୍‌ରେ ୧ ଡିଗ୍ରୀ ସେଲସିୟସ ତାପମାତ୍ରା ବଢିବ । ରିପୋର୍ଟରେ ଭବିଷ୍ୟବାଣୀ କରାଯାଇଛି, ଏହି ବର୍ଷ ମଧ୍ୟରୁ କୌଣସି ଗୋଟିଏ ବର୍ଷ ୨୦୧୬ ତୁଳନାରେ ସବୁଠାରୁ ଅଧିକ ଉତ୍ତପ୍ତ ବର୍ଷର ରେକର୍ଡ କରିବାର ୯୦ ପ୍ରତିଶତ ସମ୍ଭାବନା ରହିଛି ।

ଡବ୍ଲୁଏମଓ ରିପୋର୍ଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ସବୁଠାରୁ ଉତ୍ତପ୍ତ ୩ଟି ବର୍ଷ ମଧ୍ୟରୁ ୨୦୨୦ ଗୋଟିଏ । ଏହି ବର୍ଷରେ   ବିଶ୍ୱର ହାରାହାରି ତାପମାତ୍ରା ପୂର୍ବ ଔଦ୍ୟୋଗିକ ଆଧାର ରେଖା ଅନୁସାରେ ୧.୨ଡିଗ୍ରୀ ଉପରେ ରହିଛି । ଏ ନେଇ ନାସାର ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି, ଜଣାଯାଉଛି, ଆମେ ଏହି ସୀମା  ଖୁବ ଶୀଘ୍ର ପାର କରିବାକୁ ଯାଉଛୁ । କାରଣ ଆମେ ଏ ପର୍ଯ୍ୟନ୍ତ ବିଶ୍ୱ ଗ୍ଲୋବାଲ ୱାର୍ମିଂ ହ୍ରାସ କରିବା ଦିଗରେ କୌଣସି ପଦକ୍ଷେପ ନେଉନାହୁଁ ।

You might also like