କାହା ପାଇଁ ଲକି ହେବେ ଦୁଷ୍ୟନ୍ତ ?

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୮ଟାରୁ ମହାରାଷ୍ଟ୍ର ଓ ହରିଆଣାରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ତେବେ ମହାରାଷ୍ଟ୍ରରେ ବିଜେପି ଆଗୁଆ ଥିବାବେଳେ ହରିଆଣାରେ ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି।

ହରିଆଣାରେ କାହାକୁ ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ବୋଲି ଧୀରେଧୀରେ ସ୍ପଷ୍ଟ ହେବାପରେ ଉଭୟ ବିଜେପି-କଂଗ୍ରେସ ସରକାର ଗଠନ କରିବାକୁ ଜୋରଦାର କସରତ ଆରମ୍ଭ କରିଛନ୍ତି। ବିଜେପି ପୁଣିଥରେ ଏଠାରେ କ୍ଷମତାକୁ ଫେରିବାକୁ ସଂଘର୍ଷ ଜାରି ରଖିଥିବାବେଳେ କଂଗ୍ରେସ ମଧ୍ୟ ସରକାର ଗଠନ କରିବାର ସୁଯୋଗକୁ ହାତ ଛଡ଼ା କରିନାହିଁ। ଉଭୟ ଦଳ ସରକାର ଗଠନ କରିବା ପାଇଁ ସେମାନଙ୍କର ସଂଘର୍ଷ ଜାରି ରଖିଛନ୍ତି।

ବର୍ତ୍ତମାନ ଟ୍ରେଣ୍ଡ ଅନୁଯାୟୀ,  ବିଜେପି ୪୧, କଂଗ୍ରେସ ୩୧, ଜେଜେପି ୧୦, ଆଇଏନଏଲଡି ୨ ଓ ଅନ୍ୟାନ୍ୟ ଦଳ ୬ଟି ଆସନରେ ଆଗୁଆ ଅଛନ୍ତି।

ତେବେ ଏଭଳି ପରିସ୍ଥିତିରେ ହରିଆଣାର ଜନନାୟକ ଜନତା ପାର୍ଟି(ଜେଜେପି)ର ଅଧ୍ୟକ୍ଷ ଦୁଷ୍ୟନ୍ତ ଚୌଟାଲା କିଙ୍ଗ୍‌ ମେକର୍ ସାଜିଛନ୍ତି। ଏମିତି ଲାଗୁଛି ସତେ ଯେମିତି ତାଙ୍କ ବିନା କୌଣସି ଦଳ ସରକାର ଗଠନ କରିବାରେ ସମ୍ଭବପର ହେବନାହିଁ। ଏହି ଅବସରରେ ଦୁଷ୍ୟନ୍ତ ଚୌଟାଲା କହିଛନ୍ତି, ‘ ଲୋକେ ଆମର ପାର୍ଟିକୁ ଛୋଟ ପିଲାଙ୍କ ପାର୍ଟି ବୋଲି କହୁଥିଲେ। ହେଲେ ଆଜି ଆମେ ବହୁତ ଭଲ ପ୍ରଦର୍ଶନ କରିଛୁ।’

‘ହରିଆଣା ପରିବର୍ତ୍ତନ ଚାହୁଁଛି। ଅନ୍ତିମ ଫଳାଫଳ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ତା’ପରେ ଆପଣ ଜାଣି ପାରିବେ ସରକାର କିଏ ଗଠନ କରିବ’ ବୋଲି ଦୁଷ୍ୟନ୍ତ ଚୌଟାଲା କହିଛନ୍ତି।

ଦୁଷ୍ୟନ୍ତ କହିଛନ୍ତି, ‘ନା ବିଜେପି, ନା କଂଗ୍ରେସ ୪୦ ଅତିକ୍ରମ କରିପାରିବ, ଜେଜେପି ହାତରେ କ୍ଷମତାର ଚାବି ରହିବ‘।

ସେ ଆହୁରି ମଧ୍ୟ କହିଛନ୍ତି, ଅନ୍ତିମ ଫଳାଫଳ ଆସିବା ପରେ ହିଁ ଆମେ ନିଷ୍ପତ୍ତି ନେବୁ ବିଜେପିକୁ ସମର୍ଥନ କରିବୁ ନା କଂଗ୍ରେସକୁ। ପ୍ରଥମେ ବିଧାୟକ ଦଳ ବୈଠକ ବସିବ ଏହାପରେ ନିଷ୍ପତ୍ତି ନିଆଯିବ।

You might also like