ଆଉ କିଛି ଦିନ ଘୁଞ୍ଚିପାରେ ନିର୍ଭୟା ଦୋଷୀଙ୍କ ଫାଶୀ

ନୂଆଦିଲ୍ଲୀ:ନିର୍ଭୟା ଦୋଷୀଙ୍କ ଫାଶୀ ଘୁଞ୍ଚିପାରେ। ନିର୍ଭୟା ଗଣବଳାତ୍କାର ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ୪ ଅଭିଯୁକ୍ତଙ୍କୁ ୨୨ ଜାନୁୟାରୀ ସକାଳେ ଫାଶୀ ଦିଆଯିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ହେଲେ ଫାଶୀ ସମୟ ଗଡ଼ିପାରେ। ଦିଲ୍ଲୀ ହାଇକୋର୍ଟରେ ଶୁଣାଣିବେଳେ କ୍ଷମା ଆବେଦନ ଖାରଜ ହେବା ପରେ ୧୪ ଦିନ ସମୟ ମିଳେ ବୋଲି ସରକାର ଓକିଲ କହିଛନ୍ତି। ଦୋଷୀ ମୁକେଶ କ୍ୟୁରେଟିଭ ପିଟିଶନ ଦାଖଲ ହେବା ପରେ ରାଷ୍ଟ୍ରପତିଙ୍କ ପାଖରେ କ୍ଷମା ଆବେଦନ କରିଛନ୍ତି। ସରକାରୀ ଓକିଲ ଏକଥା ବି କହିଛନ୍ତି ଯେ, ରାଷ୍ଟ୍ରପତି ଯଦି କ୍ଷମା ଆବେଦନ ଖାରଜ କରି ଦିଅନ୍ତି, ତେବେ ତା’ ପରେ ବି ୧୪ ଦିନ ସମୟ ମିଳିବ।

ଦୋଷୀ ପକ୍ଷଙ୍କ ଓକିଲ ଯୁକ୍ତି ଦର୍ଶାଇଛନ୍ତି ଯେ, ତାଙ୍କ ମହକିଲ ରାଷ୍ଟ୍ରପତିଙ୍କ ପାଖେ କ୍ଷମା ଆବେଦନ କରିଛନ୍ତି। ଯଦି ଏହି ଆବେଦନ ଖାରଜ ହୋଇଯାଏ ତେବେ ବି ଦୋଷୀଙ୍କୁ ୧୪ ଦିନ ସମୟ ଦିଆଯାଏ। ଏହା ଉପରେ ସରକାରୀ ଓକିଲ ମଧ୍ୟ କୌଣସି ଆପତ୍ତି ଉଠାଇ ନ ଥିଲେ।

ସୂଚନାଥାଉ କି, ମୁକେଶ ରାଷ୍ଟ୍ରପତିଙ୍କ ପାଖରେ କ୍ଷମା ଆବେଦନ କରିଛନ୍ତି। ଏ ନେଇ ସେ ଜେଲ ପ୍ରଶାସନଙ୍କୁ ପତ୍ର ଦେଇଛନ୍ତି। ବୁଧବାର ସକାଳେ ଏହି ଆବେଦନ ପତ୍ର ଗୃହ ବିଭାଗକୁ ପଠାଇ ଦିଆଯାଇଛି। ଗୃହ ବିଭାଗ ରାଷ୍ଟ୍ରପତିଙ୍କ ପାଖକୁ ପଠାଇବ। ତେବେ ଏହାର ନିଷ୍ପତ୍ତି କେବେ ନିଆଯିବ ତାହା ଜଣାନାହିଁ। ଯାହା ବି ହେଉ, ଫାଶୀରୁ ବର୍ତ୍ତିବା ପାଇଁ ଏବେ ଶେଷ ଉପାୟ ଯାହା ଥିଲା ରାଷ୍ଟ୍ରପତିଙ୍କ ପାଖରେ କ୍ଷମା ଆବେଦନ। ଯଦି ଏହା ଖାରଜ ହୋଇଯାଏ ତେବେ ଫାଶୀ ସୁନିଶ୍ଚିତ।

You might also like