ଅଭାବ ସହ ଲଢି ଥକିଗଲେ, ଶେଷରେ ତିନି ସନ୍ତାନଙ୍କୁ ଧରି ଚରମ ନିଷ୍ପତ୍ତି ନେଲେ ବାପା-ମା’
ସୁପୌଲ: ଅଭାବ, ଅନଟନ ସହ ଅନେକ ଲଢିଲେ। ହେଲେ କିଛି ଫଳ ମିଳିଲାନି। ପରିସ୍ଥିତି ବଦଳିଲାନି କି ଅଭାବ ହଟିଲାନି। ଲଢି ଲଢି ଥକି ପଡ଼ିଲେ ସାରା ପରିବାର। ଶେଷରେ ନେଲେ ଚରମ ନିଷ୍ପତ୍ତି। ଦାରିଦ୍ର୍ୟର ଏକ କରୁଣ ଦୃଶ୍ୟ ଏବେ ଦେଖିବାକୁ ମିଳିଛି ବିହାରର ସୁପୌଲ ଜିଲ୍ଲାରେ । ପରିବାରର ବାପା, ମା‘ଙ୍କ ସହ ତିନି ସନ୍ତାନ ଏକାଠି ଆତ୍ମହତ୍ୟା କରିଛନ୍ତି।
ଘଟଣା ଘଟିଛି ରାଘୋପୁର ଥାନା ଗଦ୍ଦୀ ଗାଁର ୧୨ ନମ୍ବର ୱାର୍ଡରେ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ପରିବାର ଲୋକଙ୍କୁ ଗତ ଶନିବାର ଦିନ ଦେଖିଥିଲେ। ହେଲେ ଏହା ପରଠାରୁ ପରିବାରର କୌଣସି ସଦସ୍ୟଙ୍କୁ ଦେଖିବାକୁ ମିଳି ନ ଥିଲା। ଆଜି ହଠାତ୍ ଶୁଣିବାକୁ ମିଳିଥିଲା ପରିବାରର ସବୁ ସଦସ୍ୟ ଫାଶି ଦେଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ଜାଣିବା ପରେ ସାରା ଗାଁରେ ଶୋକର ଛାୟା ଦେଖିବାକୁ ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ୫ଜଣଙ୍କ ଶବକୁ ଜବତ କରିଛି।
ଜିଲ୍ଲା ଏସ୍ପି ମନୋଜ କୁମାର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାର ତଦନ୍ତ ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ରାଘୋପୁର ଗ୍ରାମର ମିଶ୍ରିଲାଲା ସାହ ଗତ ୨ ବର୍ଷ ହେଲା କୋଇଲା ବିକି ପରିବାର ଚଳାଉଥିଲେ। ଅଭାବ କାରଣରୁ ମିଶ୍ରିଲାଲା ତାଙ୍କର ପୈତୃକ ସମ୍ପତ୍ତି ବିକି ଦେଇଥିଲେ। ଏହା ପରେ ସେମାନେ ଗ୍ରାମର ବିଭିନ୍ନ ସ୍ଥାନରେ ରହୁଥିଲେ। ବାରମ୍ବାର ସ୍ଥାନ ବଦଳାଉଥିବାରୁ ସେମାନଙ୍କ ବିଷୟରେ ଜାଣିବା ଗାଁ ଲୋକଙ୍କ ପକ୍ଷରେ ସମ୍ଭବ ନ ଥିଲା।
ତଥାପି ଗାଁ ଲୋକେ ସେମାନଙ୍କୁ ଗତ ଶନିବାର ପର୍ଯ୍ୟନ୍ତ ଦେଖିଥିଲେ। ହେଲେ ତା’ ପରେ ଆଉ ଦେଖିବାକୁ ମିଳି ନ ଥିଲା। ଶୁକ୍ରବାର ପରିବାରର ସବୁ ସଦସ୍ୟ ହଠାତ୍ ଆତ୍ମହତ୍ୟା କରିଛନ୍ତି। ଆଜି ସକାଳୁ ଖବର ସାମ୍ନାକୁ ଆସିଥିଲା।