ମଦ ନିଶାରେ ଚୁର ହୋଇ ସ୍ୱାମୀ ଦେହରେ ନିଆଁ ଲଗାଇଦେଲା ସ୍ତ୍ରୀ

ମହଙ୍ଗା ପଡ଼ିଲା ସୋସିଆଲ ମିଡ଼ିଆରେ ବନ୍ଧୁତା ପରେ ପ୍ରେମ ବିବାହ

ଜଳନ୍ଧର : ମହଙ୍ଗା ପଡ଼ିଲା ସୋସିଆଲ ମିଡ଼ିଆରେ ପ୍ରେମ କରି ବିବାହ କରିବା । ମହିଳା ନୁହେଁ  ଘରୋଇ ହିଂସାର ଶିକାର ହେଲେ ନବ ବିବାହିତ ବର । ପଞ୍ଜାବ ଜଳନ୍ଧରର ଫିଲୋର ଥାନା ଅଞ୍ଚଳରେ ଏହିଭଳି ଏକ ଅଭାବନୀୟ ମାମଲା ସାମ୍ନାକୁ ଆସିଛି।  ସରକାରୀ ଚାକିରି କରୁଥିବା ଜଣେ ଯୁବକ ସୋସିଆଲ ମିଡିଆରେ ଜଣେ ଯୁବତୀଙ୍କ ସହ ବନ୍ଧୁତା ପରେ ଉଭୟଙ୍କ ପରିବାରର ସହମତିରେ ପ୍ରେମ ବିବାହ ହୋଇଥିଲା। ସମସ୍ତେ ଖୁସି ଥିଲେ, ଜାକଜମକରେ ବିବାହ କାର୍ଯ୍ୟ ସୁରୁଖୁରୁରେ ଶେଷ ହୋଇଗଲା ।

ବାହାଘର ପରେ ଯୁବକ ଜାଣିବାକୁ ପାଇଲେ ତାଙ୍କ ଅତ୍ୟଧିକ ସ୍ତ୍ରୀ ମଦ ପିଅନ୍ତି । ମଦ ପାଇଁ କିଛି ବି କରିପାରନ୍ତି । ବିବାହ ପୂର୍ବରୁ କଥା ଭିନ୍ନ, ବିବାହ ପରେ ମଦ ପିଇବାକୁ ଗ୍ରହଣ କରିପାରିଲେନି ସ୍ୱାମୀ । ଏହାପରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବିବାଦ ଆରମ୍ଭ ହୋଇ ଯାଇଥିଲା । ମଦ ପିଇବାକୁ ବାରଣ କରିବାକୁ ପାଗଳପ୍ରାୟ ବ୍ୟବହାର କରୁଥିଲା ସ୍ତ୍ରୀ । ଦିନେ ସ୍ୱାମୀ ଶୋଇଥିବା ବେଳେ ସ୍ତ୍ରୀ ସ୍ୱାମୀ ଉପରେ  ସ୍ପିରିଟ ପକାଇ ନିଆଁ ଲଗାଇ ଦେଇଥିଲା । ଆଉ ଏଥିରେ ସ୍ୱାମୀଙ୍କ ଶରୀରର ୪୦ ପ୍ରତିଶତ ଜଳିଗଲା।  ଆଉ ତା’ ପରଠାରୁ  ନ୍ୟାୟ ପାଇବା ପାଇଁ ପୀଡିତ ସ୍ୱାମୀ ୮ ମାସ  ଥାନା ଦଉଡ଼ି ଦଉଡ଼ି ଥକିଗଲେନି ସିନା, ଏଯାଏଁ ତାଙ୍କୁ ନ୍ୟାୟ ମିଳିନି।

ନବ ବିବାହିତ ସ୍ୱାମୀ ଜଣକ ରେଲୱେରେ ଚାକିରୀ କରନ୍ତି। ସୋସିଆଲ ମିଡ଼ିଆ ମାଧ୍ୟମରେ ସ୍ତ୍ରୀଙ୍କ ସହ ବନ୍ଧୁତା ଆରମ୍ଭ ହୋଇଥିଲା । ପରିବାରର ସହମତିରେ ପ୍ରେମ ବିବାହ ହୋଇଥିଲା । ତେବେ  ବାହାଘର ପାର୍ଟିରେ ନବ ବିବାହିତା ସ୍ତ୍ରୀର ବ୍ୟବହାର ସ୍ୱାମୀକୁ ଟିକେ ଅଡ଼ୁଆରେ ପକାଇଥିଲା, ତଥାପି ସେକଥାକୁ ସେ ହାଲୁକା ଭାବରେ ଗ୍ରହଣ କରିନେଇଥିଲେ । ପତ୍ନୀ ପେଟି ପେଟ ମଦ ବୋତଲ ନିଜ କୋଠରୀରେ ଆଣି ରଖିଥିବାର ଦେଖିଥିଲେ ସ୍ୱାମୀ ।

ତେବେ ବିବାହ ପରେ ଆଉ କ’ଣ କରିଥାଆନ୍ତେ । ବାଧ୍ୟବାଧକତାରେ ସ୍ତ୍ରୀର କୁଅଭ୍ୟାସ ସହ ସାଲିସ କରିବାକୁ ବାଧ୍ୟ ହେଉଥିଲେ । ହେଲେ ସ୍ୱାମୀର ଅସହାୟତାର ସୁଯୋଗ ନେଇ  ପତ୍ନୀ ଧୀରେ ଧୀରେ ସବୁ ସୀମା ପାର କରିଦେଲା । ମଦ ପିଇବା ପାଇଁ ବାହାଘରରେ ଦିଆଯାଇଥିବା ଗହଣା ସବୁ ବିକି ଦେଲା । ଏକଥା ଜାଣିବା ପରେ ବିଚରା ସ୍ୱାମୀ ଜଣକ ମୁଣ୍ଡରେ ହାତ ଦେଇ ବସିଥିଲେ । ଶାଶୁ-ଶ୍ୱଶୁରଙ୍କୁ ଏ ସମ୍ବନ୍ଧରେ ଜଣାଇବା ପରେ କେହି ଏକଥାକୁ ବିଶ୍ୱାସ କରିନଥିଲେ। ଫଳରେ ପତିପତ୍ନୀ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଲା। ସବୁବେଳେ ମଦ ପାଇଁ ଉଭୟଙ୍କ ଭିତରେ ଝଗଡା ହେଉଥିଲା।

ନବ ବିବାହିତ ଜଣକ ୧୩ ମେ, ୨୦୨୦ ଘରେ ଶୋଇଥିଲେ । ସ୍ୱାମୀକୁ ଶୋଇଥିବା ଦେଖି ସ୍ତ୍ରୀ ମୁଣ୍ଡରେ ସୈତାନ ସବାର ହେଲା । ଶୋଇଥିବା ଅବସ୍ଥାରେ ସ୍ୱାମୀ  ଉପରେ ସ୍ପିରିଟ ପକାଇ ନିଆଁ ଲଗାଇ ଦେଇଥିଲା । ଫଳରେ ୪୦ ପ୍ରତିଶତ ଶରୀର ଜଳିଗଲା, ଏବଂ ଚିକିତ୍ସା ପାଇଁ ସେ ଅନେକ ମାସ ଯାଏଁ ହସ୍ପିଟାଲରେ ରହିଥିଲେ । ଅଳ୍ପ ସୁସ୍ଥ ହେବା ପରେ ଥାନାରେ ସ୍ତ୍ରୀ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଇଥିଲେ ସ୍ୱାମୀ । କିନ୍ତୁ ପୋଲିସ ଏବେ ଯାଏଁ ଅଭିଯୁକ୍ତ ସ୍ତ୍ରୀଙ୍କୁ  ଗିରଫ କରିନି । ନ୍ୟାୟ ପାଇଁ ସେ ଅଦାଲତଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ କିନ୍ତୁ ତାଙ୍କର ସବୁ ଆବେଦନ ଖାରଜ ହୋଇଯାଇଛି । ସ୍ତ୍ରୀ ଦୋଷୀ ହୋଇ ମଧ୍ୟ ନିର୍ଭୟରେ ବାହାରେ ବୁଲୁଛି । କେବଳ ଏତିକି ନୁହେଁ ସେ ସୋସିଆଲ ମିଡ଼ିଆରେ ଆକ୍ଟିଭ ଥିବା ସହ ନିଜ ଫଟୋ ଅପଡେଟ ମଧ୍ୟ କରୁଛି ।

You might also like