ଖରା ଓ ଉଷୁମ ପାଣି କରୋନାକୁ ମାରିବ! ଭାଇରାଲ ପୋଷ୍ଟକୁ ନେଇ ଏମିତି କହିଲା ୟୁନିସେଫ
ନୂଆଦିଲ୍ଲୀ: ଖରାରେ ବୁଲିଲେ ଓ ଉଷୁମ ପାଣି ପିଇଲେ କରୋନା ହେବନି। ଗତ କିଛି ଦିନ ଧରି ୟୁନିସେଫ ନାଁରେ ଏମିତି କଥା ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏପରିକି ଏହି ନୋଟିସ ବେଙ୍ଗାଲୁରୁ ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନସର ନୋଟିସ ବୋର୍ଡରେ ମଧ୍ୟ ଦେଖିବାକୁ ମିଳିଛି।
ଏଥିରେ ଉଲ୍ଲେଖ କରାଯାଇଛି, କରୋନା ଭାଇରସର ଆକାର ବଡ଼ ଓ ଏହାର କୋଷ ୪୦୦ରୁ ୫୦୦ ମାଇକ୍ରୋ ହୋଇଥିବାରୁ ଯେକୌଣସି ମାସ୍କ ପିନ୍ଧିଲେ ଏହା ପ୍ରବେଶ କରିପାରିବ ନାହିଁ। ଭୂତାଣୁ ବାୟୁ ଦ୍ୱାରା ସଂକ୍ରମିତ ହେବନାହିଁ।
ଏପରିକି ଏହି ଭୂତାଣୁ ଅତିରିକ୍ତ ଗରମରେ ବଞ୍ଚିପାରିବ ନାହିଁ। ୨ ଘଣ୍ଟା ପାଇଁ ଖରାରେ ବୁଲିଲେ ଭୂତାଣୁ ନଷ୍ଟ ହୋଇଯିବ। ଉଷୁମ ଲୁଣା ପାଣି କୁଳି କଲେ ଭୂତାଣୁ ମରିଯିବ ଓ ଆଇସକ୍ରିମଠାରୁ ଦୂରେଇ ରହିବାକୁ ଏଥିରେ କୁହାଯାଇଛି।
ସାଧାରଣତଃ ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ୟୁନିସେଫ ସଚେତନତା ସୃଷ୍ଟି କରିଥାଏ, ଯାହା ସବୁବେଳେ ଲୋକଙ୍କର ଭରସାଯୋଗ୍ୟ ହୋଇଥାଏ। ତେବେ ପ୍ରକୃତରେ ଏପରି କିଛି ଆଡଭାଇଜରି ୟୁନିସେଫ ପକ୍ଷରୁ ଜାରି କରାଯାଇଛି କି?
We would like to inform our audiences that the news below attributed to UNICEF is fake. UNICEF Cambodia is NOT the author of this post. Stay informed by following UNICEF official platforms.
For more information on #coronavirus, go to https://t.co/9F30DkELad pic.twitter.com/T0zXMYpMGS
— UNICEF Cambodia (@UNICEFCambodia) March 5, 2020
ଏଭଳି ସଚେତନତା ବାର୍ତ୍ତାକୁ ୟୁନିସେଫ୍ ଖଣ୍ଡନ କରିଛି। ୟୁନିସେଫ୍ କାମ୍ବୋଡିଆ ପକ୍ଷରୁ ଏନେଇ ଟ୍ୱିଟ୍ କରି ସ୍ପଷ୍ଟୀକରଣ ଦିଆଯାଇଛି। ଗୁଜବ ଅନ୍ୟର ଜୀବନ ନେଇପାରେ, ଗୁଜବରୁ ଦୂରେଇ ରହିବା ପାଇଁ ଟ୍ୱିଟ ଦ୍ୱାରା ଅନୁରୋଧ କରାଯାଇଛି। ଏହାସହ ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ ସମ୍ପୃକ୍ତ ରାଷ୍ଟ୍ର କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୁହାଯାଇଛି।
କରୋନା ବ୍ୟାପୁଥିବାବେଳେ ଏନେଇ ବିଭିନ୍ନ ଗୁଜବ ମଧ୍ୟ ଶୁଣିବାକୁ ମିଳୁଛି। କରୋନାକୁ ନେଇ ଗୁଜବ କଲେ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।