ନୂଆଦିଲ୍ଲୀ : କରୋନାର ସମସ୍ତ ଭାରିଏଣ୍ଟକୁ ଚକମା ଦେବ ୨ ଔଷଧ । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ଦ୍ୱାରା ପ୍ରସ୍ତୁତ ଔଷଧ 2-DG କରୋନାଭାଇରସ୍ ବିରୁଦ୍ଧରେ ଅତ୍ୟନ୍ତ ପ୍ରଭାବଶାଳୀ । ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି। ଏହା ଅକ୍ସିଜେନ୍ ବ୍ୟବହାର ଉପରେ ନିର୍ଭରତାକୁ ମଧ୍ୟ ହ୍ରାସ କରାଇବ ବୋଲି କ୍ଲିନିକାଲ ପରୀକ୍ଷଣରୁ ଜଣାପଡିଛି । ଡିଆରଡିଓର ଜଣେ ଅଧିକାରୀ କହିଛନ୍ତି, ଏହି ଔଷଧ ବ୍ୟବହାର କରିବା ପରେ କରୋନାକୁ ହରାଇବାକୁ ସ୍ୱଳ୍ପ ସମୟ ଲାଗୁଛି ଓ କରୋନା ରୋଗୀ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ।

ନୂତନ ଅଧ୍ୟୟନରେ ଦାବି କରାଯାଇଛି, DRDOର 2-DG ଔଷଧ କୋଭିଡ -୧୯ ର ସମସ୍ତ ପ୍ରକାରର ଭାରିଏଣ୍ଟ୍ ବିରୁଦ୍ଧରେ ପ୍ରଭାବଶାଳୀ ଏବଂ ଏହା ଭାଇରସ୍ ବୃଦ୍ଧିକୁ ମଧ୍ୟ ରୋକିଥାଏ । ତେବେ ଜୁନ୍ ୧୫ ରେ ପ୍ରକାଶିତ ଏହି ଅଧ୍ୟୟନର ଏପର୍ଯ୍ୟନ୍ତ ସମୀକ୍ଷା କରାଯାଇ ନାହିଁ । ଏହି ଅଧ୍ୟୟନରେ ଅନନ୍ତ ନାରାୟଣ ଭଟ୍ଟ, ଅଭିଷେକ କୁମାର, ଯୋଗେଶ ରାୟ ଏବଂ ଅନ୍ୟମାନେ ଏଥିରେ ସାମିଲ ହୋଇଥିଲେ।  ଏହା ବ୍ୟତୀତ ପ୍ରାଥମିକ ଅଧ୍ୟୟନରୁ ଜଣାପଡିଛି DRDO ର ଏହି ଔଷଧ କୋଷର ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥିବା ସାଇଟୋପାଥିକ୍ ପ୍ରଭାବ (CPE)କୁ ଦୂର କରିଥାଏ ।

ମେ ୧୭ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏହି ଔଷଧର ଶୁଭାରମ୍ଭ କରିଥିଲେ । କରୋନା ବିରୁଦ୍ଧରେ ଏହି ଔଷଧ ଭଲ କାମ କରୁଥିବା ବେଳେ ଶରୀର ପ୍ରତି ସଂପୂର୍ଣ୍ଣ ନିରାପଦ ବୋଲି ପ୍ରମାଣିତ ମଧ୍ୟ ହୋଇଛି । ତିନି ପର୍ଯ୍ୟାୟ ଟ୍ରାଏଲ ରିପୋର୍ଟକୁ ଅନୁଧ୍ୟାନ କଲା ପରେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ DCGI ଔଷଧର ବ୍ୟବହାର ଲାଗି ଅନୁମତି ଦେଇଛି ।

ହାଇଦ୍ରାବାଦ୍ରର ରେଡି ଲାବୋରେଟୋରୀ ସହାୟତାରେ DRDO ୨୦୨୦ ମେ ରୁ ଅକ୍ଟୋବର ଯାଏ ଔଷଧର ମାନବ ପରୀକ୍ଷଣ କରିଥିଲା । ଔଷଧ ମଣିଷ ଶରୀର ପ୍ରତି ସଂପୂର୍ଣ୍ଣ ନିରାପଦ ହୋଇଥିବା ବେଳେ ଭୂତାଣୁ ବିରୁଦ୍ଧରେ ମଧ୍ୟ ଭଲ କାମ କରୁଥିବା ନଜରକୁ ଆସିଥିଲା । ଦେଶର ୧୧ଟି ହସପିଟାଲରେ ଏହି ପରୀକ୍ଷଣ କରାଯାଇଥିଲା । ଅନ୍ୟପକ୍ଷରେ ଦେଶର ବିଭିନ୍ନ ହସପିଟାଲରେ ଚିକତ୍ସିତ ୨୨୦ କରୋନା ଆକ୍ରାନ୍ତଙ୍କ ଉପରେ ହୋଇଥିବା ତୃତୀୟ ପର୍ଯ୍ୟାୟ ପରୀକ୍ଷଣରୁ ସନ୍ତୋଷଜନକ ପରିଣାମ ମିଳିଥିଲା । ଏହା ପରେ ଜୁନ୍ ୧ ତାରିଖରେ ଔଷଧର ବ୍ୟବହାର ଲାଗି DCGI ଅନୁମତି ଦେଇଥିଲା ।

Other Stories