ପଞ୍ଜାବ ମନ୍ତ୍ରୀ ସିଦ୍ଧୁଙ୍କୁ ନେଇ କଂଗ୍ରେସର ବଢୁଛି ମୁଣ୍ଡବ୍ୟଥା

ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କୁ ତାତ୍ସଲ୍ୟ ପରେ ଇସ୍ତଫା ମାଗିଲେ ୪ ମନ୍ତ୍ରୀ

ନୂଆଦିଲ୍ଲୀ : ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହଙ୍କୁ ମନ୍ତ୍ରୀ ସିଦ୍ଧୁଙ୍କ ତାତ୍ସଲ୍ୟକୁ ନେଇ ଶାସକ ଦଳ ଦୁଇ ଭାଗ। ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିଥିବାରୁ ଓ ମାନୁନଥିବାରୁ ସିଦ୍ଧୁଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ରାଜ୍ୟର ୪ ଜଣ ମନ୍ତ୍ରୀ ଦାବି କରିଛନ୍ତି। ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ତ୍ରିପ୍ତ ରାଜିନ୍ଦର ବାଜୱା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦକ୍ଷତା ଉପରେ ଯଦି ଭରସା ନାହିଁ ତା ହେଲେ ସିଦ୍ଧୁ ଇସ୍ତଫା ଦେଇଦିଅନ୍ତୁ।

ରାଜସ୍ୱମନ୍ତ୍ରୀ ସୁଖବିନ୍ଦର ସିଂହ ସରକାରିଅା ମଧ୍ୟ ସିଦ୍ଧୁ ଭର୍ତ୍ସନା କରିଛନ୍ତି। ଅାଉ ଦୁଇ ମନ୍ତ୍ରୀ ରାଣା ଗୁରମିତ୍‌ ସିଂହ ସୋଢ଼ି ଏବଂ ସାଧୁ ସିଂହ ଧରମସୋତ ମଧ୍ୟ ସିଦ୍ଧୁଙ୍କ ବହିଷ୍କାର ଚାହିଁଛନ୍ତି। ଜେଲ୍ ବିଭାଗ ମନ୍ତ୍ରୀ ସୁଖଜିନ୍ଦର ସିଂହ ରାନ୍ଧୁ ମଧ୍ୟ ସିଦ୍ଧୁଙ୍କ କହିବା ଶୈଳୀ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହେଲେ ଏଭଳି ଅଭିଯୋଗକୁ ନେଇ ସିଦ୍ଧୁଙ୍କ ସ୍ତ୍ରୀ ନିଜର ପ୍ରତିକ୍ରିୟା ରଖିଛନ୍ତି। କ୍ୟାପଟେନ ଅମରିନ୍ଦରଙ୍କ ପ୍ରତି ସିଦ୍ଧୁଙ୍କ ଅନେକ ସମ୍ମାନ ରହିଥିବା ସେ କହିଛନ୍ତି। ଯଦି ସେମିତି କିଛି ଭୁଲ୍ କରିଥାନ୍ତେ, ସିଦ୍ଧୁ ନିଜଅାଡୁ ଇସ୍ତଫା ଦେଇ ଦେଇଥାନ୍ତେ ବୋଲି ସେ କହିଛନ୍ତି।

ସିଦ୍ଧୁଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଶିରୋମଣି ଅକାଳି ଦଳ ଏବଂ ବିଜେପି। ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କୁ କେହି ମାନୁନଥିବା ଏଥିରୁ ସ୍ପଷ୍ଟ ହୋଇଯାଇଛି ବୋଲି ବିରୋଧୀ କହିଛନ୍ତି। ସିଦ୍ଧୁଙ୍କ କିଛି ଭିତିରି ଅଭିଳାଷା ରହିଥାଇପାରେ ବୋଲି ଶିରୋମଣି ଅକାଳି ଦଳ ନେତା ମନଜିତ ସିଂହ ଜିକେ କହିଛନ୍ତି। ସିଦ୍ଧୁ ମାନସିକ ଭାରସାମ୍ୟ ହରାଇଥିବା ବିଜେପି କହିଛି।

ନଭେମ୍ବର ୨୮ରେ କରତାରପୁର କରଡର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ଖଲିସ୍ତାନୀ ସମର୍ଥକଙ୍କ ସହ ଫଟୋ ଉଠାଇବାକୁ ନେଇ ସିଦ୍ଧୁ ସମାଲୋଚନାର ଶିକାର ହୋଇଅାସୁଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ତୀର୍ଯ୍ୟକ୍‌ କରିବାକୁ ନେଇ ନୂଅା ବିବାଦ ଘନେଇଛି।

You might also like