କେନ୍ଦ୍ର ସରକାରଙ୍କ ଉପରେ କ୍ଷୁବ୍ଧ ହେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ ଲାଗିଥିବା କଟକଣାକୁ ନେଇ ଆଜି କେନ୍ଦ୍ର ସରକାର ଓ ସ୍ଥାନୀୟ ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। କେନ୍ଦ୍ର ସରକାର ଅଗଷ୍ଟ ୫ରୁ ଜମ୍ମୁ-କାଶ୍ମୀରରେ କଟକଣା ଲଗାଇଥିବାରୁ ଏହା ବିରୋଧରେ ଏକାଧିକ ଆବେଦନ ହୋଇଥିଲା। ଏହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ଜମ୍ମୁ-କାଶ୍ମୀର ପ୍ରଶାସନକୁ ଜବାବ ତଲବ କରିଥିଲେ। ହେଲେ କେନ୍ଦ୍ର କିମ୍ବା କାଶ୍ମୀର ପ୍ରଶାସନ ରିପୋର୍ଟ ନ ଦେବାରୁ ଆଜି ସୁପ୍ରିମକୋର୍ଟ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଆଜି ଶୁଣାଣି ବେଳେ ସୁପ୍ରିମକୋର୍ଟ ପ୍ରଥମେ ଜମ୍ମୁ-କାଶ୍ମୀର ପ୍ରଶାସନ ଉପରେ ବର୍ଷିଥିଲେ। କୋର୍ଟ କହିଥିଲେ, ଅଗଷ୍ଟ ୫ରୁ ଆସିଫା ମୁବେନଙ୍କ ସ୍ୱାମୀଙ୍କୁ ପ୍ରଶାସନ ଅଟକ ରଖିଛି। ଏହାଦ୍ୱାରା ଜଣେ ବ୍ୟକ୍ତିଙ୍କ ସ୍ୱାଧୀନା କ୍ଷୁଣ୍ଣ ହୋଇଛି। ଏନେଇ ଜମ୍ମୁ-କାଶ୍ମୀର ପ୍ରଶାସନକୁ ରିପୋର୍ଟ ମଗାଯାଇଥିଲା। ହେଲେ ଆପଣମାନେ କାହିଁକି ରିପୋର୍ଟ ଦେଉନାହାନ୍ତି? ଆପଣ କ’ଣ ନିଜ ଇଚ୍ଛା ଅନୁସାରେ କାମ କରିବେ? ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ଦେଖି ଜମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ୫ ମିନିଟ୍‌ ମଧ୍ୟରେ ସତ୍ୟପାଠ ଦାଖଲ କରାଯିବ ବୋଲି କୁହାଯାଇଥିଲା।

ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ, ମାମଲାରେ ଏକାଧିକ ଲୋକ ହସ୍ତକ୍ଷେପ କରୁଥିବାରୁ ସତ୍ୟପାଠ ଦାଖଲରେ ବିଳମ୍ବ ହୋଇଛି। କିନ୍ତୁ ଆମେ ଏବେ ସତ୍ୟପାଠ ଦାଖଲ କରିବୁ।

କେନ୍ଦ୍ରକୁ ଟାର୍ଗେଟ କରି ସୁପ୍ରିମକୋର୍ଟ କହିଥିଲେ, ଆପଣମାନେ ଆମକୁ ଏମିତି ହାଲୁକା ଭାବେ ଗ୍ରହଣ କରିପାରିବେ ନାହିଁ। କାଶ୍ମୀରରେ ଲୋକଙ୍କୁ ଅଟକ ରଖାଯାଇଛି। ହେଲେ ଅଟକ ପାଇଁ ଜାରି ହୋଇଥିବା ନିର୍ଦ୍ଦେଶନାମା କେଉଁଠି ରହିଛି? ଉଭୟ କେନ୍ଦ୍ର ଓ ଜମ୍ମୁ-କାଶ୍ମୀର ପ୍ରଶାସନ ତୁରନ୍ତ ଅଟକ ସଂକ୍ରାନ୍ତ ରିପୋର୍ଟ ଏବଂ ନିର୍ଦ୍ଦେଶନାମା କୋର୍ଟରେ ଦାଖଲ କରନ୍ତୁ।

ଏଥିସହ ମୋବାଇଲ ପୋଷ୍ଟପେଡ୍‌ ସେବା ଆରମ୍ଭ ହୋଇଥିଲେ ହେଁ ଲୋକମାନେ କଲ୍‌ କରିପାରୁ ନାହାନ୍ତି। ସେମାନଙ୍କ ମୋବାଇଲ ସେବା ବନ୍ଦ ଥିଲେ ହେଁ କେମିତି ସେମାନଙ୍କ ନାଁରେ ବିଲ୍‌ ଆସିଲା? ଉଭୟ କେନ୍ଦ୍ର ଓ ଜମ୍ମୁ-କାଶ୍ମୀର ପ୍ରଶାସନ ଏହାର ତର୍ଜମା କରନ୍ତୁ। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୪ରେ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

You might also like