ପୁଣି ରାଗିଲେ ଦିଦି, ଦେଲେନାହିଁ ଭାଷଣ

କୋଲକାତା: ପୁଣି ରାଗିଲେ ଦିଦି, ଦେଲେନାହିଁ ଭାଷଣ। ପରାକ୍ରମ ଦିବସ ସମାରୋହରେ ଭିକ୍ଟୋରିଆ ମେମୋରିଆଲ ଉତ୍ସବରେ ଭାଷଣ ଦେବାକୁ ମନା କରିଦେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଉପସ୍ଥିତ କିଛି ଲୋକ ନାରାବାଜି କରିବାରୁ ଭାଷଣ ବର୍ଜନ କରିଛନ୍ତି। ଦର୍ଶକ ସ୍ଲୋଗାନ ଦେବାରୁ ଦିଦି ରାଗିଯାଇଥିଲେ। ସରକାରୀ କାର୍ଯ୍ୟକ୍ରମର କିଛି ମର୍ଯ୍ୟାଦା ରହିବା ଦରକାର, ଅତିଥିଙ୍କୁ ଡାକି ଅପମାନ ଦେବା ଠିକ୍ ନୁହେଁ ବୋଲି ସେ କହିଛନ୍ତି। ନାରାବାଜିକୁ ପ୍ରତିବାଦ କରି ଭାଷଣ ଦେବେ ନାହିଁ ବୋଲି ମମତା କହିଥିଲେ।

କୋଲକାତାରେ ନେତାଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀକୁ ଧୁମଧାମରେ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନେତାଜୀଙ୍କ ଜନ୍ମ ଦିନକୁ ଦେଶ ନାୟକ ଦିବସ ରୂପେ ସମ୍ବର୍ଦ୍ଧନା କରି ଏକ ପଦଯାତ୍ରାର ଆୟୋଜନ କରିଥିଲେ। ଶ୍ୟାମ ବଜାରରୁ ରେଡ୍ ରୋଡ୍ ପର୍ଯ୍ୟନ୍ତ ୭ କିମିର ଏହି ପଦଯାତ୍ରାରେ ବହୁ ସଂଖ୍ୟାରେ ଦଳୀୟ କର୍ମୀଙ୍କ ସହ ସାଧାରଣ ଜନତା ସାମିଲ ହୋଇଥିଲେ।

ପଦଯାତ୍ରା ଆରମ୍ଭ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଜନ୍ମଦିନ ଜାନୁଆରି ୨୩କୁ ଜାତୀୟ ଛୁଟି ଦିବସ ଭାବେ ଘୋଷଣା କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ମମତା ଆହୁରି ମଧ୍ୟ କହିଛନ୍ତି ଯେ, ରାଜାରହାଟ ଅଞ୍ଚଳରେ ଆଜାଦ୍ ହିନ୍ଦ୍ ଫୌଜ୍ ନାମରେ ନାମିତ ଏକ ସ୍ମାରକୀ ର୍ନିମାଣ କରାଯିବ।

ଏଥି ସହ ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ ସରକାରଙ୍କ ପାଣ୍ଠିରେ ନିର୍ମିତ ହେଉଥିବା ଏକ ବିଶ୍ୱବିଦ୍ୟାଳୟ ମଧ୍ୟ ନେତାଜୀଙ୍କ ପ୍ରତି ଉତ୍ସର୍ଗ କରାଯିବ। ଏବର୍ଷ କୋଲକାତାରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ୍ ମଧ୍ୟ ନେତାଜୀଙ୍କ ପ୍ରତି ଉତ୍ସର୍ଗ କରାଯିବ। ଆସନ୍ତା ବର୍ଷ ଜାନୁଆରୀ ୨୩ ତାରିଖ ଯାଏଁ ବର୍ଷେ ବ୍ୟାପୀ ପାଳନ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ନିମନ୍ତେ ପଶ୍ଚିମବଙ୍ଗ ସରକାର ଏକ କମିଟି ମଧ୍ୟ ଗଠନ କରିଛନ୍ତି।

ଆଜି ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ। ଏହି ଦିବସକୁ ଆଜି ସାରା ଦେଶ ପରାକ୍ରମ ଦିବସ ଭାବେ ପାଳନ କରୁଛି। ହେଲେ ଏହି ପରାକ୍ରମ ଦିବସକୁ ନେଇ ମୁହାଁମୁହିଁ ହୋଇଛନ୍ତି ମମତା ବାନାର୍ଜୀ ସରକାର ଏବଂ କେନ୍ଦ୍ର। କେଉଁଠି ପରାକ୍ରମ ଦିବସ ତ କେଉଁଠି ଦେଶନାୟକ ଦିବସ ପାଳିତ ହେଉଛି । ନେତାଜୀଙ୍କ ଜନ୍ମ ଜୟନ୍ତୀଙ୍କୁ ନେଇ ଅଲଗା ଅଲଗା କାର୍ଯ୍ୟକ୍ରମ ପାଳନ ହେଉଛି  ପଶ୍ଚିମବଙ୍ଗରେ। ରାଜ୍ୟ ସରକାରଙ୍କ ପକ୍ଷରୁ ଦେଶନାୟକ ଦିବସ ପାଳନ ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଳିତ ଥର ଆରମ୍ଭ ହୋଇଛି ପରାକ୍ରମ ଦିବସ। ମୋଦି ଓ ମମତାଙ୍କ କାର୍ଯ୍ୟକ୍ରମକୁ ନେଇ ଏକରକମ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ। ରାଲି କରି ଶକ୍ତି ପ୍ରଦର୍ଶନ କରିବା ନେଇଏହାକୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେପି।

ନେତାଜୀ ସୁବାଷ ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀରେ ବିଜେପି ସରକାରକୁ ମମତା ସମାଲୋଚନା କରିବା ସ୍ୱାଧୀନତା ପୂର୍ବରୁ ଦେଶରେ ଏକ ସେନାବାହିନୀ ସହ ଯୋଜନା କମିଶନ ଗଠନ କରିବାକୁ ସୁବାଷ ବୋଷ ପରିକଳ୍ପନା କରିଥିଲେ କିନ୍ତୁ ବର୍ତ୍ତମାନର ସରକାର ଗୋଟିଏ ପଟେ ତାଙ୍କୁ ଆଦର୍ଶ ବୋଲି କହୁଥିବବେଳେ ଯୋଜନା କମିଶନକୁ ଉଛେଦ କରିଛନ୍ତି ବୋଲି କହି ବିଜେପିକୁ କଟାକ୍ଷ କରିଛନ୍ତି।

ନେତାଜୀ ସୁବାଷ ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀକୁ ପରାକ୍ରମ ଦିବସଭାବେ ପାଳନ କରିବାକୁ କେନ୍ଦ୍ରର ନିଷ୍ପତ୍ତିକୁ ମଧ୍ୟ ସମାଲୋଚନା କରିଛନ୍ତି ମମତା। ନେତାଜୀଙ୍କ ଜୟନ୍ତୀକୁ ଦେଶନାୟକ ଦିବସ ବା ଦେଶପ୍ରେମ ଦିବସ ବୋଲି ପାଳନ କରିବାକୁ ତାଙ୍କ ପୂର୍ବ ଘୋଷଣାକୁ ଆଜି ଦୋହରାଇଛନ୍ତି। ଏପରିକି ପରାକ୍ରମ ଦିବସରେ ନାମିତ କରିବାର ଆଧାରକୁ ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

You might also like