ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ୫ ଲକ୍ଷ ଟଙ୍କା ଦେଲେ ରାଷ୍ଟ୍ରପତି

ରାମ ମନ୍ଦିର ନିର୍ମାଣ କରିବା ପାଇଁ ୫ ଲକ୍ଷ ଟଙ୍କା ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ କରିବା ପାଇଁ ୫ ଲକ୍ଷ ଟଙ୍କା ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ନିଜ ବ୍ୟକ୍ତିଗତ ଆକାଉଣ୍ଟରୁ ଏହି ଟଙ୍କା ରାଷ୍ଟ୍ରପତି ଦେଇଛନ୍ତି।  ତେବେ ରାମ ମନ୍ଦିର ନିର୍ମାଣ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ଆର୍ଥିକ ସହାୟତା ଲାଗି ଆଜି ଆସିଥିବା ‘ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‍’ର ପ୍ରତିନିଧିମାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭେଟିବା ସହ ନିଜ ବ୍ୟକ୍ତିଗତ ଆକାଉଣ୍ଟ୍‌ରୁ ୫ ଲକ୍ଷ ୧୦୦ ଟଙ୍କା ପ୍ରଦାନ କରିଛନ୍ତି।

ତେବେ ମନ୍ଦିର ନିର୍ମାଣ ଲାଗି ୫୨,୫୦,୦୦ ଗାଁରେ ପାଣ୍ଠି ସଂଗ୍ରହ ଅଭିଯାନ ଚାଲିବ ଏବଂ ସଂଗୃହୀତ ଟଙ୍କା ୪୮ ଘଣ୍ଟା ମଧ୍ୟରେ ବ୍ୟାଙ୍କ୍‌ରେ ଜମା କରାଯିବ ବୋଲି ସୂଚନା ମଧ୍ୟ ରହିଛି । ୨୦,୦୦୦ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର ଦାନକୁ ଚେକ୍‌ ଆକାରରେ ଗ୍ରହଣ କରାଯିବ ବୋଲି ମଧ୍ୟ ସୂଚନା ରହିଛି।

ତେବେ ରାମ ମନ୍ଦିର ନିର୍ମାଣ କରିବା ଲାଗି ଜୋରସୋରରେ କାମ ଆଗେଇ ଚାଲିଛି। ଦେଶର ଅନେକ ସ୍ଥାନରୁ ଦାନ ଆକାରରେ ଟଙ୍କା ମଧ୍ୟ ଆସୁଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପ୍ରସଙ୍ଗ ନେଇ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ବୈଠକ ପୂର୍ବରୁ ବସିଛି। ନିଷ୍ପତ୍ତି ଅନୁସାରେ,  ୩୬ରୁ ୪୦ ମାସ ମଧ୍ୟରେ ମନ୍ଦିର ନିର୍ମାଣ କାମ ସରିବ। ମନ୍ଦିରରେ କୌଣସି ଲୁହାର ବ୍ୟବହାର ହେବନାହିଁ। ରାଜସ୍ଥାନର ପାହାଡ଼ପୁରର ବାଲି ପଥରରେ ନିର୍ମିତ ହେବ ପ୍ରଭୁ ଶ୍ରୀରାମଙ୍କ ଏହି ଭବ୍ୟ ମନ୍ଦିର। ମନ୍ଦିର ପଥରରେ ତିଆରି ହେବା ଦ୍ୱାରା ହଜାରେ ବର୍ଷ ପର୍ଯ୍ୟନ୍ତ ତିଷ୍ଟି ରହିପାରିବ ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି। IIT ଚେନ୍ନାଇର ବେଷ୍ଟ ମାଇଣ୍ଡ୍ ଓ ସେଣ୍ଟ୍ରାଲ୍‌ ବିଲ୍‌ଡିଂ ରିସର୍ଚ ଇନ୍‌ଷ୍ଟିଟ୍ୟୁଟ୍‌ ମନ୍ଦିର ନିର୍ମାଣ କର୍ଯ୍ୟରେ ଲାଗିବେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।

ଏହାସହ ଅଯୋଧ୍ୟା ରାମ ମନ୍ଦିରରେ ଲାଗିବ ବିରାଟ ଘଣ୍ଟି। ଯାହାର ଓଜନ ୬୧୩ କିଲୋଗ୍ରାମ, ଉଚ୍ଚତା ୪.୧ ଫୁଟ୍ ଓ ଚଉଡ଼ା ୩.୯ ଫୁଟ୍ ବୋଲି ଜଣାପଡ଼ିଛି। ଏପରିକି ଏହି ଘଣ୍ଟି ବାଜିଲେ ଏଥିରୁ ‘ଓମ୍‌’ ଶବ୍ଦ ମଧ୍ୟ ଶୁଭିବ। ଖାଲି ଏତିକି ନୁହେଁ ଘଣ୍ଟିରୁ ଶବ୍ଦ ବାହାରିଲେ ଏହା ୧୦ କିଲୋମିଟର ପର୍ଯ୍ୟନ୍ତ ଶୁଭିବ।

ଚେନ୍ନାଇ ସ୍ଥିତ ଲିଗାଲ୍ ରାଇଟ୍ସ କାଉନସିଲ୍ ପକ୍ଷରୁ ତାମିଲନାଡୁର ରାମେଶ୍ୱରମରୁ ବାହାରିଥିବା ‘ରାମ ରଥଯାତ୍ରା’ ଅଯୋଧ୍ୟାରେ ପହଞ୍ଚି ପରେ ଏହି ବିରାଟ ଘଣ୍ଟିକୁ ମନ୍ଦିର ଟ୍ରଷ୍ଟକୁ ହସ୍ତାନ୍ତର କରାଯାଇଥିଲା। ବିରାଟ ଘଣ୍ଟି ସହ ପ୍ରଭୁ ରାମ, ପ୍ରଭୁ ଲକ୍ଷ୍ମଣ, ମାତା ସୀତା, ପ୍ରଭୁ ହନୁମାନ ଓ ପ୍ରଭୁ ଗଣେଶଙ୍କର ମୂର୍ତ୍ତି ମଧ୍ୟ ସଂସ୍ଥା ପକ୍ଷରୁ ପ୍ରଦାନ କରାଯାଇଥିଲା।

You might also like