ବିକ୍ଷୋଭକାରୀଙ୍କୁ ଟ୍ରମ୍ପଙ୍କ ଚେତାବନୀ: ହିଂସା ନଥମିଲେ ସେନା ମୁତୟନ ହେବ
ୱାଶିଂଟନ: ଆମେରିକାରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୟେଡ୍ ମୃତ୍ୟୁ ଘଟଣାକୁ ନେଇ ଦେଶବ୍ୟାପୀ ଚାଲିଥିବା ବିକ୍ଷୋଭ ବିରୋଧରେ ଆଭିମୁଖ୍ୟ କଡ଼ା କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ହିସାକାଣ୍ଡକୁ ଆଭ୍ୟନ୍ତରୀଣ ଆତଙ୍କବାଦ କହିବା ସହ ଆନ୍ଦୋଳନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସବୁ ଗଭର୍ଣ୍ଣରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି। ହିଂସା ନଥମିଲେ ସେନା ମୁତୟନ କରାଯିବ ବୋଲି ଟ୍ରଂପ ଚେତାବନୀ ଦେଇଛନ୍ତି। ସେପଟେ ପୋଲିସ କାର୍ଯ୍ୟାନୁଷ୍ଠାନରେ ମୃତ ଫ୍ଲୟେଡଙ୍କ ଶବ ବ୍ୟବଛେଦ ରିପୋର୍ଟ ଆସିଛି। ଗଳାରେ ଅତ୍ୟଧିକ ଚାପ ଯୋଗୁ ମୃତ୍ୟୁ ହୋଇଥିବା କୁହାଯାଇଛି।
ପୋଲିସ କାର୍ଯ୍ୟାନୁଷ୍ଠାନରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡ୍ ମୃତ୍ୟୁ ଘଟଣାକୁ ନେଇ ଆମେରିକାରେ ତେଜିଛି ପ୍ରତିବାଦର ନିଆଁ। ଦେଶର ବିଭିନ୍ନ ସ୍ଥାନରେ ଜଳାପୋଡ଼ା, ଭଙ୍ଗାରୁଜା ଓ ଲୁଟ୍ତରାଜ ଘଟିଛି। ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିବା ସହ ପୋଲିସ ବର୍ବରତା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।
ଗତକାଲି ହ୍ୱାଇଟହାଉସ୍ ଆଗରେ ଜୋରଦାର ବିକ୍ଷୋଭ କରାଯାଇଥିଲା ଫଳରେ ଆନ୍ଦୋଳନକାରୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ପୋଲିସ ଲୁହ ବୁହା ଗ୍ୟାସ ପ୍ରୟୋଗ କରିବା ସହ ଶତାଧିକ ଲୋକଙ୍କୁ ଗିରଫ କରିଥିଲା ସ୍ଥିତିକୁ ଦେଖି ୱାଶିଂଟନ୍ ଡିସି ସହ ୪୦ଟି ସହରରେ କର୍ଫ୍ୟୁ ଜାରି କରାଯାଇଛି। ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଟ୍ରମ୍ପ ବିଭିନ୍ନ ପ୍ରଦେଶର ଗଭର୍ଣ୍ଣରମାନଙ୍କୁ କହିଛନ୍ତି। ତେବେ ଜର୍ଜ ଫ୍ଲଏଡଙ୍କ ପରିବାରକୁ ନ୍ୟାୟ ଦେବାରେ ସରକାର କୌଣସି ଅବହେଳା କରିବେ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ପୋଲିସ କାର୍ଯ୍ୟାନୁଷ୍ଠାନରେ ମୃତ୍ୟୁ ହୋଇଥିବା ଜର୍ଜ ଫ୍ଲୟେଡଙ୍କ ଶବ ବ୍ୟବଛେଦ ରିପୋର୍ଟ ଆସିଛି। ଫ୍ଲଏଡ୍ଙ୍କ ବେକରେ ପୋଲିସ ଅଫିସର ଡେରେକ ଚୌଭିନ ଆଣ୍ଠୁ ପକାଇ ମାଡ଼ିପଡ଼ିଥିବା ଦୃଶ୍ୟ ଭାଇରାଲ ହେବା ପରେ ଦେଶବ୍ୟାପୀ ଜୋରଦାର ପ୍ରତିକ୍ରିୟା ପ୍ରକାଶ ପାଇଛି।
ନିଶ୍ୱାସ ନେଇପାରୁନଥିବା ଫ୍ଲଏଡ ବାରମ୍ବାର ଅନୁରୋଧ କରୁଥିଲେ ବି ପୋଲିସ ଅଫିସର ଡେରେକ୍ ତାଙ୍କୁ ଛାଡ଼ି ନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଆସନ୍ତା ୯ ତାରିଖରେ ହଷ୍ଟନରେ ଫ୍ଲଏଡଙ୍କ ଅନ୍ତିମ ସଂସ୍କାର କରାଯିବ। ସେହିପରି ମିନେସୋଟା ଓ ନର୍ଥ କେରୋଲିନାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ। ପୂର୍ବତନ ବକ୍ସିଂ ଚାମ୍ପିଅନ ଫ୍ଲଏଡ ମେୱେଦର ଏସବୁ କାର୍ଯ୍ୟକ୍ରମର ଖର୍ଚ୍ଚ ବହନ କରିବାକୁ ଘୋଷଣା କରିଛନ୍ତି।