ଭାରତ ଓ ଚୀନ ସୀମା ବିବାଦରେ ମଧ୍ୟସ୍ଥତା ଲାଗି ଆମେରିକାର ପ୍ରସ୍ତାବ

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦରେ ମଧ୍ୟସ୍ଥତା ଲାଗି ପ୍ରସ୍ତାବ ଦେଇଛନ୍ତି ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ସେ ଉଭୟ ଦେଶକୁ ଜଣାଇ ଥିବା ଟ୍ରମ୍ପ ଟୁଇଟ୍ କରିଛନ୍ତି। ଏପଟେ ପ୍ରକୃତ ନିୟନ୍ତ୍ରଣ ରେଖା ବା LACରେ ମାସେ ଧରି ଲାଗି ରହିଥିବା ଛକାପଞ୍ଝା ଓ ଉତ୍ତେଜନା ଭିତରେ ସ୍ୱର ନରମ କରିଛି ଚୀନ।

ଭାରତ-ଚୀନ୍ ପରସ୍ପର ପ୍ରତି ବିପଦ ନୁହନ୍ତି ବୋଲି କହିଛନ୍ତି ନୂଆଦିଲ୍ଲୀରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ ସନ୍ ଓ୍ୱିଡୋଙ୍ଗ। ସୀମାରେ ସ୍ଥିତି ସ୍ଥିର ରହିଛି ଓ ଉଭୟ ଦେଶ ମଧ୍ୟରେ ସହଯୋଗ ଆହୁରି ଘନିଷ୍ଠ ହେବା ଚୀନ୍ ଚାହେଁ ବୋଲି ସେ କହିଛନ୍ତି।

ଲଦାଖରେ ମାସେରୁ ଅଧିକ ସମୟ ହେଲା ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗି ରହିଛି। ଚୀନ୍ ସୈନ୍ୟ ବାରମ୍ବାର ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିଆସୁଛନ୍ତି। ଏହାକୁ ନେଇ କିଛି ଦିନ ତଳେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଠେଲାପେଲା ଓ ଟେକାପଥର ମାଡ଼ରେ ଉଭୟ ଦେଶର କିଛି ସୈନ୍ୟ ଆହତ ବି ହୋଇଥିଲେ।

ସେହିପରି ଭାରତୀୟ ପାଟ୍ରୋଲ ପାର୍ଟିକୁ ଚୀନ୍ ସୈନ୍ୟ କିଛି ସମୟ ଲାଗି ଅଟକ ବି ରଖିଥିଲେ। ଏହାପରଠୁ ଉଭୟ ଦେଶ ସେମାନଙ୍କ ସୈନ୍ୟ ସଂଖ୍ୟା ବଢ଼ାଇ ଚାଲିଛନ୍ତି। ଏପଟେ ସୀମାରେ ଉତ୍ତେଜନାକୁ ନେଇ ଗତକାଲି ପ୍ରଧାନମନ୍ତ୍ରୀ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଓ ଜାତୀୟ ସୁରକ୍ଷା ପରାମର୍ଶଦାତ୍ତାଙ୍କ ସହ ଆଲୋଚନା କରିଥିଲେ।

ସେହିପରି ଆଜିଠୁ ଦିଲ୍ଲୀରେ ଆରମ୍ଭ ହୋଇଥିବା କମାର୍ଣ୍ଡସ ସମ୍ମିଳନୀରେ ବି ସୀମାରେ ଉତ୍ତେଜନା ପ୍ରସଙ୍ଗ ସ୍ଥାନ ପାଇଛି। ତେବେ ୨୦୧୭ ଡୋକଲାମ ଭଳି ଭାରତ ଇଞ୍ଚେ ବି ପଛକୁ ଘୁଞ୍ଚିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି। ଭାରତର କଡ଼ା ଆଭିମୁଖ୍ୟ ଚୀନ୍‌କୁ ମନ ପରିବର୍ତ୍ତନ ଲାଗି ବାଧ୍ୟ କରିଥିବା କୁହାଯାଉଛି।

You might also like