ହ୍ୱାଇଟ୍‌ ହାଉସ୍‌ ଛାଡ଼ିବା ପରେ ଏବେ କେଉଁଠି ରହୁଛନ୍ତି ଟ୍ରମ୍ପ ?

ୱାଶିଂଟନ୍‌: ହ୍ୱାଇଟ୍‌ ହାଉସ୍‌ ଛାଡ଼ିବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେଉଁ ଆଡ଼େ ଯିବେ ? କେଉଁଠି ରହିବେ ? ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଶେଷରେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଟ୍ରମ୍ପ। ବୁଧବାର ଦିନ ୱାଶିଂଟନ୍‌ରୁ ବାହାରି ଟ୍ରମ୍ପ ଫ୍ଲୋରିଡାର ପାମ୍‌ ବିଚ୍‌ ସ୍ଥିତ Mar-a-Lago ରିସର୍ଟରେ ପହଞ୍ଚିଛନ୍ତି। ଏଠାରେ ଟ୍ରମ୍ପ ରହିବେ ବୋଲି ଜଣାପଡ଼ିଛି।

Mar-a-Lago ଫ୍ଲୋରିଡାର ଏକ ଐତିହାସିକ ସ୍ଥାନ। ସମୁଦ୍ର କୂଳରେ ଥିବା ଏହି ରିସର୍ଟ ବହୁତ ସୁନ୍ଦର ଏବଂ ଆଲିଶାନ। ୧୯୨୭ରେ ଏହାର ନିର୍ମାଣ କରାଯାଇଥିଲା। ଏହି ରିସର୍ଟରେ ୧୨୬ଟି ରୁମ୍‌ ଓ ଏକ ଏକ କ୍ଲବ୍‌ ମଧ୍ୟ ଅଛି। ସଦସ୍ୟତା‌ ଆଧାରରେ ଲୋକମାନଙ୍କୁ ଏହି କ୍ଲବ୍‌କୁ ପ୍ରବେଶ ପାଇଁ ଅନୁମତି ମିଳିଥାଏ। ୧୯୮୫ରେ ପାଖାପାଖି ୭୩ କୋଟି ଟଙ୍କାରେ ଟ୍ରମ୍ପ ଏହାକୁ କିଣିଥିଲେ।

ବୁଧବାର ଦିନ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ଶପଥ ଗ୍ରହଣ କରିବା ପୂର୍ବରୁ ଟ୍ରମ୍ପ ସରକାରୀ ବିମାନ ଏୟାର ଫୋର୍ସ ୱାନ୍‌ରେ ଫ୍ଲୋରିଡାରେ ପହଞ୍ଚିଥିଲେ। ଯେଉଁଠି ଏହି ଆଲିଶାନ୍‌ ରିସର୍ଟ ରହିଛି।

ଏହାପୂର୍ବରୁ କିଛି ରିପୋର୍ଟରେ କୁହାଯାଇଥିଲା ଯେ, ଯଦି ଟ୍ରମ୍ପ ବହୁତ ଦିନ ଧରି Mar-a-Lago ରିସର୍ଟରେ ରୁହନ୍ତି ତା’ହେଲେ ଅଡ଼ୁଆ ସୃଷ୍ଟି ହୋଇପାରେ। କାରଣ ଏଠାରେ ରହୁଥିବା ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଯଦି ଟ୍ରମ୍ପ ଦୀର୍ଘ ଦିନ ଏଠାରେ ରହିବେ ତା’ହେଲେ ସୁରକ୍ଷା ମଧ୍ୟ କଡ଼ାକଡ଼ି ହେବ। ଫଳରେ ଏହାଦ୍ୱାରା ଅନ୍ୟ ଲୋକମାନେ ଅସୁବିଧାରେ ପଡ଼ିପାରନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ କେତେଦିନ ଟ୍ରମ୍ପ ଏହି ରିସର୍ଟରେ ରହିବେ। ଏହାସହ ତାଙ୍କର ଆଗାମୀ ରାଜନୈତିକ ଯୋଜନା କ’ଣ ରହିବ ସେନେଇ ମଧ୍ୟ କିଛି ସ୍ପଷ୍ଟ ହୋଇନାହିଁ। ଏକ ରିପୋର୍ଟ ଅନୁସାରେ, ଟ୍ରମ୍ପ ତାଙ୍କ ସହଯୋଗୀଙ୍କ ସହ ନୂଆ ପାର୍ଟି ଗଠନ କରିବା ନେଇ ଚର୍ଚ୍ଚା ହେଉଛି।

You might also like