ଲକଡାଉନରେ ବଢ଼ିଛି ଆତ୍ମହତ୍ୟା ଓ ଘରୋଇ ହିଂସା!
ନୂଆଦିଲ୍ଲୀ: କରୋନା ଭଳି ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଲକଡାଉନ ଜାରି କରାଯାଇଥିଲା। କିନ୍ତୁ ଏହି ଲକଡାଉନ୍ ସମୟରେ ସାରା ଦେଶରେ ଘରୋଇ ହିଂସାର ମାମଲା ବଢ଼ିଥିବା ଏକ ସର୍ଭେରୁ ଜଣାପଡ଼ିଛି। ଜାତୀୟ ମହିଳା ଆୟୋଗ (ଏନଡବ୍ଲ୍ୟୁସି) ଦେଶବ୍ୟାପୀ ବନ୍ଦ ପୂର୍ବରୁ ଓ ପରର ୨୫ ଦିନରେ ବିଭିନ୍ନ ସହରରେ ମିଳିଥିବା ଅଭିଯୋଗ ଆଧାରରେ ଏକ ଖୁଲାସା କରିଛି ଯେ ଲକଡାଉନ୍ ସମୟରେ ଘରୋଇ ହିଂସାର ମାମଲା ଦୁଇଗୁଣା ବଢ଼ିଛି।
ମହିଳା ଆୟୋଗର ଏହି ରିପୋର୍ଟ ଅନୁଯାୟୀ, ଲକଡାଉନ୍ ପୂର୍ବରୁ ଘରୋଇ ହିଂସାର ୧୨୩ ଅଭିଯୋଗ ମିଳିଥିଲା। ତେବେ ଲକଡାଉନ୍ ସମୟରେ ଅନଲାଇନ୍ କିମ୍ବା ଅନ୍ୟ ମାଧ୍ୟମରେ ଘରୋଇ ଉତ୍ପୀଡ଼ନର ୨୩୯ ମାମଲା ମିଳିଥିବା ମହିଳା ଆୟୋଗର ରିପୋର୍ଟରେ କୁହାଯାଇଛି। ଜାତୀୟ ମହିଳା ଆୟୋଗର ରିପୋର୍ଟ ପରେ ପଞ୍ଜାବର ଲୁଧିଆନାର ଡିସିପି ଅଖିଲ ଚୌଧୁରୀ ମଧ୍ୟ ଲକଡାଉନରେ ଘରୋଇ ହିଂସା ବଢ଼ିଥିବା କଥା ସ୍ୱୀକାର କରିଛନ୍ତି।
Preliminary probe suggests that depression, unemployment & financial problems are some of the reasons behind suicides. It has also been seen that suicidal tendency is increasing among people between 30-40 age group: Ludhiana Deputy Commissioner of Police Akhil Chaudhary https://t.co/ckTqCe09B5
— ANI (@ANI) June 28, 2020
ଡିସିପି ଅଖିଲ ଚୌଧୁରୀ କହିଛନ୍ତି, “ପଞ୍ଜାବର ଲୁଧିଆନାରେ ଲକଡାଉନ୍ ସମୟରେ ଆତ୍ମହତ୍ୟା ଓ ଘରୋଇ ହିଂସା ମାମଲା ବଢ଼ିଛି। ୨୦୨୦ରେ ଲକଡାଉନ୍ ପୂର୍ବରୁ ୬୦ଜଣ ଆତ୍ମହତ୍ୟା ମାମଲା ଏବଂ ଘରୋଇ ହିଂସାର ୮୫୦ ଅଭିଯୋଗ ଆସିଥିଲା। କିନ୍ତୁ ଲକଡାଉନ୍ ସମୟରେ ଆତ୍ମହତ୍ୟାର ୧୦୦ ମାମଲା ଓ ୧୫୦୦ ଘରୋଇ ହିଂସା ଅଭିଯୋଗ କରାଯାଇଛି।”
ଏହା ପୂର୍ବରୁ ଜାତୀୟ ମହିଳା ଆୟୋଗ କହିଥିଲା ଯେ ଲକଡାଉନ୍ ସମୟରେ ଯୌତୁକ ନିର୍ଯ୍ୟାତନା ମାମଲା ସଂଖ୍ୟା କମିଛି। ପ୍ରଥମ ୨୫ ଦିନରେ ଏହାର ୪୪ ଅଭିଯୋଗ ମିଳିଥିଲା। ତେବେ ଲକଡାଉନ୍ ବେଳେ ୩୭ ମାମଲା ସାମ୍ନାକୁ ଆସିଥିଲା। ଏହିପରି ଭାବେ ପ୍ରଥମ ୨୫ ଦିନରେ ନିର୍ଯ୍ୟାତନାର ୨୫ ମାମଲା ଆସିଥିବା ବେଳେ ଲକଡାଉନ୍ ବେଳେ ମାତ୍ର ୧୫ ଅଭିଯୋଗ ଦାୟର ହୋଇଥିଲା। ଏହାବ୍ୟତୀତ ହେଲ୍ପଲାଇନକୁ କରୋନା ସମ୍ବନ୍ଧିତ ପ୍ରଶ୍ନ ପଚାରିବା ପାଇଁ ୧୬୭୭ ଫୋନ୍ ହୋଇଛି ଏବଂ ୨୩୭ ଲୋକେ ରୋଗର ସହାୟତା ପାଇଁ କଲ୍ କରିଛନ୍ତି।