ବଛା ବଛା ପୋଲିସ ଅଫିସରଙ୍କୁ ପଛରେ ପୁରସ୍କାର ଜିତିନେଲା କୁକୁର

ନୂଆଦିଲ୍ଲୀ: ଚୋରକୁ ଧରିବା ହେଉ କି, ଚୋରି ସାମଗ୍ରୀ ଠାବ କରିବା, ସବୁଠି କାମରେ ଆସେ ସନ୍ଧାନୀ କୁକୁର ରୁବି । ଏଥିପାଇଁ ରୁବିକୁ ସମ୍ମାନିତ କରିଛି ଛତିଶଗଡ଼ର ରାଇଗଡ଼ ପୋଲିସ । ପୋଲିସ କର୍ମଚାରୀଙ୍କୁ ପଛରେ ପକାଇ ରୁବିକୁ ଶ୍ରେଷ୍ଠ ପୋଲିସ କର୍ମଚାରୀ ପୁରସ୍କାର ଦିଆଯାଇଛି ।

ବଛା ବଛା ପୋଲିସ ଅଧିକାରୀଙ୍କୁ ପଛରେ ପକାଇ ଦେଲା ସନ୍ଧାନୀ କୁକୁର। ଶ୍ରେଷ୍ଠ ପୋଲିସ କର୍ମଚାରୀ ପୁରସ୍କାର ହାତେଇଲା ସନ୍ଧାନୀ କୁକୁର ରୁବି । ଛତିଶଗଡ ରାଇଗଡ ଜିଲ୍ଲାରେ ଏଭଳି ଘଟଣା ନଜରକୁ ଆସିଛି । ରାଇଗଡ ଜିଲ୍ଲାରେ କାର୍ଯ୍ୟ କରୁଥିବା ସନ୍ଧାନୀ କୁକୁର ରୁବିକୁ ନେଇ ଏବେ ବେଶ ଚର୍ଚ୍ଚା । ପୂର୍ବରୁ ନିଜର ଦକ୍ଷତା ପାଇଁ ଅନେକ ପ୍ରଶଂସା ସାଉଁଟି ଥିବା ଏହି ସନ୍ଧାନୀ କୁକୁର ଚଳିତମାସ ପାଇଁ ଶ୍ରେଷ୍ଠ ପୋଲିସ କର୍ମଚାରୀ ପୁରସ୍କାର ମିଳିଛି।

କିଛି ଦିନ ତଳେ ସାରଙ୍ଗଗଡ ରାଜମହଲରୁ ପ୍ରାୟ ୬ ଲକ୍ଷ ଟଙ୍କାର ରୂପା ଗହଣା ଚୋରି ହୋଇଥିଲା । ଏ ନେଇ ପୋଲିସ ପକ୍ଷରୁ ଖୋଳତାଡ ଚାଲିଥିଲେ ମଧ୍ୟ କୌଣସି ସୁରାକ ମିଳି ନ ଥିଲା । କିନ୍ତୁ ସନ୍ଧାନୀକୁକୁର ରୁବିର ସହାୟତାରେ ପୋଲିସ ଚୋରି ଗହଣା ଜବତ କରିବା ସହ ଲୁଟେରାମାନଙ୍କୁ ଧରିବାକୁ ସକ୍ଷମ ହୋଇଛି ..।

ସନ୍ଧାନୀ କୁକୁର ରୁବି ସହ ତାର ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଗତ ଦୁଇବର୍ଷ ହେଲା ଟ୍ରାକର ଡଗ୍ ରୁବି ଅନେକ ଜଟିଳ କେସର ଗୁରୁତ୍ୱପୂର୍ଣ୍ଣ ସୁରାକ ଦେଇଛି। ସେହି ସୁରାକ ଆଧାରରେ ହିଁ ପୋଲିସ ଟିମ୍ ଅନେକ ଅପରାଧୀଙ୍କୁମାନଙ୍କୁ ଧରିପାରିଛି ବୋଲି ରାଇଗଡ ଏସପି କହିଛନ୍ତି। ଶ୍ରେଷ୍ଠ ପୋଲିସ କର୍ମଚାରୀ ପୁରସ୍କାର ପାଇଥିବାରୁ ରାଇଗଡ ଜିଲ୍ଲାର ସବୁ ଥାନାରେ ସନ୍ଧାନୀ କୁକୁର ରୁବିର ଫଟୋ ରହିବ ।

You might also like