ମୃତ୍ୟୁ ମୁଖରୁ କରୋନା ସଂକ୍ରମିତ ନବଜାତର ଜୀବନ ବଞ୍ଚାଇଲେ ଡାକ୍ତର

ହାଇଦ୍ରାବାଦ: ହାରିଲା କରୋନା, ଜିତିଲା ନବଜାତ। ମୃତ୍ୟୁ ମୁଖରୁ କରୋନା ସଂକ୍ରମିତ ନବଜାତର ଜୀବନ ବଞ୍ଚାଇଲେ ଡାକ୍ତର। କରୋନାକୁ ମାତ ଦେଇଥିବା ହାଇଦ୍ରାବାଦର ସବୁଠାରୁ କମ ବୟସର ଏହି ଶିଶୁର ଚିକିତ୍ସା ହସ୍ପିଟାଲରେ ଜାରି ରହିଥିଲା। ସୂଚନା ଅନୁସାରେ, ଏପ୍ରିଲ ୧୭ରେ କରୋନା ସଂକ୍ରମିତ ଜଣେ ମହିଳା ୭ ମାସରେ ଏକ ପ୍ରିମାଚ୍ୟୁର ସନ୍ତାନକୁ ଜନ୍ମ ଦେଇଥିଲେ। ଜନ୍ମ ହେବାପରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିଲା ଓ ଠିକ ଭାବରେ ସେ ନିଃଶ୍ୱାସପ୍ରଶ୍ୱାସ ନେଇ ପାରୁନଥିଲେ। ଫଳରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖିବାକୁ ପଡ଼ିଥିଲା। ଜନ୍ମ ସମୟରେ ଶିଶୁଟିର ଓଜନ ୧୦୦୦ ଗ୍ରାମ ଥିଲା।

ପ୍ରାରମ୍ଭରେ ଶିଶୁଟିର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା। ସମୟ ପୂର୍ବରୁ ଜନ୍ମଗ୍ରହଣ କରିଥିବାରୁ ନିଃଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିବା ଭାବି ଡାକ୍ତର ଚିକିତ୍ସା କରିଥିଲେ। ହେଲେ ଜନ୍ମ ହେବାର ୮ମ ଦିନରେ ଶିଶୁଟିର ଅକ୍ସିଜେନ ଲେଭଲ କମିବା ସହ ଓଜନ ମଧ୍ୟ ହ୍ରାସ ପାଇବାରେ ଲାଗିଥିଲା। ଏହାପରେ RTPCR ଟେଷ୍ଟ କରାଯାଇଥିଲା ଓ ରିପୋର୍ଟ କରୋନା ପଜିଟିଭ ଆସିଥିଲା। ସେପର୍ଯ୍ୟନ୍ତ ଶିଶୁଟିର ଓଜନ ୯୨୦ ଗ୍ରାମ ହୋଇସାରିଥିଲା। ଫଳରେ ଶିଶୁଟିକୁ ଭେଣ୍ଟିଲେଟରରେ ରଖାଯାଇଥିଲା ଓ କୋଭିଡ ଆଇସୋଲେସନ ICUକୁ ସ୍ଥାନାନ୍ତର କରାଯାଇଥିଲା।

ଲଗାତାର ଭାବେ ଡାକ୍ତରମାନେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ। ଧୀରେଧୀରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା। ଶେଷରେ ଶିଶୁଟି କରୋନାକୁ ହରାଇ ସୁସ୍ଥ ଲାଭ କରିଥିଲା। ମେ ୧୭ରେ ଶିଶୁଟିକୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ଓ ସେହି ସମୟରେ ଶିଶୁଟିର ଓଜନ ୧୫୦୦ ଗ୍ରାମ ଥିଲା।

ଦେଶରେ କମୁଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୪୦ ହଜାର ୮୪୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ମୋଟ୍‌ ୩୭୪୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୯୯ ହଜାର ୨୬୬କୁ ବୃଦ୍ଧି ପାଇଛି।

You might also like