ମୃତ ଘୋଷଣା କଲେ ଡାକ୍ତର, ଅଧ ରାତିରେ ଝିଅ କହିଲା- ବାପାଙ୍କ ଗୋଡ଼ହାତ ହଲୁଛି, ତା’ପରେ…

ସୁଲତାନପୁର: ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଲୋକ ମୃତଦେହକୁ ଘରକୁ ଆଣି ଫ୍ରିଜର ବକ୍ସରେ ରଖିଥିଲେ। ହେଲେ କିଛି ସମୟ ପରେ ଶବ ଉପରେ ପଡ଼ିଥିବା ଚାଦର ହଠାତ ହଲିଥିଲା। ପରିବାର ଲୋକ ଏହା ଦେଖି ଆମ୍ବୁଲାନ୍ସ ଡକାଇ ହସ୍ପିଟାଲ ନେଇଥିଲେ ଓ ପଖାପାଖି ୭ ଘଣ୍ଟା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଉତ୍ତରପ୍ରଦେଶ ସୁଲତାନପୁରରେ ଏହି ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଚିକିତ୍ସାରେ ଅବହେଳା ଯୋଗୁ ଏଭଳି ଘଟିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, କୋତୱାଲି ନଗର ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ, ଗୁରୁବାର ଅପରାହ୍ନ ପାଖାପାଖି ୨ଟାରେ ତାଙ୍କୁ ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ୩-୪ଟି ଇଞ୍ଜେକ୍ସନ ଦିଆଯାଇଥିଲା। ଏହାପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଆସି ନଥିଲା। ତାଙ୍କର ଅକ୍ସିଜେନର ଆବଶ୍ୟକତା ଥିଲା। ହେଲେ ହସ୍ପିଟାଲରେ ଅକ୍ସିଜେନ ସିଲିଣ୍ଡର ନାହିଁ ବୋଲି ଡାକ୍ତର କହିଥିଲେ।

ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ସରକାରୀ ହସ୍ପିଟାଲରୁ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଅକ୍ସିଜେନ ଲେବଲ ଡାଉନ ହୋଇଯାଇଥିଲା। ପ୍ରାଇଭେଟ ହସ୍ପିଟାଲରେ ରୋଗୀଙ୍କୁ ଭର୍ତ୍ତି କରିବାକୁ ମନା କରି ଦେଇଥିଲେ। ଯେଉଁ ହସ୍ପିଟାଲରେ ଅକ୍ସିଜେନ ଉପଲବ୍ଧ ସେଠାରେ ଭର୍ତ୍ତି କରିବାପାଇଁ ଡାକ୍ତର କହିଥିଲେ। ବାଧ୍ୟ ହୋଇ ପରିବାର ଲୋକ ପୁଣିଥରେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଓ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପରିବାର ଲୋକ ସନ୍ଧ୍ୟାରେ ମୃତଦେହ ଘରକୁ ଆଣିଥିଲେ। ଶୁକ୍ରବାର ସକାଳେ ଅନ୍ତିମ ସଂସ୍କାର ହେବାର ଥିଲା। ଏଥିପାଇଁ ଶବକୁ ଫ୍ରିଜର ବକ୍ସରେ ରଖାଯାଇଥିଲା। ରାତି ପ୍ରାୟ ୧୨ଟା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ଝିଅ ଫ୍ରିଜର ବକ୍ସ ନିକଟରେ ବସିଥିଲେ। ସେ ଦେଖିବାକୁ ପାଇଥିଲେ, ହଠାତ ଶବ ଉପରେ ଘୋଡାଯାଇଥିବା ଚାଦର ହଲିଥିଲା। ଏହାପରେ ସେ ପରିବାରର ଅନ୍ୟ ସଦସ୍ୟଙ୍କୁ ଏସମ୍ପର୍କରେ ଜଣାଇଥିଲେ। ଚାଦର ହଟାଇ ଚେକ କରିବା ପରେ ଜଣାପଡ଼ିଥିଲା ବ୍ୟକ୍ତି ଜଣଙ୍କର ନିଶ୍ୱାସପ୍ରଶ୍ୱାସ ଚାଲୁଛି। ପରିବାର ଲୋକ ସଙ୍ଗେସଙ୍ଗେ ଆମ୍ବୁଲାନ୍ସ ଡକାଇ ହସ୍ପିଟାଲ ନେଇଥିଲେ। ତାଙ୍କର ପଲସ ଓ ଅକ୍ସିଜେନ ଲେବଲ ଠିକ ଥିବା ଚେକଅପ ପରେ ଜଣାପଡ଼ିଥିଲା। ତେବେ ପାଖାପାଖି ୭ ଘଣ୍ଟା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଚିକିତ୍ସାରେ ଅବହେଳା ଯୋଗୁ ଏଭଳି ଘଟିଥିବା ଅଭିଯୋଗ ହୋଇଛି।

You might also like