ବାବା ରାମଦେବଙ୍କୁ ବିରୋଧ : ଜୁନ ୧ରେ କଳାପଟି ବାନ୍ଧି କାମ କରିବେ ଡାକ୍ତର

ବ୍ଲାକ୍ ହେବ ହ୍ୱାଟସଆପ୍ ଡିପି

ନୂଆଦିଲ୍ଲୀ : ଡାକ୍ତରଙ୍କୁ ନେଇ ବାବା ରାମଦେବ ଦେଇଥିବା ବୟାନକୁ ନେଇ ଉତ୍ତେଜନା ଜାରି ରହିଛି । ଦିନ ଗଡ଼ିବା ସହ ରାମଦେବ ବାବାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ପରେ ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ ବାବାଙ୍କୁ ନୋଟିସ୍ ପଠାଇଛି । ଆଉ ଏବେ ଫେଡେରସନ୍ ଅଫ୍ ରେଜିଷ୍ଟ୍ରେଡ୍ ଡକ୍ଟର ଆସୋସିଏସନ୍ ଇଣ୍ଡିଆ (FORD) ଜୁନ ୧ ରେ ସାରା ଦେଶରେ କଳା ଦିବସ ପାଳନ କରିବାକୁ ଘୋଷଣା କରିଛି ।

କରୋନା କାଳରେ ସମସ୍ତ ଡାକ୍ତର, ନର୍ସ, ପାରାମେଡ଼ିକାଲ ଷ୍ଟାଫ୍ ପିପିଇ କିଟ୍ ପିନ୍ଧି କଳା ପଟି ବାନ୍ଧି ଜୁନ ୧ରେ କାମ କରିବେ । କେବଳ ଏତିକି ନୁହେଁ ସମସ୍ତ ଡାକ୍ତର ଏହି ଦିନ ହ୍ୱାଟସଆପ ଡିପି କଳା କରିବେ ବୋଲି କହିଛନ୍ତି ଫେଡେରସନ୍ ଅଫ୍ ରେଜିଷ୍ଟ୍ରେଡ୍ ଡକ୍ଟର ଆସୋସିଏସନ୍ ଇଣ୍ଡିଆର ଅଧ୍ୟକ୍ଷ ମନୀଷ କହିଛନ୍ତି । ରାମଦେବ ବାବାଙ୍କ ବୟାନ୍ ସରକାରଙ୍କ ଟିକାକରଣ କାର୍ଯ୍ୟକ୍ରମକୁ ସିଧାସଳଖ ଟାର୍ଗେଟ କରୁଛି । ଟିକାକରଣ ବିରୋଧରେ ମିଛ ଓ ଭ୍ରମ ସୃଷ୍ଟି କରୁଛନ୍ତି ଯୋଗଗୁରୁ । ବିବାଦୀୟ ବୟାନ୍ ପାଇଁ ବାବାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ବକ୍ଷୋଭ ପ୍ରଦର୍ଶନକୁ ଆହୁରି ତୀବ୍ର କରାଯିବ ବୋଲି ଧମକ ଦିଆଯାଇଛି ।

ସେପଟେ ଡାକ୍ତରଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିବାରୁ ଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ ଆସୋସିଏସନ ( FAIMA  ) ରାମଦେବ ବାବାଙ୍କୁ ଆଇନଗତ ନୋଟିସ୍ ପଠାଇଛି । ୠଇଓଗଇ ସ୍ୱାସ୍ଥ୍ୟକର୍ମୀଙ୍କ ସହ ମିଳିତ ଭାବେ ଦେଶର ସମସ୍ତ ରେସିଡେଣ୍ଟ ଡାକ୍ତର ଏସୋସିଏସନ ପକ୍ଷରୁ ନୋଟିସ୍ ପଠାଇଛନ୍ତି ।

ବାବା ରାମଦେବ ଶସ୍ତା ପ୍ରଚାର ପାଇଁ ଏଲୋପାଥିକୁ ନେଇ ଭିତ୍ତିହୀନ ବୟାନ ଦେଇଥିବା କହିଛି FAIMA । ଯୋଗଗୁରୁ ଦେଇଥିବା ବୟାନରେ କିଛି ବି ସତ୍ୟତା ଥିଲେ ପ୍ରମାଣ ଦିଅନ୍ତୁ, ନହେଲେ କ୍ଷମାପ୍ରାର୍ଥନା କରନ୍ତୁ । ରାମଦେବଙ୍କ ବୟାନକୁ ନିନ୍ଦା କରିବା ସହ କ୍ଷମା ନମାଗିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘୋଷଣା କରିଛି FAIMA ।

କରୋନା ସଙ୍କଟ ମଧ୍ୟରେ ଦେଶରେ ଆୟୁର୍ବେଦ ଓ ଏଲୋପାଥିର ଲଢ଼େଇ ବଢ଼ିଯାଇଛି । ପୂର୍ବରୁ ଆଇଏମଏ ରାମଦେବଙ୍କୁ ମାନହାନୀ ନୋଟିସ ପଠାଇଛି  । ନିଜ ବୟାନ ପାଇଁ ୧୫ ଦିନ ଭିତରେ କ୍ଷମା ପ୍ରାର୍ଥନା କରିବେ ନଚେତ୍ ଆଇଏମଏ ତାଙ୍କ ବିରୋଧରେ ୧୦୦୦ କୋଟିର ମାମଲା କରିବ ବୋଲି ନୋଟିସ୍ କରାଯାଇଛି । ରାମଦେବଙ୍କୁ ଏହି ବୟାନ ପାଇଁ ଲିଖିତ ଭାବେ କ୍ଷମା ମାଗିବାକୁ ପଡ଼ିବ ।

You might also like