ରୋଗୀଙ୍କୁ ନିଶା ଔଷଧ ଦେଇ ଦୁଷ୍କର୍ମ କଲେ ଡାକ୍ତର

ଇନ୍ଦୋର: କରୋନାକୁ ନେଇ ସାରା ଦେଶ ଚିନ୍ତାରେ ପଡ଼ିଥିବାବେଳେ ଇନ୍ଦୋରରୁ ଆସିଛି ଏକ ଲଜ୍ଜାଜନକ ଖବର। ଲକ୍‌ଡାଉନ ସମୟରେ ଜଣେ ଡାକ୍ତର ରୋଗୀଙ୍କ ସହ ଯେପରି ବ୍ୟବହାର କରିଛନ୍ତି ତାହା କେବଳ ନିନ୍ଦନୀୟ ନୁହେଁ ବରଂ ଡାକ୍ତର ସମାଜ ପ୍ରତି ଏକ ଲଜ୍ଜା ଓ କଳଙ୍କ ।

ଇନ୍ଦୋରର ମାନବତା ନଗର ଅଞ୍ଚଳର ଜଣେ ଯୁବତୀ କରିଥିବା ଅଭିଯୋଗ ଅନୁସାରେ, ସେ ଚିକିତ୍ସା ପାଇଁ ଘରୋଇ କ୍ଲିନିକ୍‌ରେ ଜଣେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ଜଣକ ନିଶା ଔଷଧ ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ପୋଲିସ ସଂପୃକ୍ତ ଡାକ୍ତରଙ୍କୁ ଗିରଫ କରିଛି।

ସୂଚନାରୁ ଜଣାଯାଇଛି, ଯୁବତୀ ଜଣକ ଦୁଇ ଦିନ ତଳେ ଅସୁସ୍ଥ ଅବସ୍ଥାରେ ଏକ ଘରୋଇ କ୍ଲିନିକକୁ ଆସିଥିଲେ। ଡାକ୍ତର ତାଙ୍କୁ ଚିକିତ୍ସା ପରେ ଏକ ଇଞ୍ଜେକ୍ସନ ଦେଇଥିଲେ। ଇଞ୍ଜେକ୍ସନ ନେବା ପରେ ଯୁବତୀଜଣକ ଅଚେତ ହୋଇ ଯାଇଥିଲେ। ହୋସ ଫେରିବା ପରେ ଯୁବତୀଜଣକ ସବୁକଥା ଜାଣିପାରିଥିଲେ। ଘରେ ପହଞ୍ଚି ପରିବାର ଲୋକଙ୍କୁ ସବୁକଥା କହିବା ପରେ ପୋଲିସରେ ଅଭିଯୋଗ କରିଥିଲେ।
ଅନ୍ୟପକ୍ଷେ ଏକ ପ୍ରଶ୍ନ ଉଠେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଇନ୍ଦୋରରେ ଲକ୍‌ଡାଉନ କଡାକଡ଼ି ପାଳନ କରାଯାଉଛି। ଏପରି ସ୍ଥିତିରେ ଡାକ୍ତର ନଗେନ୍ଦ୍ର କିପରି କ୍ଲିନିକ୍‌ ଖୋଲିଲେ ? କାରଣ ପୂର୍ବରୁ ଇନ୍ଦୋରରେ କରୋନାରେ ୨ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଡାକ୍ତର ନିଜର ଘରୋଇ କ୍ଲିନିକ ‌ଖୋଲିଥିଲେ। କ୍ଲିନିକକୁ ଆସିଥିବା ରୋଗୀଙ୍କଠାରୁ ଉଭୟ ସଂକ୍ରମିତ ହୋଇଥିଲେ।

You might also like