ସ୍ୱାମୀ ଓ ୨ ଛୁଆଙ୍କୁ ମାରି ଡାକ୍ତରଙ୍କ ଆତ୍ମହତ୍ୟା !
ନାଗପୁର: ସ୍ୱାମୀ ଓ ୨ ଛୁଆଙ୍କୁ ମାରି ଜଣେ ୪୧ ବର୍ଷୀୟ ମହିଳା ଡାକ୍ତର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମହାରାଷ୍ଟ୍ରର ନାଗପୁର ଅଞ୍ଚଳରେ ମଙ୍ଗଳବାର ଏହି ଅଭାବନୀୟ ଘଟଣା ଘଟିଛି।
ପୋଲିସ୍ ସୂଚନା ମୁତାବକ, ଡାକ୍ତର ସୁଷମା ରାଣେ, ତାଙ୍କ ସ୍ୱାମୀ ଧୀରଜ(୪୨) ଓ ସେମାନଙ୍କର ୧୧ ବର୍ଷ ଏବଂ ୫ ବର୍ଷ ଛୁଆଙ୍କ ମୃତଦେହ କୋରାଡି ଅଞ୍ଚଳର ଓମ୍ ନଗରରେ ଥିବା ଘରୁ ଉଦ୍ଧାର କରାଯାଇଛି। ଧୀରଜ ଏକ ଇଞ୍ଜିନିୟରିଂ କଲେଜର ପ୍ରଫେସର ଥିଲେ।
ବେଡ୍ ଉପରୁ ଧୀରଜ ଓ ୨ ଛୁଆଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସୁଷମାଙ୍କ ମୃତଦେହ ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ, ମହିଳା ଡାକ୍ତରଙ୍କ ପରିବାର ସହ ରହୁଥିବା ତାଙ୍କର ଜଣେ ମାଉସୀ ମଙ୍ଗଳବାର ଦିନ ସୁଷମାଙ୍କ ବେଡ୍ରୁମ୍ କବାଟ ବାଡେଇ ଥିଲେ। ହେଲେ କୌଣସି ଉତ୍ତର ମିଳିନଥିଲେ। ଫଳରେ ସେ ପୋଲିସ୍କୁ ଏସମ୍ପର୍କରେ ଜଣାଇଥିଲେ। ଏହାପରେ ଘଟଣା ସାମ୍ନାକୁ ଆସିଥିଲା।
ଘଟଣାସ୍ଥଳରୁ ପୋଲିସ୍ ୨ଟି ସିରିଞ୍ଜ୍ ଓ ସୁଇସାଇଡ୍ ନୋଟ୍ ଜବତ କରିଛି। ଖୁସି ନ ଥିବାରୁ ଏଭଳି ଚରମ ପଦକ୍ଷେପ ନେଉଥିବା ସୁଇସାଇଡ୍ ନୋଟ୍ରେ ଉଲ୍ଲେଖ କରାଯାଇଛି। ଏହି ସୁଇସାଇଡ୍ ନୋଟ୍ ସୁଷମା ଲେଖିଥିବା କୁହାଯାଉଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ପ୍ରଥମେ ସୁଷମା ଖାଦ୍ୟରେ କିଛି ମିଶାଇ ଏହାକୁ ସ୍ୱାମୀ ଓ ୨ ଛୁଆଙ୍କୁ ଦେଇ ସେମାନଙ୍କୁ ପ୍ରଥମେ ଚେତାଶୂନ୍ୟ କରିଥିଲେ। ଏହାପରେ ସେମାନଙ୍କୁ ଇଞ୍ଜେକ୍ସନ ଦେଇ ହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।
ମହିଳା ଡାକ୍ତରଙ୍କ ସମେତ ତାଙ୍କ ସ୍ୱାମୀ ଓ ୨ ଛୁଆଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପୋଲିସ୍ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।