ଜୁନ୍ ୧ ତାରିଖରୁ ଖୋଲିବ ମନ୍ଦିର; କଂଗ୍ରେସ କହିଲା, ସାମ୍ପ୍ରଦାୟିକ ରାଜନୀତି କରନି
ବେଙ୍ଗାଲୁରୁ: ଜୁନ୍ ୧ ତାରିଖରୁ ସବୁ ମନ୍ଦିର ଖୋଲିବା ନେଇ କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛି କଂଗ୍ରେସ। ଯଦି ସରକାର ଦେବାଳୟ ଖୋଲିବା କଥା ନିଷ୍ପତ୍ତି ନେଇଛନ୍ତି ତେବେ ମସ୍ଜିଦ୍ ଓ ଚର୍ଚ୍ଚ ଆଦି ସବୁ ଧର୍ମର ଦେବାଳୟ ଖୋଲନ୍ତୁ ନହେଲେ କିଛି ଖୋଲନ୍ତୁ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଏନ୍ଏ ହରିସ।
ବେଙ୍ଗାଲୁରୁର ଶାନ୍ତିନଗରରୁ ବିଧାୟ ହୋଇଥିବା ହରିସ୍ ୟେଦୁରପ୍ପାଙ୍କ ବିରୋଧରେ ସାମ୍ପ୍ରଦାୟିକ ରାଜନୀତି କରୁଥିବା ଅଭିଯୋଗ ଆଣି ଧର୍ମକୁ ନେଇ ସେମାନେ ରାଜନୀତି କରିପାରିବେ ନାହିଁ ବୋଲି କହିବା ସହିତ ପରୋକ୍ଷରେ ବିଦ୍ରୋହର ଚେତାବନୀ ଦେଇଛନ୍ତି।
ସେ କହିଛନ୍ତି, ମସ୍ଜିଦ୍ ଓ ଚର୍ଚ୍ଚ ଖୋଲିବା ନେଇ ସରକାର ନିହାତି ଘୋଷଣା କରିବା ଦରକାର। ଏଗୁଡ଼ିକ ସମାନ ସମୟରେ ବନ୍ଦ ହୋଇଥିଲା ସମାନ ସମୟରେ ଖୋଲିବା ଦରକାର। କେବଳ ମନ୍ଦିର ଖୋଲିବା କିନ୍ତୁ ମସ୍ଜିଦ୍ ନୁହେଁ ଏଭଳି ହେଇପାରିବନି ବୋଲି ହରିସ୍ କହିଛନ୍ତି। ଯଦି ସରକାରଙ୍କର ଏଭଳି ଆଭିମୁଖ୍ୟ ରହେ ତେବେ ଲୋକ ତାଙ୍କୁ ଠିକ୍ ଶିକ୍ଷା ଦେବେ ବୋଲି ହରିସ କହିଛନ୍ତି।
ଦେଶର ପ୍ରଥମ ରାଜ୍ୟ ଅନୁସାରେ କର୍ଣ୍ଣାଟକ ସରକାର ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛି। ଜୁନ୍ ୧ ତାରିଖଠାରୁ ରାଜ୍ୟରେ ସବୁ ମନ୍ଦିର ଖୋଲିବ ବୋଲି ସରକାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯେଦୁରପ୍ପା ମଙ୍ଗଳବାର ମନ୍ତ୍ରୀ ଓ କେତେକ ଧାର୍ମିକ ସଂସ୍ଥାର ମୁଖ୍ୟଙ୍କ ସହିତ ଆଲୋଚନା କରିବା ପରେ ଏପରି ଘୋଷଣା କରିଥିଲେ।
ଘୋଷଣା ଅନୁସାରେ, ମନ୍ଦିର ଖୋଲିବା ପରେ ମନ୍ଦିର ପ୍ରଶାସନ ପାଇଁ ଏସ୍ଓପି ରହିବ। ଏହା ଅଧିନରେ କଣ ସବୁ ନିୟମ ଆସି ସେ ନେଇ ଖୁବ୍ଶୀଘ୍ର ଘୋଷଣା କରିବେ କର୍ଣ୍ଣାଟକ ସରକାର।