ଦେଶର ସବୁଠାରୁ ଦାମୀ ଘର କିଣିଲେ ରିଟେଲ କିଙ୍ଗ୍ : ମୂଲ୍ୟ ଜାଣିଲେ ଉଡ଼ିଯିବ ହୋସ୍

ରିଟେଲ କିଙ୍ଗ୍ କିଣିଲେ ମହଙ୍ଗା ଘର । ଆରବପତି ନିବେଶକ ତଥା ଡି-ମାର୍ଟର ପ୍ରତିଷ୍ଠାତା ରାଧାକିଶନ ଦମାନୀ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ସବୁଠାରୁ ମହଙ୍ଗା ଘର କିଣିଛନ୍ତି। ସବୁବେଳେ ଧଳା ପୋଷାକ ପିନ୍ଧିବା ସହ ଚାକଚକ୍ୟ ଠାରୁ ଦୂରରେ ରହୁଥିବା ଆରବପତି ନିବେଷକ ରାଧାକିଶନ ଦମାନୀ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଦେଶର ଜଣେ ସଫଳ ରିଟେଲ କିଙ୍ଗ ଓ ଶେୟାର ବଜାରରେ ନିବେଶକ ରୂପେ ସେ ବେଶ୍ ପରିଚିତ । ଆରବପତି ନିବେଶକ ରାଧାକିଶନ୍ ଦମାନୀ ଦକ୍ଷିଣ ମୁମ୍ବାଇର ମଲାବାର ହିଲ୍ସରେ ୧,୦୦୧ କୋଟି ଟଙ୍କାର ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି । ଏହା ଦେଶର ସବୁଠାରୁ ମହଙ୍ଗା ଘର ବୋଲି କୁହାଯାଉଛି । ଦମାନୀ ନିଜର ଛୋଟ ଭାଇ ଗୋପୀକିଶନ ଦମାନୀଙ୍କ ସହ ମିଶି ଏହି ଘର କିଣିଛନ୍ତି ।

୩୧ ମାର୍ଚ୍ଚରେ ୩ ପ୍ରତିଶତ ଷ୍ଟାମ୍ପ ଡ୍ୟୁଟି ଦେଇ ଘର ପଞ୍ଜୀକରଣ କରାଇଥିଲେ ଦମାନୀ । ଚଳିତ ସପ୍ତାହରେ ଡିଲ ଫାଇନାଲ ହୋଇଥିଲା । ରିହାତି ପରେ ଏହି ଘର ପାଇଁ ଦମାନୀ ପରିବାର ୩୦ କୋଟିର ଷ୍ଟାମ୍ପ ଡ୍ୟୁଟି ଦେଇଛନ୍ତି । ରିହାତି ପରେ ଏହି ଘର ପାଇଁ ଦାମାନୀଙ୍କ ପରିବାର କାର୍ଯ୍ୟାଳୟ ଷ୍ଟାମ୍ପ ଡ୍ୟୁଟି ଭାବରେ ୩୦ କୋଟି ଟଙ୍କା ଦେଇଥିବା କଥା ଇଟି ଦ୍ୱାରା ଦିଆଯାଇଥିବା ଦଲିଲ ଅନୁଯାୟୀ ଜଣାପଡ଼ିଛି । ତେବେ ଏହି ଘରରେ କିଛି ପରିବର୍ତ୍ତନ କରାଯିବ ନା  ପରିବାର  ଲୋକେ ଏହି ଘରକୁ ରହିବାକୁ ପାଇଁ ବ୍ୟବହାର କରିବେ ତାହା ସ୍ପଷ୍ଟ ହୋଇନାହିଁ ।  ଗ୍ରାଉଣ୍ଡ ପ୍ଲସ୍ ଦୁଇ ମହଲା ବିଶିଷ୍ଟ ବଙ୍ଗଳା ‘ମଧୁକୁଞ୍ଜ’ ନାରାୟଣ ଦାବୋଲକର ମାର୍ଗରେ ୧.୫ ଏକରରୁ ଅଧିକ ଅଞ୍ଚଳରେ ବ୍ୟାପିବା ସହ ଏହାର ସମୁଦାୟ ନିର୍ମାଣ କ୍ଷେତ୍ର ପ୍ରାୟ ୬୦୦୦୦ ବର୍ଗଫୁଟ ବୋଲି ଜଣାପଡ଼ିଛି ।

ଫୋବର୍ସ ଇଣ୍ଡିଆର ସୂଚନା ଅନୁସାରେ ଦମାନୀ ଦେଶର ଚତୁର୍ଥ ସବୁଠାରୁ ଧନୀ ବ୍ୟକ୍ତି । ରାଧାକିଶନ ୨୦୦୨ରେ ମୁମ୍ବାଇ ଉପନଗରୀୟ ଅଞ୍ଚଳରେ ଖୁଚୁରା ବ୍ୟବସାୟୀ ରୂପ କାମ ଆରମ୍ଭ କରିଥିଲେ । ଏହା ବ୍ୟତୀତ ତମାଖୁ ଠାରୁ ଆରମ୍ଭ କରି ବିୟର ଉତ୍ପାଦନ ପର୍ଯ୍ୟନ୍ତ ସହ ଜଡ଼ିତ  ଅନେକ କମ୍ପାନୀରେ ଦମାନୀ ଶେୟାର କିଣିଛନ୍ତି । ସେ ମୁମ୍ବାଇର ଆଲିବାଗରେ ୧୫୬ କକ୍ଷ ବିଶିଷ୍ଟ ବ୍ଲୁ ରିସୋର୍ଟର ମାଲିକ ମଧ୍ୟ ।

ଗତ ଦୁଇ ମାସ ମଧ୍ୟରେ ସମ୍ପତ୍ତି ପାଇଁ ଦମାନୀ ତୃତୀୟ ପ୍ରମୁଖ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ରାଧାକିଶନ୍ ଦମାନୀଙ୍କୁ ବଡ଼ ନିଷ୍ପତ୍ତି ଓ ରିସ୍କ ନେବାରେ ମାହିର । ବିଗତ ଦୁଇ ଦଶନ୍ଧି ଧରି ତାଙ୍କର ଯାତ୍ରା ଏହା ସ୍ପଷ୍ଟ କରୁଛି । ରିସ୍କ ନେଇ ସଂଘର୍ଷ କରି ଭାଗ୍ୟ ବଦଳାଇ ଦେଇଛନ୍ତି । ଆଜି ଅନେକ ଲୋକ ରାଧାକିନଶନଙ୍କ ସଫଳତାର ସୂତ୍ର ଜାଣିବାକୁ ଚାହୁଁଛନ୍ତି ।

ସବୁବେଳେ ଧଳା ପୋଷାକ ପରିଧାନ କରୁଥିବା ଆରବପତି ନିବେଶକ ଦମାନୀ ଷ୍ଟକରେ ନିବେଶ କରି ଆୟ କରିଥିବା ପୂରା ଟଙ୍କା ୧୯୯୦ରେ ରିଟଲେ କାରବାରରେ ଲଗାଇ ଦେଇଥିଲେ । ମାର୍ଚ୍ଚ ୨୦୧୭ରେ ଏଭେନ୍ୟୁ ସୁପରମାର୍କେଟର ଆଇପିଓ ଆସିବା ପରେ ଦମାନୀଙ୍କୁ ଭାରତର ରିଟେନ୍ କିଙ୍ଗ କୁହାଗଲା ।

ରାଧାକିଶନ ଦମାନୀଙ୍କ ବାପା ଜଣେ ଶେୟାର ବ୍ରୋକର ଥିଲେ । ବାପାଙ୍କ ଠାରୁ ଶେୟାର ବଜାରର ସୂତ୍ର ଶିଖିଥିଲେ । ପିଲାବେଳୁ ହିଁ ଶେୟାର ବଜାରର ଛୋଟ ବଡ଼ ଜିନିଷ ଜଣାଥିଲା ତାଙ୍କୁ । ବାପାଙ୍କ ମୃତ୍ୟୁ ପରେ ରାଧାକିଶନ ଦମାନୀ ଭାଇ ସହ ମିଶି ଷ୍ଟକ ମାର୍କେଟରେ ଟ୍ରେଡିଂ ଆରମ୍ଭ କରିଦେଇଥିଲେ  । ଆଉ ସୁଯୋଗ ଦେଖି ଛୋଟ କମ୍ପାନୀରେ ନିବେଶ ଆରମ୍ଭ କରିଦେଇଥିଲେ । ଏହା ବ୍ୟତୀତ ପ୍ରାରମ୍ଭିକ ଦିନରେ ଦମାନୀ ପରିବାର ବଲ ବିୟରିଂର କାରବାର ମଧ୍ୟ ଆରମ୍ଭ କରିଥିଲା। କିନ୍ତୁ କ୍ଷତି ହେବାରୁ ବ୍ୟବସାହ ଚାଲିପାରିନଥିଲା  ।

You might also like