ଯନ୍ତ୍ରଣାରେ ଛଟପଟ ହେଉଥିଲା ଦିବ୍ୟାଙ୍ଗ କୁନି ଝିଅ : ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ପାଇଁ ହସ୍ପିଟାଲକୁ ଯିବାକୁ ଦେଲେନି ପୋଲିସ୍ ବାବୁ

ମିର୍ଜାପୁର : ଇ ରିକ୍ସାରେ ବସି ବସି ଅସହ୍ୟ କଷ୍ଟ ପାଉଥିବା କୁନି ଦିବ୍ୟାଙ୍ଗ ଝିଅ । କହି, ଶୁଣି ପାରୁନଥିଲେ ବି ତା’ର ମୁହଁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଥିଲା ଯନ୍ତ୍ରଣା ତା’ପାଇଁ ଅସହ୍ୟ ହେଉଛି । ଉତ୍ତରପ୍ରଦେଶ ମିର୍ଜାପୁରରେ ଜଣେ ଅସୁସ୍ଥ ଦିବ୍ୟାଙ୍ଗ ନାବାଳିକା ରିକ୍ସାରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ସୁଦ୍ଧା ମାତ୍ର କିଛି ଦୂରରେ ଥିବା ହସ୍ପିଟାଲକୁ ଯିବାକୁ ଦେଲେନି ପୋଲିସ୍ କର୍ମୀ । ତୁରନ୍ତ ହସ୍ପିଟାଲ ନପହଞ୍ଚିଲେ ଝିଅର କିଛି ବି ହୋଇପାରେ କହିଥିଲେ ହେଁ ଖାକି ବର୍ଦ୍ଦିରେ ଥିବା କଠୋର ହୃଦୟ ଝିଅର କଷ୍ଟକୁ ଅନୁଭବ କରିପାରିଲେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ କାରକେଡ ଯିବା ସମୟରେ ସ୍ଥାନୀୟ ଅଞ୍ଚଳକୁ କଡ଼ା ସୁରକ୍ଷା ବଳୟ ଭିତରେ ରଖିଥିବାରୁ ଦିବ୍ୟାଙ୍ଗ ନାବାଳିକା ପାଇଁ ବଡ଼ ବିପଦ ସୃଷ୍ଟି କରିଥିଲା ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ମିର୍ଜାପୁର ଗସ୍ତରେ ଥିଲେ । ହେଲେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ହୋଇଥିବା କଡ଼ା ସୁରକ୍ଷା ବ୍ୟବସ୍ଥା ରେୀଗୀଙ୍କ ପାଇଁ କାଳ ସାଜିଲା । ଯୋଗୀ ଆଦିତ୍ୟନାଥ ଜିଲ୍ଲା ମଣ୍ଡଳୀୟ ହସ୍ପିଟାଲ ପରିଦର୍ଶନରେ ଆସୁଥିବା ସମୟରେ ଏପରି ଘଟଣା ଘଟିଛି । ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ହସ୍ପିଟାଲ ବାହାର ରାସ୍ତାରେ ପୁଲିସ ସୁରକ୍ଷା ଦୃଷ୍ଟିରୁ ବ୍ୟାରିକେଟ୍ ଲଗାଇ ଦେଇଥିଲେ । ସେହି ରାସ୍ତାରେ କାହାକୁ ଯିବାକୁ ଦେଉନଥିଲେ ପୋଲିସ୍ କର୍ମୀ । ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଜିଲ୍ଲା ହସ୍ପିଟାଲରେ ନପହଞ୍ଚିବା ପର୍ଯ୍ୟନ୍ତ ବ୍ୟାରିକୋଟ ଘେରାଇ ଅଞ୍ଚଳକୁ ଜଗି ବସିଥିଲା ପୋଲିସ୍ ।

ତେବେ ଏହି ସମୟରେ ଇମଲହାର କୃଷ୍ଣ କୁମାର ଗୁପ୍ତା, ଇ ରିକ୍ସାରେ ତିନି ଦିନ ଠାରୁ ଅସୁସ୍ଥ ଥିବା ନିଜ ଦିବ୍ୟାଙ୍ଗ ଝିଅକୁ ନେଇ ଜିଲ୍ଲା ହସ୍ପିଟାଲକୁ ଯାଉଥିଲେ । ମୁଖ୍ୟମନ୍ତ୍ରୀ ଯିବାପାଇଁ ପୋଲିସ ବ୍ୟାରିକେଡ୍ ଲଗାଇଥିବାରୁ ସେମାନେ ଯାଇପାରିନଥିଲେ । ବିଳମ୍ବ ହେବା କାରଣରୁ ଇ-ରିକ୍ସାରେ ବସିଥିବା ଦିବ୍ୟାଙ୍ଗ କୁନି ଝିଅଟି ଯନ୍ତ୍ରଣା ସହିପାରୁନଥିଲା । ଅନ୍ୟପଟେ ଝିଅର ଏପରି ଅବସ୍ଥା ଦେଖି ପରିବାର ଲୋକେ ମଧ୍ୟ ନିରୁପାୟ ହୋଇପଡ଼ିିଥିଲେ ।

ମାତ୍ର କିଛି ଦୂରରେ ଥିବା ହସ୍ପିଟାଲରେ ଯିବାକୁ ଦେଲେନି ପୋଲିସ୍ । ପରିବାର ଲୋକଙ୍କ କହିବା ଅନୁସାରେ ଦୁଇଟି ଭାଲ୍ୱ ସମ୍ପୂର୍ଣ୍ଣ ଖରାପ ହୋଇସାରିଥିବା ବେଳେ ଗୋଟିଏ ଭାଲ୍ୱରେ ବଞ୍ଚିଛି ଦିବ୍ୟାଙ୍ଗ ଝିଅର । ଝିଅର ବାପା କହିଛନ୍ତି, ପୋଲିସକୁ କାକୁତି ମିନତି ହେବାପରେ ମଧ୍ୟ ଛାଡ଼ିନଥିଲେ ପୋଲିସ୍ । ଝିଅର ଅବସ୍ଥା ଦେଖି ବି ଟିକିଏ ବି ପୋଲିସର ମନରେ ଦୟା ଆସିନଥିଲା କି କଠୋର ହୃଦୟ ତରଳି ଗଲାନି । ଠାର ମାଧ୍ୟମରେ ଶୀଘ୍ର ହସ୍ପିଟାଲକୁ ନେବାକୁ କହୁଥିବା ଝିଅକୁ ଦେଖି ପ୍ରିୟଜନଙ୍କ ଆଖିରୁ ଧାର ଧାର ଲୁହ ବହି ଯାଉଥିଲା । ହେଲେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ଅତିକ୍ରମ କରିବା ପର୍ଯ୍ୟନ୍ତ ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା ।

You might also like