ଶୀଲାଙ୍କୁ ବସ୍‌ରେ ପ୍ରପୋଜ କରିଥିଲେ ବିନୋଦ

ନୂଆଦିଲ୍ଲୀ:ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତ୍ରୀ ଶୀଲା ଦୀକ୍ଷିତ ଆଉ ଇହ ଜଗତରେ ନାହାନ୍ତି। ପରିବାର, ପ୍ରିୟଜନ ନୁହଁନ୍ତି, ସାରା ଦେଶ ଆଜି ତାଙ୍କୁ ଝୁରୁଛି। ସମସ୍ତେ ମନେ ପକାଉଛନ୍ତି ତାଙ୍କ ଅତୀତକୁ। ସେ କଣ କରୁଥିଲେ, ତାଙ୍କର ପସନ୍ଦ, ନାପସନ୍ଦ ଜିନିଷ କଣ ଥିଲା …ଏମିତି ଅନେକ କିଛି।

ଶୀଲାଙ୍କ ଜୀବନଶୈଳୀ ଥିଲା ସାଧାରଣ।  ଶୀଲା ଦୀକ୍ଷିତ ଗପ ବହି ପଢିବାକୁ ଖୁବ୍‌ ଭଲ ପାଉଥିଲେ। ଏହା ବ୍ୟତୀତ ୱେଷ୍ଟର୍ନ ମ୍ୟୁଜିକ ଶୁଣିବାକୁ ବି ଭଲ ପାଉଥିଲେ। ବିଭିନ୍ନ ଡିଜାଇନ୍‌ର ଜୋତା ପ୍ରତି ଥିଲା ତାଙ୍କର ଦୁର୍ବଳତା। ଏପରିକି ଭଲ ଜୋତା କିଣିବା ପାଇଁ ସେ ସାଧାରଣ ମହିଳାଙ୍କ ପରି ଜନପଥରେ ଥିବା ଦୋକାନକୁ ଚାଲି ଯାଉଥିଲେ।

ଶୀଲାଙ୍କ ଅଟୋବାୟୋଗ୍ରାଫି ‘ସିଟିଜନ ଦିଲ୍ଲୀ: ମାଇଁ ଟାଇମ୍ସ, ମାଇଁ ଲାଇଫ’ରେ ତାଙ୍କର ଜୋତା ପ୍ରେମ ବିଷୟରେ ଉଲ୍ଲେଖ ରହିଛି। ସେ ଏଥରେ ତାଙ୍କ  ପିଲାଦିନର ସ୍ମୃତି ରୋମନ୍ଥନ କରି ଲେଖିଛନ୍ତି, ଜନପଥରେ ଦୋକାନ ଖୋଲା ଯାଇଥିଲା। ଏହି ଦୋକାନର ଜିନିଷ ପାକିସ୍ତାନରୁ ଆସିଥିବା ଶରଣାର୍ଥୀଙ୍କୁ ଦିଆଯାଉଥିଲା। ଏକ ଛୋଟ ଦୋକାନରେ ଥିବା ଏକ ଜୋତା ଶୀଲାଙ୍କୁ ଖୁବ୍‌ ଭଲ ଲାଗୁଥିଲା। ମାତ୍ର ୩ ଟଙ୍କାର ଏହି ଲେଦର ଚପଲର ରଙ୍ଗ ଏବଂ ଷ୍ଟ୍ରାପ୍‌ ଖୁବ୍‌ ଆକର୍ଷଣୀୟ ଥିଲା। ସ୍କୁଲ ଯିବା ସମୟରେ ତାଙ୍କୁ ଯାହା ପକେଟ୍ ମନି ମିଳୁଥିଲା, ସେଥିରୁ କିଛି ବଞ୍ଚାଇ ରଖୁଥିଲେ ଏବଂ ସେହି ପଇସାରେ ସେ ବିଭିନ୍ନ ରଙ୍ଗର ଜୋତା କିଣିଥିଲେ।

ପରବର୍ତ୍ତୀ ସମୟରେ ତାଙ୍କର ୱେଷ୍ଟର୍ଣ୍ଣ ମ୍ୟୁଜିକ୍‌ ପ୍ରତି ରୁଚି ବଢିଥିଲା। ସେ ତାଙ୍କର ମନପସନ୍ଦର ଗୀତ ଶୁଣିବା ପାଇଁ ଘଣ୍ଟା ଘଣ୍ଟା ଧରି ରେଡିଓ ସାମ୍ନାରେ ବସୁଥିଲେ। ହଲ୍‌ରେ ବସି ଶୀଲା ଦେଖିଥିବା ପ୍ରଥମ ଫିଲ୍ମ ହେଉଛି ‘ହେଲ୍‌ମେଟ୍‌’।

ଗପବହି ପଢିବାକୁ ମଧ୍ୟ ଶୀଲା ଖୁବ୍‌ ଭଲ ପାଆନ୍ତି। ଏମିତି ସମୟ ଆସେ ଯେତେବେଳେ ତାଙ୍କୁ ନା ଟିଭି ନା ରେଡିଓ କିଛି ବି ଭଲ ଲାଗେନି । ଏହି ସମୟରେ ସେ ଗପବହି ପଢନ୍ତି। ତାଙ୍କର ପ୍ରିୟ ପୁସ୍ତକ ମଧ୍ୟରେ ରହିଛି ଏନିଡ୍‌ ବିଲ୍‌ଟନଙ୍କ ‘ଫେମସ୍‌ ଫାଇବ୍‌’, ରିଚ୍‌ମଲ କ୍ରମ୍ପଟନଙ୍କ ‘ଜଷ୍ଟ ଉଇଲିୟମ୍‌ ସିରିଜ’ ଏବଂ ଲୁଇସ୍‌ କ୍ୟାରୋଲଙ୍କ ‘ଆଲିସ୍‌ ଇନ ୱଣ୍ଡରଲାଣ୍ଡ’।

ଏଥିରେ ସେ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଶୀଲାଙ୍କ ସ୍ୱାମୀ ବିନୋଦ ଦୀକ୍ଷିତ ତାଙ୍କୁ ବସ୍‌ରେ ପ୍ରପୋଜ୍‌ କରିଥିବା ଉଲ୍ଲେଖ କରିଛନ୍ତି। ବିନୋଦ ଵିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମାଶଙ୍କର ଦୀକ୍ଷିତଙ୍କ ପୁଅ।

ବିନୋଦ ଏବଂ ଶୀଲାଙ୍କର କିଛି ସାଙ୍ଗଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ଝଗଡ଼ା ହୋଇଥିଲା। ଏହାର ସମାଧାନ ବିନୋଦ କରିଥିଲେ। ସେହି ଘଟଣା ଉଭୟଙ୍କୁ ନିକଟତର କରାଇଥିଲା। ତେବେ ବିବାହ ପାଇଁ ଉଭୟଙ୍କୁ ୨ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ବିବାହ ସମୟରେ ଉଭୟ କିଛି କରୁ ନ ଥିଲେ। ତେଣୁ ପରିବାର ଲୋକେ ଚିନ୍ତାରେ ପଡ଼ିଥିଲେ ଯେ ସେମାନେ ଚଳିବେ କେମିତି ? ତେଣୁ ଶୀଲା ତାଙ୍କ ମା’ଙ୍କ ସାଙ୍ଗ ଖୋଲିଥିବା ଏକ ସ୍କୁଲରେ ପାଠ ପଢାଉଥିଲେ ଏବଂ ବିନୋଦ ଆଇଏଏସ୍‌ ପାଇଁ ପ୍ରସ୍ତୁତ ହେଉଥିଲେ। ୧୯୫୯ରେ ବିନୋଦ ୟୁପିଏସ୍‌ସି ପାଇଥିଲେ।

 

 

 

You might also like