ଦିବ୍ୟାଙ୍ଗ ପାଇଲେ ଜୀବନର ନୂଆ ସ୍ୱାଦ; ପ୍ରକୃତିର ଶୋଭାରେ ଭୁଲିଗଲେ ଅବସାଦ

ଶ୍ରୀନଗର: ଜାମ୍ମୁ କଶ୍ମୀରରେ ଆତଙ୍କବାଦ କାର୍ଯ୍ୟକଳାପର ମୂଳୋତ୍ପାଟନ ପାଇଁ ଏବେ ଚାଲିଛି ‘ଅପରେସନ ଅଲ ଆଉଟ୍’ । ଆତଙ୍କୀଙ୍କ ସହ ଆର ପାର ଲଢେଇରେ ବ୍ୟସ୍ତ ସୁରକ୍ଷାକର୍ମୀ । ତଥାପି ଗୋଳାବାରୁଦ, ଲହୁ, ଲୁହ  ଭିତରେ ବି ସୁରକ୍ଷାକର୍ମୀ ସେମାନଙ୍କ ସାମାଜିକ କର୍ତ୍ତବ୍ୟବୋଧ ଭୁଲିନାହାନ୍ତି । ଇତି ମଧ୍ୟରେ ସ୍ଥାନୀୟ ଦିବ୍ୟାଙ୍ଗ ପିଲାଙ୍କୁ ନେଇ ସୁରକ୍ଷାକର୍ମୀମାନେ ପ୍ରସିଦ୍ଧ ତୁଲିପ ଗାର୍ଡେନରେ କରିଛନ୍ତି ପିକନିକ ଟ୍ରିପ୍ । ପ୍ରଥମ ଥର ପାଇଁ ପ୍ରକୃତିର ଏପରି ଅପରୂପ ସୌନ୍ଦର୍ଯ୍ୟକୁ  ଉପଭୋଗ କରି  ଆନନ୍ଦିତ ହୋଇ ଯାଇଥିଲେ ଦିବ୍ୟାଙ୍ଗ ପିଲା।

କରୋନା କଟକଣା ମଧ୍ୟରେ ଖୋଲିଛି ଜାମ୍ମୁ ଓ କାଶ୍ମୀରର ପ୍ରସିଦ୍ଧ ତୁଲିପ୍ ଗାର୍ଡେନ । ମନୋରମ ସୌନ୍ଦର୍ଯ୍ୟରେ ଭରପୂର ଏହି ଗାର୍ଡେନ। ଉପତ୍ୟକାର ଏହି ପୁଷ୍ପ ଉଦ୍ୟାନ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ପାଲଟିଥାଏ ଆକର୍ଷଣର କେନ୍ଦ୍ରବିନ୍ଦୁ । ହେଲେ କାଶ୍ମୀରରେ ଥାଇ ମଧ୍ୟ ସେମାନେ ଏହି ସୌନ୍ଦର୍ଯ୍ୟ ଉପଭୋଗରୁ ହୋଇଥିଲେ ବଞ୍ଚିତ। କାରଣ ସେମାନେ ଦିବ୍ୟାଙ୍ଗ। କେବେ ଯେ ଏହି ନୈସର୍ଗିକ ସୌନ୍ଦର୍ଯ୍ୟକୁ ଦେଖିବେ, ଏହା ଭିତରେ ନିଜକୁ ହଜାଇଦେବେ ଏମିତି ଭାବନା ବି ସେମାନଙ୍କର ମନରେ ନ ଥିଲା। ହେଲେ ସୁରକ୍ଷାକର୍ମୀମାନେ ସେମାନଙ୍କର ଏପରି ଭାବନାକୁ ସତରେ ପରିଣତ କରି ଦେଇ ପାରିଛନ୍ତି।

ସୁରକ୍ଷାକର୍ମୀଙ୍କ ସହଯୋଗରେ ଭୂସର୍ଗ କଶ୍ମୀରରେ ଥିବା ଏହି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଏବେ ଉପଭୋଗ କରିବାକୁ ସୁଯୋଗ ପାଇଥିଲେ ସ୍ଥାନୀୟ କିଛି ଦିବ୍ୟାଙ୍ଗ ଛାତ୍ର । ସିଆରପିଏଫ ପକ୍ଷରୁ ଦିବ୍ୟାଙ୍ଗଙ୍କ ପାଇଁ ତୁଲିପ୍ ଗାର୍ଡେନ ବୁଲାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଅନେକ ସମୟରେ ଚାରିକାନ୍ଥ ଭିତରେ ଜୀବନ ବିତୁଥୁବା ଏହି ଦିବ୍ୟାଙ୍ଗ ଛାତ୍ର ତୁଲିପ ଗାର୍ଡେନର ଅପରୂପ ସୌନ୍ଦର୍ଯ୍ୟକୁ ଦେଖି ହଜି ଯାଇଥିଲେ। ଏହାର ଭରପୁର ମଜା ଉଠାଇଥିଲେ।

ସିଆରପିଏଫ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ପ୍ରାୟ ୨୫ ଜଣ ବିବ୍ୟାଙ୍ଗ ଏବଂ ସେମାନଙ୍କ ସହ ଜଣେ ଆଟେଣ୍ଡାଣ୍ଟଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଥିଲା। ସେମାନଙ୍କ ଗମନାଗମନ ବ୍ୟବସ୍ଥାଠାରୁ ଆରମ୍ଭ କରି ଉଦ୍ୟାନ ଭିତରେ ଖାଇବା ପିଇବା ପର୍ଯ୍ୟନ୍ତ ସବୁ ଆୟୋଜନ କରାଯାଇଥିଲା ସିଆରପିଏଫ ପକ୍ଷରୁ । ଏଇ ଦିନିକିଆ ପିକନିକ ପାଇଁ ଉଦ୍ୟାନ କର୍ତ୍ତୃପକ୍ଷ ମଧ୍ୟ ବିଶେଷ ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ। ବଡ କଥା ହେଉଛି କଶ୍ମୀର ବାସିନ୍ଦା ହୋଇଥିଲେ ମଧ୍ୟ ଏହି ଦିବ୍ୟାଙ୍ଗମାନେ ପ୍ରଥମ ଥର ପାଇଁ ଏହି ଉଦ୍ୟାନ ବୁଲି ଦେଖିବାର ସୁଯୋଗ ପାଇଥିଲେ।

ସୁରକ୍ଷାବଳ ପକ୍ଷରୁ ଦିବ୍ୟାଙ୍ଗଙ୍କ ପାଇଁ ଏଭଳି ଆୟୋଜନକୁ ବିଭିନ୍ନ ମହଲରେ ବେଶ୍ ପ୍ରଶଂସା କରାଯାଉଛି ।

You might also like