ମଝି ଆକାଶରେ ଜଣାପଡ଼ିଲା ପାଇଲଟ୍ଙ୍କୁ କରୋନା
ନୂଆଦିଲ୍ଲୀ: କରୋନା ପଜିଟିଭ୍ ପାଇଲଟଙ୍କୁ ନେଇ ଉଡ଼ାଣ ଭରିଥିବା ବିମାନ ଦୁଇ ଘଣ୍ଟାରୁ ଅଧିକ ସମୟ ପରେ ପୁଣି ବିମାନ ବନ୍ଦରକୁ ଫେରିଲା। ମସ୍କୋରେ ଫସି ରହିଥିବା ଭାରତୀୟଙ୍କୁ ଆଣିବା ପାଇଁ ଆଜି ଭୋରରୁ ଏୟାର ଇଣ୍ଡିଆର ଏକ ବିମାନ ଅନ୍ୟ କ୍ରୁ ମେମ୍ବରକୁ ନେଇ ଦିଲ୍ଲୀରୁ ମସ୍କୋ ଅଭିମୁଖେ ଯାଇଥିଲା।
କିନ୍ତୁ ବିମାନଟି ଉଜବେକିସ୍ତାନ ଉପରେ ଯାଉଥିବା ବେଳେ ପାଇଲଟ ଜଣଙ୍କ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ବିମାନକୁ ତୁରନ୍ତ ଦିଲ୍ଲୀକୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଆଜି ଦିନ ୧୨ଟା ୩୦ରେ ବିମାନଟି ଦିଲ୍ଲୀରେ ପହଞ୍ଚିବା ପରେ ପାଇଲଟଙ୍କ ସହ ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ବିମାନଟିକୁ ସାନିଟାଇଜ୍ କରିବାକୁ କୁହାଯାଇଛି। ବିମାନର ଉଡ଼ାଣ ପୂର୍ବରୁ ଭୁଲ କ୍ରମେ ପାଇଲଟଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ଘୋଷଣା ହୋଇଥିଲା। କିନ୍ତୁ ପରେ ପାଇଲଟଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିବା ପରେ ତୁରନ୍ତ ବିମାନକୁ ଦିଳ୍ଲୀକୁ ଫେରାଇ ଅଣାଯାଇଥିଲା।
ଅନ୍ୟପକ୍ଷରେ ମସ୍କୋରେ ଫସି ରହିଥିବା ଯାତ୍ରୀଙ୍କୁ ଆଣିବା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ଆଉ ଏକ ବିମାନ ପଠାଯାଇଛି।