ଅନ୍ତର୍ଜାତୀୟ ବିମାନ ସେବା କଟକଣା ଅବଧି ବଢାଇଲେ କେନ୍ଦ୍ର ସରକାର

ଅନ୍ତର୍ଜାତୀୟ ବିମାନ ସେବାରେ କଟକଣା ଜାରି କଲେ କେନ୍ଦ୍ର ସରକାର । ମେ ୩୧ ଯାଏ ଭାରତରୁ ବିଦେଶକୁ ଉଡିବନି ବିମାନ । ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ବନ୍ଦ ରହିବ ବିମାନ ଉଡାଣ । ସଂକ୍ରମଣ ବ୍ୟାପୁଥିବାରୁ ଆଉ ମାସେ ପାଇଁ କଟକଣା ବୃଦ୍ଧି କରିଛି କେନ୍ଦ୍ର । ଏନେଇ ଆଜି ଡିଜିସିଏ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ପୂର୍ବରୁ ଜାରି ହୋଇଥିବା ଗାଇଡ୍ ଲାଇନ୍ ଅନୁସାରେ ଏପ୍ରିଲ ୩୦ ରାତି ୧୨ ଟା ଯାଏ ଅନ୍ତର୍ଜାତୀୟ ବିମାନସେବାକୁ ବନ୍ଦ ରଖାଯାଇଥିଲା । ତେବେ ଏହି କଟକଣା ଅବଧିକୁ ଆସନ୍ତା ମେ ୩୧ ଯାଏ ବୃଦ୍ଧି କରାଯାଇଛି ।

ଏହି କଟକଣା ଜରୁରୀକାଳୀନ ସେବା ଓ ସାମଗ୍ରୀ ଉପରେ ଲାଗୁ ହେବ ନାହିଁ ଅର୍ଥାତ୍ ତେବେ ଏହି କଟକଣା ମାଲ ପରିବହନ ଓ ଔଷଧ ନେବା ଆଣିବା କରୁଥିବା ବିମାନ ଗୁଡ଼ିକ ଉପରେ ଲାଗୁହେବନାହିଁ। ସେହିପରି ଦରକାର ପଡ଼ିଲେ ପ୍ରଶାସନିକ ଅନୁମତିକ୍ରମେ କିଛି ନିର୍ଦ୍ଦିଷ୍ଟ ରୁଟ୍‌ରେ ଅନ୍ତର୍ଜାତୀୟ ବିମାନ ସେବାକୁ ଗ୍ରୀନ ସିଗ୍ନାଲ ମିଳିପାରିବ। ଘରୋଇ ବିମାନ ସେବା ପୂର୍ବଭଳି ଚାଲୁ ରହିବ। କିନ୍ତୁ ବିମାନରେ ସମସ୍ତେ କରୋନା ପାଇଁ ଜାରି କଟକଣାକୁ ପାଳନ କରିବେ ବୋଲି ଡିଜିସିଏ କହିଛି।

ଗତବର୍ଷ ମାର୍ଚ୍ଚ ୨୩ରୁ କରୋନା ସଂକ୍ରମଣ ପାଇଁ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ କରାଯାଇଥିଲା। ସେବେଠାରୁ ପର୍ଯ୍ୟାୟକ୍ରମେ ଡିଜିସିଏ କଟକଣା ଅବଧିକୁ ବୃଦ୍ଧି କରି ଚାଲିଛି। ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲେ ହେଁ ଗତବର୍ଷ ମେ’ ମାସରୁ ସ୍ୱତନ୍ତ୍ର ବିମାନ ଓ ଜୁଲାଇ ମାସରୁ ଦ୍ୱିପାକ୍ଷିକ ଏୟାର ବବଲ୍ସ ଚୁକ୍ତି ମାଧ୍ୟରେ କିଛି ସ୍ଥାନକୁ ବିମାନ ଉଡ଼ାଣ ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅଷ୍ଟ୍ରେଲିଆ, ବ୍ରିଟେନ ଓ ୟୁଏଇ ଭଳି ଦେଶ ସେମାନଙ୍କ ଦେଶରୁ ନୂଆଦିଲ୍ଲୀ ଆସୁଥିବା ବିମାନ ଉପରେ କଟକଣା ଲଗାଇଛନ୍ତି। ଅଷ୍ଟ୍ରେଲିଆ ସଂକ୍ରମଣ ପାଇଁ ଭାରତ ସହ ବିମାନ ସମ୍ପର୍କ ସଂପୂର୍ଣ୍ଣ ଭାବେ ଚ୍ଛିନ୍ନ ମଧ୍ୟ କରିଦେଇଛି।

You might also like