କେରଳରେ ବନ୍ୟାର ତାଣ୍ଡବ; ମୃତ୍ୟୁ ସଂଖ୍ୟା ୩୯କୁ ବୃଦ୍ଧି, ୮୩୧୬ କୋଟିର କ୍ଷୟକ୍ଷତି

ଥିରୁବନନ୍ତପୁରମ: କେରଳରେ ଜାରି ରହିଛି ବନ୍ୟାର ତାଣ୍ଡବ। ଆଜି ବି ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏଥିଯୋଗୁଁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବର୍ଷା, ବନ୍ୟା ଓ ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ୬୦ ହଜାରରୁ ଅଧିକ ଲୋକଙ୍କୁ ୫ ଶହ ରିଲିଫ କେନ୍ଦ୍ରରେ ରଖାଯାଇଛି। ଉଦ୍ଧାର କାର୍ଯ୍ୟରେ ୩ ସେନାର ସୁରକ୍ଷାକର୍ମୀଙ୍କ ସହ କୋଷ୍ଟଗାର୍ଡ ଓ ଏନ୍‌ଡିଆରଏଫ୍ ମଧ୍ୟ ନିୟୋଜିତ ହୋଇଛନ୍ତି।

ରାସ୍ତା ପୂରା ଧୋଇ ଯାଇଥିବାରୁ କେତେକ ଅଞ୍ଚଳ ପୂରା ବିଚ୍ଛିନ୍ନ ହୋଇ ଯାଇଛି। ପାଖାପାଖି ୧୦ହଜାର କିଲୋମିଟର ରାସ୍ତା ଖରାପ ହୋଇଯାଇଛି। ରାଜ୍ୟର କେତେକ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି। ତେଣୁ ୬ଟି ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି।

ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଓ ମୁଖ୍ୟମନ୍ତ୍ରୀ ପି. ବିଜୟନ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ। ଏହି ସ୍ଥିତିକୁ ଦେଖି କେନ୍ଦ୍ର ସରକାରଙ୍କ ପକ୍ଷରୁ କେରଳର ପ୍ରଭାବିତ ଲୋକଙ୍କ ରିଲିଫ ଓ ଥଇଥାନ ପାଇଁ ଆଉ ୧୦୦କୋଟି ଟଙ୍କା ସାହାଯ୍ୟ ଘୋଷଣା କରିଛନ୍ତି। ସେପଟେ କେରଳ ସରକାର ମୃତକଙ୍କ ପରିବାର ଲାଗି ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।

୧୯୨୪ ମସିହା ପରଠାରୁ କେରଳରେ ଏତେ ଭୟଙ୍କର ବନ୍ୟା କେବେ ହୋଇ ନ ଥିଲା। ପ୍ରାଥମିକ ଆକଳନ ଅନୁଯାୟୀ ପ୍ରାୟ ୮୩୧୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଟ୍ୱିଟ୍‌ କରାଯାଇଛି।

You might also like