କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ
ନୂଅଦିଲ୍ଲି: ଦେଶବ୍ୟାପି କୃଷି ବିଲ୍ (Agricultural Bill)କୁ ବିରୋଧ ଜାରି ରହିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦସ୍ତଖତ ଦେଇ ଏହାକୁ ଆଇନରେ ପରିଣତ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି। ହେଲେ ବିରୋଧୀ ଦଳ ଏବେ ବି ଏହି ବିଲ୍ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି।
କୃଷି ବିଲ୍କୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଲିଥିବା କୃଷକଙ୍କ ଧାରଣା ଏବେ ଗାଁ, ସହରରୁ ଆସି ରାଜଧାନୀ ଦିଲ୍ଲୀରେ ପହଞ୍ଚିଲାଣି। ଏ ନେଇ ଦିଲ୍ଲୀ ଇଣ୍ଡିଆ ଗେଟ୍ ସମ୍ମୁଖରେ ଆଜି ତୁମୁଳକାଣ୍ଡ ଘଟିଛି। ପଞ୍ଜାବ ଯୁବ କଂଗ୍ରେସ କର୍ମୀମାନେ ଆଜି ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ି ଦେଇଛନ୍ତି। କୃଷି ଆଇନକୁ ବିରୋଧ କରି ବିକ୍ଷୋଭ କରିବା ସହ କିଛି କଂଗ୍ରେସ କର୍ମୀ ଆଜି ଏକ ଟ୍ରାକ୍ଟରକୁ ନେଇ ଆସିଥିଲେ। ପରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଟ୍ରାକ୍ଟରକୁ ପୋଡ଼ି ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ଜନପଥ ମାନସିଂହ ରୋଡରେ ଆନ୍ଦୋଳନକାରୀମାନେ ଏକ ଟ୍ରାକ୍ଟରରେ ନିଆଁ ଲଗାଇ ଦେଇଛନ୍ତି। ଖବର ମିଳିବା ପରେ ପରେ ୨ଟି ଦମକଳ ଗାଡ଼ିକୁ ଘଟଣାସ୍ଥଳକୁ ପଠାଇ ଦିଆଯାଇଥିଲା। ପରେ ପରେ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା।
ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ବିକ୍ଷୋଭକାରୀଙ୍କୁ ଅଟକ କରିଛି। ଇଣ୍ଡିଆ ଗେଟ୍ ଅଞ୍ଚଳକୁ କଡନ୍ କରି ସିଲ୍ କରାଯାଇଛି, ଯେପରି ଅନ୍ୟ କେହିଁ ଅଞ୍ଚଳକୁ ପ୍ରବେଶ ନ କରିବେ ସେ ନେଇ ବ୍ୟବସ୍ଥା ହୋଇଛି। କୃଷି ଆଇନକୁ ନେଇ ପଞ୍ଜାବ, ହରିୟାଣା ଏବଂ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଆଜି ବେଙ୍ଗାଲୁରୁର ବିଧାନସଭା ସମେତ ବିଭିନ୍ନ ଅଞ୍ଚଳରେ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି।
#WATCH: A tractor was set ablaze by unidentified persons near India Gate, today. DCP New Delhi says,”Around 15- 20 persons gathered here & tried to set a tractor on fire. The fire has been doused off & tractor was also removed. Those involved are being identified. Probe underway” pic.twitter.com/IKlOxq4mbj
— ANI (@ANI) September 28, 2020