ଟ୍ରମ୍ପଙ୍କ ବିରୋଧରେ ପୁଣି ଆସିଲା ମହାଭିଯୋଗ ପ୍ରସ୍ତାବ

ୱାଶିଂଟନ୍‌: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପୁଣି ଥରେ ଆସିଛି ମହାଭିଯୋଗ ପ୍ରସ୍ତାବ । ଡେମୋକ୍ରାଟଙ୍କ ତରଫରୁ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି। ସମ୍ବିଧାନର ୨୫ ତମ ସଂଶୋଧନ ଲାଗୁ କରି ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ବହିଷ୍କାର କରିବା ପାଇଁ ଉପରାଷ୍ଟ୍ରପତି ପେନ୍ସଙ୍କୁ କହିଛନ୍ତି ଡେମୋକ୍ରାଟ୍ ନେତାମାନ॥ ଏ ସଂପର୍କିତ ଏକ ପ୍ରସ୍ତାବ ଆଗତ କରାଯାଇଛି ।

ଏଥିରେ କୁହାଯାଇଛି, ଟ୍ରମ୍ପ ରାଷ୍ଟ୍ରପତି ପଦରେ ରହିବାକୁ ଯୋଗ୍ୟ ନୁହନ୍ତି। ତେବେ ଏହି ପ୍ରସ୍ତାବ ଉପରେ ତୁରନ୍ତ ଭୋଟିଂ କରାଇ ଦେଇ ନାହାନ୍ତି ରିପବ୍ଲିକାନମାନେ। ଏହା ପରେ ଡେମୋକ୍ରାଟମାନେ ମହାଭିଯୋଗର ଏକ ଗୁରୁତର ଧାରା ପ୍ରୟୋଗ କରିଛନ୍ତି । ଏହି ଧାରା ଅନୁସାରେ ଗତ ବୁଧବାର ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟଲ ହଲ୍‌ରେ ଯେଉଁ ହିଂସାକାଣ୍ଡ ଓ ଅରାଜକତା ସୃଷ୍ଟି କରିଥିଲେ, ତାକୁ ସରକାର ବିରୋଧରେ ବିଦ୍ରୋହ ବୋଲି ଗ୍ରହଣ କରାଯାଇଛି । ଟ୍ରମ୍ପ ନିଜେ ଏହି ବିଦ୍ରୋହକୁ ଉସୁକାଇଥିଲେ ବୋଲି କୁହାଯାଇଛି।

ଦ୍ୱିତୀୟ ଥର ପାଇଁ ଟ୍ରମ୍ପଙ୍କ ବିରୋଧରେ ଆରମ୍ଭ ହୋଇଛି ମହାଭିଯୋଗ ପ୍ରସ୍ତାବର ପ୍ରକ୍ରିୟା । ଟ୍ରମ୍ପ ରାଷ୍ଟ୍ରପତି ପଦରୁ ହଟିବାର ମାତ୍ର ୯ ଦିନ ଆଗରୁ ଡେମୋକ୍ରାଟମାନେ ନେଇଛନ୍ତି ଏହି ଚରମ ପଦକ୍ଷେପ । ଏହା ଆଗରୁ ୨୦୧୯ ଡିସେମ୍ବରରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଅଣାଯାଇଥିଲା।

ଏହି ମହାଭିଯୋଗ ପ୍ରସ୍ତାବକୁ ଡେମୋକ୍ରାଟିକ ସାଂସଦ ଜାମି ରୁସ୍କିନ୍, ଡେଭିଡ ସିସିଲିନ୍ ଏବଂ ଟେଡ୍ ଲ୍ୟୁ ଆଣିଛନ୍ତି। ଆମେରିକାର ପ୍ରତିନିଧି ସଭାର ୨୧୧ ଜଣ ସଦସ୍ୟ ସମର୍ଥନ କରିଛନ୍ତି। ପ୍ରସ୍ତାବ ଅନୁଯାୟୀ ରାଷ୍ଟ୍ରପତି ଟ୍ରମ୍ପ ଜାନୁଆରୀ ୬ରେ ଦେଶଦ୍ରୋହ ଭଳି ସ୍ଥିତି ତିଆରି କରିଛନ୍ତି। ଭୋଟ୍ ଗଣତି ଚାଲିଥିବାବେଳେ ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟାଲ ବିଲଡିଂକୁ ଅବରୋଧ କରି ହିଂସାକୁ ପ୍ରବର୍ତ୍ତାଇଥିଲେ।

ସୂଚନାଯୋଗ୍ୟ, ଏହି ଘଟଣାରେ ଜଣେ ପୁଲିସ ଅଧିକାରୀଙ୍କ ସମେତ ମୋଟ୍ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ବହିଷ୍କାର କରିବା ପାଇଁ ୨୫ ତମ ସଂଶୋଧନକୁ କାର୍ଯ୍ୟକାରୀ କରିବାକୁ ଉପରାଷ୍ଟ୍ରପତି ପେନ୍ସଙ୍କ ନିକଟରେ ଆଗତ ହେବ। ତେବେ ସୋମବାର ରିପବ୍ଲିକାନ୍ ଆଇନଜୀବୀମାନେ ଗୃହରେ ଡେମୋକ୍ରାଟିକ୍ ସଦସ୍ୟଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ ଚଳିତ ସପ୍ତାହରେ ଏନେଇ ମତଦାନ ହେବ ବୋଲି ଆଶା କରାଯାଉଛି।

You might also like