ଜୋ ବାଇଡେନ୍ ହେବେ ଆମେରିକାର ରାଷ୍ଟ୍ରପତି

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବାଇଡେନଙ୍କ ବାଜିମାତ୍। ରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ଆବଶ୍ୟକ ୨୭୦ ଇଲେକ୍ଟୋରାଲ ଭୋଟରୁ ଯଥେଷ୍ଟ ଅଧିକ ଭୋଟ ପାଇ ସେ ନିର୍ବାଚନରେ ବିଜୟ ଲାଭ କରିଛନ୍ତି। ତେବେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଥରେ ହ୍ୱାଇଟ ହାଉସ୍ ଯିବା ସ୍ୱପ୍ନ ଧୂଳିସାତ ହୋଇଛି।

ତେବେ ଏହି ନିର୍ବାଚନ ଜିତିବା ସହ ୪୬ତମ ରାଷ୍ଟ୍ରପତି ହେବେ ବାଇଡେନ୍। ପେନସିଲଭାନିଆ ଷ୍ଟେଟ୍ ଡେମୋକ୍ରାଟିକ୍ ପାର୍ଟି ସପକ୍ଷରେ ଯିବା ପରେ ମ୍ୟାଜିକ୍ ନମ୍ବର ୨୭୦ ପାର କରିଛନ୍ତି ଜୋ ବାଇଡେନ୍। ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ଦ ନ୍ୟୁୟର୍କ ଟାଇମ୍ସ ସୂତ୍ରରୁ ସୂଚନା ଦିଆଯାଇଛି।

ସେହିପରି ଭାରତୀୟ ବଂଶୋଦ୍ଭବ କମଲା ହାରିସ ହେବେ ଆମେରିକାର ଉପରାଷ୍ଟ୍ରପତି। ସେ ଆମେରିକା ଇତିହାସରେ ପ୍ରଥମ ମହିଳା ଉପରାଷ୍ଟ୍ରପତି ହେବେ। କମଲା ହାରିସଙ୍କ ମାଆଙ୍କ ଘର ତାମିଲନାଡ଼ୁରେ। କମଲାଙ୍କ ବିଜୟ ପାଇଁ ତାମିଲନାଡ଼ୁରେ ପୂଜାର୍ଚ୍ଚନା କରାଯାଇଥିଲା।

ତେବେ ଭୋଟିଂର ୩ ଦିନ ପରେ ବି ଫଳାଫଳ ନେଇ ସ୍ପଷ୍ଟ ଚିତ୍ର ଆସିନଥିଲା। ପୋଷ୍ଟାଲ ବାଲାଟ ଓ ଇ-ମେଲ୍ ଭୋଟ୍ ଗଣତିରେ ବିଳମ୍ବ ଯୋଗୁ ଫଳାଫଳ ସ୍ପଷ୍ଟ ହୋଇପାରୁନଥିଲା। ଜର୍ଜିଆ, ନେଭାଡ଼ା, ଓ ପେନ୍ସିଲଭାନିଆରେ ଆଜି ବି ଭୋଟ ଗଣତି ଚାଲିଥିଲା।

ଏହି ୩ଟି ରାଜ୍ୟରୁ ଯେକୌଣସି ଗୋଟିଏ ରାଜ୍ୟ ଦଖଲ କଲେ ଜୋ ବାଇଡେନ୍ ରାଷ୍ଟ୍ରପତି ହେବା ନିଶ୍ଚିତ ଥିଲା। ପେନ୍ସିଲଭାନିଆ ବିଜୟ ପରେ ମ୍ୟାଜିକ୍ ନମ୍ବର ଟପିଥିଲେ ବାଇଡେନ୍। ତେବେ ପୋଷ୍ଟାଲ ଓ ଇ-ମେଲ୍ ଭୋଟ୍‌ରେ ଠିକଣା ଓ ଦସ୍ତଖତ ଯାଞ୍ଚ ପାଇଁ ଅଧିକ ସମୟ ଲାଗୁଥିବାରୁ ଫାଇନାଲ ରେଜଲ୍ଟ ଆସିବା ବିଳମ୍ବ ହୋଇଥିଲା।

You might also like