ଦେଶରେ ଲକଡାଉନ୍‌ ଅବଧି ବଢାଇବାକୁ ଦାବି, ଟ୍ରେନ୍‌ ଓ ବିମାନ ଚଳାଚଳକୁ ବିରୋଧ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ।  ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଏହି ଆଲୋଚନା ହୋଇଥିଲା। ତେବେ ଟ୍ରେନ୍, ବିମାନ ଚଳାଚଳକୁ ନେଇ କିଛି ରାଜ୍ୟ ବିରୋଧ କରିଥିବାବେଳେ ଲକ୍‌ଡାଉନ ବଢାଇବା ନେଇ ଦାବି କରାଯାଇଛି।

ଆଜିର ବୈଠକରେ ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଳି ପଡିଥିଲା। କରୋନା ସଂକଟକୁ ନେଇ କେନ୍ଦ୍ର ରାଜନୀତି କରୁଥିବା ଓ ରାଜ୍ୟଙ୍କ ଭିତରେ ବାଛବିଚାର କରୁଥିବା ମମତା ଅଭିଯୋଗ କରିଥିବା ସୂଚନା ମିଳିଛି।

ସେପଟେ ଆସନ୍ତା ୩୧ ତାରିଖ ଯାଏଁ ତାଙ୍କ ରାଜ୍ୟକୁ ବିମାନ ଓ ରେଳ ସେବା ଆରମ୍ଭ ନ କରିବାକୁ ଅନୁରୋଧ କରିଛନ୍ତି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ମଧ୍ୟ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ କରାଯିବାକୁ ବିରୋଧ କରିଥିବା ଜଣାପଡିଛି। ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଲକଡାଉନ୍ ବଢାଇବା ସପକ୍ଷରେ ଯୁକ୍ତି ବାଢିଛନ୍ତି।

ଏହା ପୂର୍ବରୁ ମୋଦି ମୁଖ୍ୟମନ୍ତ୍ରୀଙ୍କ ସହ ୪ ଥର ଆଲୋଚନା କରିଛନ୍ତି। ଆଜିର ବୈଠକରେ ଗୃହ ମନ୍ତ୍ରୀ ଅମିତ୍ ଶାହ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ। ଏଥିରେ ମୁଖ୍ୟତଃ ଲକଡାଉନ୍ ଓ କରୋନା ସଂକଟର ମୁକାବିଲା ପ୍ରସଙ୍ଗ ଉପରେ ଫୋକସ୍ କରାଯାଇଥିଲା।

You might also like