ଅବିବାହିତ ପୁରୁଷଙ୍କ ପାଇଁ ସଙ୍କଟ; ୨୦୫୦ ବେଳକୁ ମିଳିବେନି କନିଆ
ବେଜିଂ: ଚାଇନାରେ ଅବିବାହିତ ପୁରୁଷଙ୍କ ସଂଖ୍ୟା ବୃଦ୍ଧି ସଙ୍କଟର କାରଣ ପାଲଟିଛି। ଲିଙ୍ଗଗତ ଅସମାନତା ହେତୁ ଚୀନ୍ର ଅବସ୍ଥା ଏତେ ଖରାପ ହୋଇଛି ଯେ ୨୦୫୦ ସୁଦ୍ଧା ୩୦ ନିୟୁତ ପୁରୁଷ ଅବିବାହିତ ରହିବେ। ଏହି ସଙ୍କଟର ସମାଧାନ ପାଇଁ ଜଣେ ଚାଇନାର ଜଣେ ପ୍ରଫେସର କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ସରକାର ମହିଳାମାନଙ୍କୁ ଦୁଇ କିମ୍ବା ଅଧିକ ସ୍ୱାମୀ ରଖିବାର ଅଧିକାର ଦେବା ଉଚିତ୍।
ଚାଇନାର ଅର୍ଥନୀତିଜ୍ଞ ୟି କାଙ୍ଗ ଏନ୍ଜି କହିଛନ୍ତି ଯେ ମହିଳାମାନଙ୍କୁ ଅଳ୍ପ ସମୟ ପାଇଁ ଦୁଇ କିମ୍ବା ଅଧିକ ସ୍ୱାମୀ ହେବାର ଅଧିକାର ଦେବା ଦ୍ୱାରା ହିଁ ଏହି ସାମାଜିକ ସମସ୍ୟାର ସମାଧାନ ହୋଇପାରିବ। ସେ କହିଛନ୍ତି, ଯଦି ତାଙ୍କର ପରାମର୍ଶ ଗ୍ରହଣ କରାଯାଏ ତେବେ ଦେଶରେ ବଢୁଥିବା ଅବିବାହିତ ପୁରୁଷଙ୍କୁ ପତ୍ନୀ ସୁଖ ମିଳିପାଇବ |ଏଠି କହିରଖିବୁ, ପ୍ରଫେସର ଏନ୍ଜି ଫୁଡାନ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର।
ପ୍ରଫେସର ଏନ୍ଜି କହିଛନ୍ତି ଯେ, ମହଳାଙ୍କ ସଂଖ୍ୟା କମୁଥିବାରୁ ପ୍ରତିଯୋଗିତା ବୃଢିବ। ଯାହା ଫଳରେ ଅବିବାହିତ ପୁରୁଷମାନଙ୍କ ପାଇଁ ଉପଯୁକ୍ତ କନ୍ୟା ଖୋଜିବା ଅତ୍ୟନ୍ତ କଷ୍ଟକର ହେବ। ମଧ୍ୟବିତ୍ତ ଅବିବାହିତ ବ୍ୟକ୍ତିଙ୍କ ପାଇଁ କନ୍ୟାର ହୃଦୟ ଜିତିବା ପାଇଁ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଚାଲିବ।
ତେଣୁ ଏହି ସଙ୍କଟର ସମାଧାନ ଏବେଠାରୁ କରିବା ପାଇଁ ପ୍ରଫେସର ଏନଜି ଚୀନବାସୀଙ୍କୁ ସତର୍କ କରାଇ ଦେଇଛନ୍ତି । ପ୍ରଥମତଃ ସେ ବେଶ୍ୟବୃତ୍ତିକୁ ଆଇନଗତ ଅନୁମତି ଦେବାକୁ ଦାବି କରିଛନ୍ତି। ସେହିପରି ମହିଳାଙ୍କୁ ବହୁବିବାହ କିମ୍ବା ଏକାଧିକ ପତି ରଖିବା ଅନୁମତି ଦେବାକୁ ମଧ୍ୟ କହିଛନ୍ତି।
ସୂଚନା ଥାଉ କି, ଚୀନରେ ମହିଳାମାନଙ୍କୁ ଗୋଟିଏ ବିବାହ ପାଇଁ ଆଇନଗତ ସମ୍ମତି ମିଳିଛି। ପ୍ରଫେସର ଆହୁରି କହିଛନ୍ତି, ତିବ୍ବତରେ ଆରମ୍ଭରୁ ହି ପ୍ରଥା ଚାଲି ଆସୁଛି। ତେବେ ବିଲ୍କୁଲ୍ ପତ୍ନୀ ନ ରହିବା ଅପେକ୍ଷା ଭାଗରେ ରଖିବା ଭଲ।