• translate
Prangyan Parimita

ନୂଆଦିଲ୍ଲୀ : ଭାରତରେ ସର୍ବପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭାରିଏଣ୍ଟର ନାମ ‘ଡେଲଟା’ ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ମେ ୧୨ରେ ଏହି ଭାରିଏଣ୍ଟ  (B.1.617 )କୁ ଚିହ୍ନଟ କରାଯାଇଥିଲା । National Centre for Disease Controlର ସୂଚନା ଅନୁସାରେ ଡେଲଟା ଭାରିଏଣ୍ଟ ଆଲଫା ଭାରିଏଣ୍ଟ (B.1.117) ତୁଳନାରେ ୪୦ରୁ ୫୦ ପ୍ରତିଶତ ଅଧିକ ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି ।

ତୁଳନାତ୍ମକ ଭାବେ ଡେଲଟାର ସଂକ୍ରମଣ କ୍ଷମତା ଖୁବ ଅଧିକ । ଅଧ୍ୟୟନରେ ସାମିଲ ଥିବା ଜଣେ ବରିଷ୍ଠ ବୈଜ୍ଞାନିକ ଇକୋନୋମିକ୍ସ ଟାଇମ୍ସକୁ କହିଛନ୍ତି, “ଏପର୍ଯ୍ୟନ୍ତ ଆକଳନରୁ ଜଣାପଡିଛି ଡେଲଟା ଭାରିଏଣ୍ଟ୍ ଆଲଫା ଅପେକ୍ଷା ୪୦-୫୦ ପ୍ରତିଶତ ଅଧିକ ଦ୍ରୁତ ଗତିରେ ସଂକ୍ରମିତ କରୁଛି । କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାର କାରଣ ଡେଲଟା ଭାରିଏଣ୍ଟ୍ । ଆଉ ଏଥିପାଇଁ ୧୦ ଦିନରେ ପଜିଟିଭ୍ ହାର ୧୦ ପ୍ରତିଶତରୁ ବୃଦ୍ଧି ପାଇ ୨୦ ପ୍ରତିଶତ କିମ୍ବା ତା’ ଠାରୁ ମଧ୍ୟ ଅଧିକ ରେକର୍ଡ କରାଯାଇଥିଲା । ସେହିପରି ଦ୍ୱିତୀୟ ଲହରୀରେ ମୃତକଙ୍କ ସଂଖ୍ୟା ମଧ୍ୟ ତୁଳନାତ୍ମକ ଭାବେ ଅଧିକ । କିନ୍ତୁ ମୃତକଙ୍କ ସଂଖ୍ୟା ପାଇଁ ଡେଲଟା ଭାରିଏଣ୍ଟକୁ ଦାୟୀ କରାଯାଇ ନାହିଁ ।

ଡେଲଟା ଭାରିଆଣ୍ଟ ଅଧିକାଂଶ ମୃତ୍ୟୁର କାରଣ ଅଟେ ବୋଲି ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଆକଳନରେ ସୂଚନା ନାହିଁ କହିଛନ୍ତି ଶୀର୍ଷ ବୈଜ୍ଞାନିକ । ଡେଲଟା ଭାରିଏଣ୍ଟ୍ ଦ୍ରୁତ ଗତିରେ ବ୍ୟାପିଥାଏ, ତେଣୁ ସଂକ୍ରମଣର ସଂଖ୍ୟା ଅଧିକ। ବିଳମ୍ବରେ ହସ୍ପିଟାଲରେ ଭର୍ତ୍ତି ହେବା, ହସ୍ପିଟାଲରେ ଭର୍ତ୍ତି ନହେବା କିମ୍ବା ଅମ୍ଳଜାନ ଉପଲବ୍ଧତା ଅଭାବ ଭାଇରସ୍ ବ୍ୟାପିବାର କାରଣ ହୋଇପାରେ ବୋଲି କୁହାଯାଇଛି ।

ସେପଟେ ଦ୍ୱିତୀୟ ଲହରୀ ସମ୍ପୂର୍ଣ୍ଣ ଥମି ନଥିବା ବେଳେ କରୋନାର ତୃତୀୟ ଲହରୀ ନେଇ ଚେତାବନୀ ଦିଆଯାଇଛି । ଦେଶରେ ତୃତୀୟ ଲହରୀ ଦ୍ୱିତୀୟ ଲହରୀ ଠାରୁ ଅଧିକ ଭୟଙ୍କର ହେବ ବୋଲି ଏସବିଆଇ ରିପୋର୍ଟରେ କୁହାଯାଇଛି । ତୃତୀୟ ଲହରୀର ତାଣ୍ଡବ ୯୮ ଦିନ ପର୍ଯ୍ୟନ୍ତ ଚାଲିପାରେ ବୋଲି ଆକଳନ କରାଯାଇଛି । ଦେଶରେ କୋଭିଡର ତୃତୀୟ ଲହରୀର ପ୍ରଭାବ ୯୭ ଦିନ ଅର୍ଥାତ୍ ତିନି ମାସରୁ ଅଧିକ ସମୟ ଧରି ରହିପାରେ । ଏସବିଆଇର ପାଞ୍ଚ ପୃଷ୍ଠାର ରିପୋର୍ଟରେ ତୃତୀୟ ଲହରୀ ବିଷୟରେ ଅନେକ ଆକଳନ କରାଯାଇଛି । ଦେଶ ଆଜି ଠାରୁ ତୃତୀୟ ଲହରୀ ପାଇଁ ପ୍ରସ୍ତୁତ ରହିଲେ ଅମ୍ଳଜାନ, ଭେଣ୍ଟିଲେଟର ଆବଶ୍ୟକ କରୁଥିବା ଗୁରୁତର ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବ, ନହେଲେ ସ୍ଥିତି ଭୟଙ୍କର ହେବ ।

Other Stories