୧୨ ମହଲାରୁ ଖସି ପଡ଼ିଲା ୨ ବର୍ଷର ଶିଶୁ, ‘ସୁପର୍‌ମ୍ୟାନ୍‌’ ହୋଇ ଜୀବନ ବଞ୍ଚାଇଲେ ଡ୍ରାଇଭର

ହାନୋଇ(ଭିଏତନାମ): କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଏକ ବିଲ୍ଡିଂର ୧୨ ମହଲାରୁ ଖସି ପଡ଼ିଥିବା ୨ ବର୍ଷର ଶିଶୁ କନ୍ୟାକୁ ମଣିଷରୂପୀ ଭଗବାନ ସାଜି ଉଦ୍ଧାର କରିଛନ୍ତି ଜଣେ ଡେଲିଭରି ଡ୍ରାଇଭର। ସୋସିଆଲ୍‌ ମିଡିଆରେ ଏହାର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣଙ୍କର ଲୋମ ଟାଙ୍କୁରି ଉଠିବ। ରବିବାର ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ଭିଏତନାମରେ ଏହି ଘଟଣା ଘଟିଥିଲା। ଭିଡିଓକୁ ଦେଖିଲା ପରେ ଲୋକମାନେ ଡ୍ରାଇଭରଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଜିନିଷ ପତ୍ର ପହଞ୍ଚାଇବା ପାଇଁ ଗ୍ୟୁୟେନ୍‌ ନାଗୋସ୍‌ ନିଜ ଟ୍ରକ୍‌ରେ ବସି ଅପେକ୍ଷା କରିଥିଲେ। ଏହି ସମୟରେ ସେ ଶିଶୁଟିକୁ ବାଲ୍‌କୋନିର ଏକ କୋଣରେ ଝୁଲିକି ରହିଥିବା ଦେଖିବାକୁ ପାଇଥିଲେ। ଏହା ଦେଖିବା ପରେ ଶିଶୁଟିକୁ ଉଦ୍ଧାର କରିବା ପାଇଁ ତତ୍‌କ୍ଷଣାତ ସେ ଗାଡ଼ିରୁ ବାହାରକୁ ଚାଲି ଆସିଥିଲେ। ଶିଶୁଟିର ହାତ ଖସି ଯିବା କ୍ଷଣି ସେ ଶିଶୁଟିକୁ ଧରି ପକାଇଥିଲେ।

ଘଟଣାକୁ ନେଇ ଡ୍ରାଇଭର ଜଣକ କହିଛନ୍ତି, ‘ସୌଭାଗ୍ୟବଶତଃ, ଶିଶୁଟି ମୋ କୋଳରେ ଆସି ପଡ଼ି ଯାଇଥିଲା। ଶିଶୁଟିକୁ ଉଦ୍ଧାର କରାଯିବା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରଯାଇଥିଲା। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଯେଉଁ ବିଲ୍ଡିଂରୁ ଶିଶୁଟି ଖସି ପଡ଼ିଥିଲେ, ଏହାର ଉଚ୍ଚତା ୧୬୪ ଫୁଟ୍‌ ଥିଲା।’

ଯଦି ଗ୍ୟୁୟେନ୍‌ ଠିକ୍‌ ସମୟରେ ଘଟଣାସ୍ଥଳରେ ପହଞ୍ଚି ନଥାନ୍ତେ ହୁଏତ ଶିଶୁଟିକୁ ବଞ୍ଚାଇବା ମୁସ୍କିଲ୍‌ ହୋଇପଡ଼ିଥାନ୍ତା। ଗ୍ୟୁୟେନ୍‌ଙ୍କ ଏଭଳି କାର୍ଯ୍ୟ ପାଇଁ ସେ ଆଜି ଲୋକମାନଙ୍କ ପାଇଁ ରିଅଲ ହିରୋ ହୋଇଯାଇଛନ୍ତି। ସୋସିଆଲ୍‌ ମିଡିଆରେ ଲୋକମାନେ ତାଙ୍କର ବେଶ୍‌ ପ୍ରଶଂସା କରିଛନ୍ତି।

You might also like