ପୋଲିସ ଗାଡ଼ିରେ ପ୍ରସବ କଲେ ମହିଳା

ନୂଆଦିଲ୍ଲୀ; ରାଜଧାନୀ ଦିଲ୍ଲୀରେ ଲକ୍‌ଡାଉନ୍‌ ସମୟରେ ଜଣେ ମହିଳା ପୋଲିସ୍ ଗାଡ଼ିରେ ରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ମା’ ଏବଂ ଶିଶୁ ଦୁହେଁ ସୁସ୍ଥ ଅଛନ୍ତି।

ପୋଲିସର ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୯.୩୦ ମିନିଟ୍‌ ସମୟରେ ମିନି ନାମକ ଜଣେ ମହିଳା ଓ ତାଙ୍କ ସ୍ୱାମୀ ଏବଂ ପରିବାରଙ୍କ ସହ ଖିଲା ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ରଘୁବୀର ନଗର ପୋଲିସ ପୋଷ୍ଟରେ ପହଞ୍ଚି ତାଙ୍କୁ ପ୍ରସବ ଯନ୍ତ୍ରଣା ହେଉଥିବା କହିଥିଲେ। ଡାକ୍ତରଖାନାରେ ଯିବା ପାଇଁ ଏକ ଗାଡି ଦରକାର ବୋଲି କହିଥିଲେ। ସେଠାରେ ଉପସ୍ଥିତ ଥିବା ଜଣେ ମହିଳା ପୋଲିସ କର୍ମଚାରୀ ତାଙ୍କର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ।

ଏହା ପରେ ମହିଳାଙ୍କୁ ତୁରନ୍ତ ପୋଲିସ ଗାଡ଼ିରେ ବସାଇ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ଗାଡ଼ିଟି ନର୍ସିଂହୋମ ବାହାରେ ପହଞ୍ଚିବା ମାତ୍ରେ, ମହିଳା ଜଣଙ୍କ ଗାଡ଼ିରେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ଏହି ସମୟ ମହିଳାଙ୍କ ସହ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ତାଙ୍କୁ ସାହାଯ୍ୟ କରିଥିଲେ। ପୋଲିସ ତୁରନ୍ତ ନର୍ସିଂହୋମ ଭିତରୁ ନର୍ସ ଏବଂ ଅନ୍ୟ କର୍ମଚାରୀଙ୍କୁ ଡାକିଥିଲା।

ବର୍ତ୍ତମାନ ମହିଳା ଜଣକ ନର୍ସିଂହୋମରେ ଅଛନ୍ତି । ଦୁହେଁ ସେଠାରେ ସୁସ୍ଥ ଅଛନ୍ତି। ଏହାପୂର୍ବରୁ କିଡୱାଇ ନଗରରେ ଜଣେ ମହିଳା ପୋଲିସ୍ ଗାଡ଼ିରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ।

You might also like