୪ ବର୍ଷର ଝିଅକୁ ବଞ୍ଚାଇବା ପାଇଁ କିଡ୍‌ନାପର୍‌ଙ୍କ ସହ ଫାଇଟ୍‌ କଲେ ମା’

ନୂଆଦିଲ୍ଲୀ: ଯଦି ଛୁଆ ଉପରେ ବିପଦ ଆସେ, ତା’ହେଲେ ପରିସ୍ଥିତି ଯାହାବି ହେଉନା କାହିଁକି ଛୁଆର ସୁରକ୍ଷା ଦେବାପାଇଁ ମା’ ଆଗେଇ ଆସେ। ଏବେ ଏମିତି ଜଣେ ମହିଳାଙ୍କ ସାହସିକତାକୁ ନେଇ ବେଶ୍‌ ଚର୍ଚ୍ଚା। ଜୀବନକୁ ବାଜି ଲଗାଇ କିଭଳି ଭାବରେ ଜଣେ ମହିଳା ତାଙ୍କର ୪ ବର୍ଷର ଝିଅକୁ ଅପହରଣକାରୀଙ୍କ କବଳରୁ ରକ୍ଷା କରିଛନ୍ତି, ତା’ର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ମଙ୍ଗଳବାର ଦିନ ଦିଲ୍ଲୀରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ଏକ କଳା ରଙ୍ଗର ପଲ୍‌ସର୍‌ ଗାଡ଼ିରେ ୨ଜଣ ଅପହରଣକାରୀ ଆସି ସମ୍ପୃକ୍ତ ମହିଳାଙ୍କୁ ପ୍ରଥମେ ପାଣି ପିଇବା ପାଇଁ ମାଗିଥିଲେ। ଏହି ସମୟରେ ମହିଳା ଜଣକ ଘର ଭିତରକୁ ପାଣି ଆଣିବାକୁ ଯାଇଥିବା ବେଳେ ଅପହରଣକାରୀମାନେ ମହିଳାଙ୍କର ୪ ବର୍ଷର ଝିଅକୁ ଉଠାଇ ନେଇ ବାଇକ୍‌ରେ ପଳାଉଥିଲେ। ଏହି ସମୟରେ ସମ୍ପୃକ୍ତ ମହିଳା ଜଣକ ଆସି ଗାଡ଼ିରୁ ଝିଅକୁ ଭିଡ଼ି ଆଣିବା ସହ ବାଇକ୍‌କୁ ମଧ୍ୟ ଟାଣି ଧରିଥିଲେ। ଝିଅକୁ ଅପହରଣକାରୀଙ୍କ କବଳରୁ ରକ୍ଷା କରିବା ପାଇଁ ମହିଳା ଜଣକ ଅପହରଣକାରୀଙ୍କ ସହ ସାହସର ମୁକାବିଲା କରିବାକୁ ମଧ୍ୟ ପଛାଇ ନ ଥିଲେ। ଅପହରଣକାରୀଙ୍କ ସହ ଟଣାଭିଡ଼ା ପରେ ମହିଳା ଜଣକ ଅପକରଣକାରୀଙ୍କୁ କବଳରୁ ଝିଅକୁ ଛଡାଇ ଆଣିବାରେ ସଫଳ ହୋଇଥିଲେ।

ଏହି ସମୟରେ ତୁରନ୍ତ ପଡୋଶୀ ପହଞ୍ଚି ଅପହରଣକାରୀଙ୍କୁ ଧରିବା ପାଇଁ ପ୍ରୟାସ କରିଥିଲେ। ଫଳରେ ଉଭୟ ଦୁର୍ବୃତ୍ତ ବାଇକ୍ ଛାଡ଼ି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ଖବରପାଇ ପୋଲିସ୍ ଘଟଣାସ୍ଥଳରେ‌ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଅପହରଣର ମାଷ୍ଟରମାଇଣ୍ଡ୍‌ ମହିଳାଙ୍କ ନିଜ ଭାଇ ବୋଲି ଜଣାପଡ଼ିଛି। ଭିଣୋଇ ଜଣେ ବଡ଼ ବ୍ୟବସାୟୀ ହୋଇଥିବାରୁ ତାଙ୍କଠାରୁ ୩୫ ଲକ୍ଷ ଟଙ୍କା ଆଦାୟ କରିବା ଲାଗି ଅଭିଯୁକ୍ତ ଜଣକ ଏଭଳି କରିଥିବା ସ୍ୱୀକାର କରିଛି। ଅଭିଯୁକ୍ତ ନିକଟରୁ ଏକ ପିସ୍ତଲ ଓ ଗୁଳି ମଧ୍ୟ ଜବତ ହୋଇଛି।

You might also like