ଅଭିନେତା ଦୀପ ସିଦ୍ଧୁଙ୍କ ବିଷୟରେ ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀମାନଙ୍କ ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ଦେଲେ ତାଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ପ୍ରଦାନ କରାଯିବ। ହିଂସାରେ ସାମିଲ ଏହି ଅଭିଯୁକ୍ତଙ୍କ ଉପରେ ଦିଲ୍ଲୀ ପୋଲିସ୍ ୫୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ଘୋଷଣା କରିଛି।
ମିଳିଥିବା ସୂଚନା ଅନୁସାରେ, ଅଭିନେତା ଦୀପ ସିଦ୍ଧୁ, ଜୁଗରାଜ୍ ସିଂ, ଗୁରଜୋତ୍ ସିଂଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ସେହିପରି ଜଗବୀର ସିଂ, ବୁଟା ସିଂ, ସୁଖଦେବ ସିଂହ ଓ ଇକବାଲ୍ ସିଂଙ୍କ ବିରୋଧରେ ୫୦ହଜାର ଟଙ୍କାର ରାଶି ଘୋଷଣା କରଯାଇଛି।
ସୂଚନାଥାଉ କି, କୃଷି ଆଇନ୍ ବିରୋଧରେ ସାଧାରଣତନ୍ତ୍ର ଦିବସରେ ଚାଷୀମାନଙ୍କ ଟ୍ରାକ୍ଟର ରାଲି ଚାଲିଥିବା ବେଳେ ହଠାତ୍ ଏହା ହିଂସାକାଣ୍ଡର ରୂପ ନେଇଥିଲା। ଏହି ସମୟରେ ଲାଲ୍ କିଲ୍ଲା ଉପରେ ନିଶାନ ସାହିବ ଧ୍ୱଜା ଉଡ଼ା ଯାଇଥିବା ଦେଖିବାକୁ ମିଳିଥିଲା। ହିଂସାରେ ୩୦୦ରୁ ଅଧିକ ପୋଲିସ୍ କର୍ମୀ ଆହତ ହୋଇଥିଲେ। ଅନେକ ଭିଡିଓ ଫୁଟେଜ ମାଧ୍ୟମରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଥିଲା। ଏହି ପରିଚୟ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ପୋଲିସ୍ ଛାନ୍ଭିନ୍ ଆରମ୍ଭ କରିଛି। ଅଭିନେତା ଦୀପ୍ ସିଦ୍ଧୁଙ୍କ ବିରୋଧରେ ଚାଷୀମାନଙ୍କୁ ଉସ୍କାଇବା ଓ ହିଂସା ସୃଷ୍ଟି କରିବା ଭଳି ଅଭିଯୋଗ ହୋଇଛି। ହେଲେ ସୋସିଆଲ୍ ମିଡିଆରେ ଭିଡିଓ ଜାରି ଅଭିଯୋଗକୁ ଖଣ୍ଡନ କରିବା ସହ ସେ ନିର୍ଦ୍ଦୋଷ ବୋଲି ଦୀପ୍ କହିଛନ୍ତି।
ଦିଲ୍ଲୀରେ ହୋଇଥିବା ଏହି ହିଂସାକାଣ୍ଡ ଘଟଣାରେ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ପୋଲିସ୍ ୪୪ଟି ମାମଲା ରୁଜୁ କରିବା ସହ ୧୨୨ଜଣଙ୍କୁ ଗିରଫ କରି ସାରିଲାଣି।