ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌, ମୃତ୍ୟୁ ହାର ଅଧିକ

ସେପଟେ ୫ ସପ୍ତାହ ପରେ ମୁମ୍ବାଇରେ କମ ଆକ୍ରାନ୍ତ ଚିହ୍ନଟ

  • ଦିଲ୍ଲୀରେ ଦୈନିକ ମୃତ୍ୟୁ ସଂଖ୍ୟା ୪ ଶହ ଉପରେ
  • ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୪୩ ଜଣ
  • ୫ ସପ୍ତାହ ପରେ ମୁମ୍ବାଇରେ ଚିହ୍ନଟ ହେଲେ କମ ଆକ୍ରାନ୍ତ

ନୂଆଦିଲ୍ଲୀ : ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍ । ଦୈନିକ ମୃତ୍ୟୁ ସଂଖ୍ୟା ଗତକାଲି ବି ୪ ଶହ ଟ୍ରେଣ୍ଡ ରହିଛି । ୪୪୮ ଜଣ କରୋନା ଆକ୍ରାନ୍ତ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି । ତେବେ ଆକ୍ରାନ୍ତଙ୍କ ସଂଖ୍ୟା କିଛିଟା କମିଛି । ଏପ୍ରିଲ ୧୫ ତାରିଖ ପରେ ସବୁଠୁ କମ ଆକ୍ରାନ୍ତ ଭାବେ ଦିଲ୍ଲୀରୁ ଗତକାଲି ୧୮ ହଜାର ୪୩ ନୂଆ କେସ୍ ଚିହ୍ନଟ ହୋଇଛି ।

ସେପଟେ ୫ ସପ୍ତାହ ପରେ ମୁମ୍ବାଇରେ ଚିହ୍ନଟ ହୋଇଛନ୍ତି ସବୁଠୁ କମ କରୋନା ଆକ୍ରାନ୍ତ । ଗତ ମାସକରୁ ଅଧିକ ସମୟ ଧରି ହୁ ହୁ ହୋଇ ବଢ଼ୁଥିବା ସଂକ୍ରମଣରେ କିଛିଟା ବ୍ରେକ୍ ଲାଗିଛି । ଗତ ୨୪ ଘଣ୍ଟାରେ ମୁମ୍ବାଇରୁ ଚିହ୍ନଟ ହୋଇଛନ୍ତି ୨ ହଜାର ୬୨୪ ଆକ୍ରାନ୍ତ । ତାସହ ୭୮ ଜଣ ନୂଆ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ଶେଷ ଥର ପାଇଁ ମୁମ୍ବାଇରେ ମାର୍ଚ୍ଚ ୧୭ରେ ୨ ହଜାର ୩୭୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିଭଳି ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ୬୦ ହଜାର ଟ୍ରେଣ୍ଡ ରହୁଥିବା ବେଳେ ଏବେ ଏହା ଖସି ୪୮ ହଜାର ୬୨୧ରେ ପହଞ୍ଚିଛି । ଉଭୟ ରାଜ୍ୟରେ ଲକ୍ଡାଉନ୍ ଘୋଷଣା ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ଦେଖିବାକୁ ମିଳିଛି ।

ସେପଟେ କୋଭିଡ୍ ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗତକାଲି ପ୍ରେସମିଟ୍ କରାଯାଇଥିଲା । ୧୨ ରାଜ୍ୟରେ ୧ ଲକ୍ଷରୁ ଅଧିକ ଆକ୍ଟିଭ୍ ମାମଲା ରହିଥିବା ବେଳେ ୧୭ ରାଜ୍ୟରେ ୫୦ ହଜାରରୁ କମ୍ ଆକ୍ଟିଭ୍ କେସ୍ ରହିଛି ବୋଲି ସୂଚନା ଦେଇଥିଲା ସ୍ୱାସ୍ଥ୍ୟମନ୍ତ୍ରଣାଳୟ। କିଛି ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ଛତିଶଗଡ଼, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ପଞ୍ଜାବ, ଉତ୍ତର ପ୍ରଦେଶ ଓ ତେଲେଙ୍ଗାନାରେ ସଂକ୍ରମଣ କମିଛି। ଏହାସହ ଆସାମ, ବିହାର, ପଶ୍ଚିମବଙ୍ଗରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ଦେଶରେ କରୋନା ମୃତ୍ୟୁହାର ୧.୧୦ ପ୍ରତିଶତ ରହିଛି ।

ଗ୍ୟାସୀୟ ଅକ୍ସିଜେନକୁ ମେଡିକାଲ ଅକ୍ସିଜେନ୍ କରିବାକୁ ବିଚାର ଚାଲିଥିବା ବେଳେ ଦେଶରେ ୧୫୦୦ଟି ପ୍ଲାଣ୍ଟ ପାଇଁ କାର‌୍ୟ୍ୟ ଚାଲୁ ରହିଛି ବୋଲି ପ୍ରେସମିଟ୍ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ତେବେ ଅକ୍ସିଜେନ୍ ଉତ୍ପାଦନ ଓ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଉଛି। ଦେଶରେ ପର‌୍ୟ୍ୟାପ୍ତ ପରିମାଣର ଅକ୍ସିଜେନ୍ ଅଛି, ଭୟଭୀତ ହୁଅନ୍ତୁ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି ।

You might also like