ଭାରତକୁ ଇସ୍‌ଲାମିକ ରାଷ୍ଟ୍ର କରିବାକୁ ଚାହେଁ ଶରଜୀଲ -ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ:ସଂଶୋଧିତ ନାଗରିକତା ଆଇନ (CAA) ଏବଂ ନାଶନାଲ ରେଜିଷ୍ଟାର ଅଫ ସିଟିଜେନ(NRC) ବିରୋଧୀ ପ୍ରଦର୍ଶନ ବେଳେ ଉତ୍ତେଜକ ଭାଷଣ ଦେଇ ଗିରଫ ହୋଇଥିବା ଜେଏନୟୁ ଛାତ୍ର ଶରଜୀଲ ଇମାମ ଭାରତକୁ ଇସ୍‌ଲାମିକ୍‌ ଦେଶ କରିବାକୁ ଚାହୁଁଛି। ଜେରା ବେଳେ ଦିଲ୍ଲୀ ପୋଲିସକୁ ଏମିତି ତଥ୍ୟ ମିଳିଛି।

ଦିଲ୍ଲୀ ପୋଲିସର କହିବା ଅନୁଯାୟୀ, ଶରଜୀଲ କଟ୍ଟରପନ୍ଥୀ ନେତାଙ୍କ ଦ୍ୱାରା ପ୍ରଭାବିତ। ତାକୁ ପୋଲିସ ମଙ୍ଗଳବାର ବିହାରର ଜହାନାବାଦ୍‌ରୁ ଗିରଫ କରିଥିଲା । ଶରଜୀଲ ଉତ୍ତେଜକ ଭାଷଣ ଦେଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା।ଏହି ଅଭିଯୋଗରେ ତାଙ୍କୁ ପୋଲିସ ଗିରଫ କରିଥିଲା। ଏବେ ଶରଜୀଲକୁ ଦିଲ୍ଲୀ ପୋଲିସ ୫ ଦିନିଆ ରିମାଣ୍ଡରେ ନେଇଛି।

ତେବେ ଇସ୍ଲାମିକ ୟୁଥ୍‌ ଫେଡେରେଶନ ଏବଂ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ସହ ଶରଜୀଲର କୌଣସି ସମ୍ପର୍କ ଅଛି କି ନାହିଁ ତାହାର ତଦନ୍ତ କରୁଛି ପୋଲିସ। ସୂଚନା ଥାଉ କି, CAA ବିରୋଧୀ ଆନ୍ଦୋଳନ ପଛରେ ଇସ୍ଲାମିକ ୟୁଥ୍‌ ଫେଡେରେଶନ ଏବଂ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆର ହାତ ଥିବା ଜଣାପଡ଼ିଛି। ପିଏଫଆଇ ଏକ ଉଗ୍ର ଇସ୍‌ଲାମିକ କଟ୍ଟରପନ୍ଥୀ ସଂଗଠନ ଅଟେ।

ଜଣେ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି, ଶରଜୀଲ ପାଖରେ ଅନେକ ତଥ୍ୟ ରହିଛି। ବର୍ତ୍ତମାନ ସୁଦ୍ଧା ଯାଞ୍ଚ ପରେ ଯାହା ଜଣାପଡ଼ିଛି ଶରଜୀଲ ପଛରେ ପିଏଫଆଇର ହାତ ରହିଛି। ଶରଜୀଲକୁ ଗୋଟିଏ ସ୍ଥାନରେ ଜେରା କରିବା ପରେ ଦିଲ୍ଲୀ ପୋଲିସ ତାକୁ ଆଉ ଗୋଟିଏ ସ୍ଥାନକୁ ନେଉଛି।  ତେବେ ଶରଜୀଲ ଶୋଇବାକୁ ଚାହୁଁଥିବାବେଳେ ପୋଲିସ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜେରା କରୁଛି। ଦିଲ୍ଲୀ ପୋଲିସ ଶରଜିଲକୁ ୫ ଦିନ ପାଇଁ ରିମାଣ୍ଡରେ ନେଇଥିବାବେଳେ ଏହି ସମୟ ଭିତରେ ଅଧିକରୁ ଅଧିକ ତଥ୍ୟ ଆଦାୟ କରିବାକୁ ଚାହୁଁଛି। ଅନ୍ୟପକ୍ଷେ ଶରଜୀଲ ଶୋଇବା ବାହନାରେ ଏହି ସମୟ କାଟିଦେବାକୁ ଚାହୁଁଛି ବୋଲି ପୋଲିସ ଅଭିଯୋଗ କରିଛି।

ସୂଚନାଥାଉ କି, ଶରଜୀଲଙ୍କ ବିରୋଧରେ ୬ରାଜ୍ୟର ପୋଲିସ ଦେଶଦ୍ରୋହ ମାମଲା ରଜୁ କରିଥିଲା। ଦିଲ୍ଲୀ, ବିହାର, ଆସାମ, ଅରୁଣାଞ୍ଚଳ ପ୍ରଦେଶ, ମଣିପୁର ଓ ଉତ୍ତରପ୍ରଦେଶ ପୋଲିସ ଶରଜିଲଙ୍କ ଖାନତଲାସି ଜାରି ରଖିଥିଲା। ସୋମବାର ରାତିରେ ଶରଜିଲଙ୍କ ସାନଭାଇ ସମେତ ଅନ୍ୟ୨ ଜଣଙ୍କୁ ପୋଲିସ ଗିରଫ କରିଥିଲା।  ।

You might also like